ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାଞ୍ଚଲ୍ୟ! ପ୍ରଫେସରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୀମସାରରେ ଭର୍ତ୍ତି
ଛୁରାମାଡ଼ରେ ପ୍ରଫେସର ସାହୁଙ୍କ ପେଟ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁର୍ଲା ଭୀମସାର ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା। ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ (Chemistry) ବିଭାଗର ମୁଖ୍ୟ ତଥା ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରାମାଡ଼ ହୋଇଛି। ଜଣେ ଅବସରପ୍ରାପ୍ତ ସଫେଇ କର୍ମଚାରୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ପ୍ରଫେସର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବୁର୍ଲାସ୍ଥିତ ଭୀମସାରରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ଅଭିଯୁକ୍ତ କୃପାସିନ୍ଧୁ ବାଗ ହଠାତ୍ ରାସାୟନିକ ବିଜ୍ଞାନ ବିଭାଗରେ ପ୍ରବେଶ କରିଥିଲେ। ସେଠାରୁ ସେ ସିଧାସଳଖ ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଅଫିସ କକ୍ଷରେ ହିଁ ଏକ ଛୁରିରେ ପ୍ରଫେସରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଛୁରାମାଡ଼ରେ ପ୍ରଫେସର ସାହୁଙ୍କ ପେଟ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁର୍ଲା ଭୀମସାର ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ଅନ୍ୟପକ୍ଷରେ, ଆକ୍ରମଣ ଅଭିଯୋଗରେ ପୋଲିସ କୃପାସିନ୍ଧୁ ବାଗଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ଅବସର ନେଇଥିବା ଜଣାପଡ଼ିଛି। ତାଙ୍କର ପୂର୍ବ ଆଚରଣକୁ ନେଇ ମଧ୍ୟ କିଛି ଅଭିଯୋଗ ଥିବା ସୂଚନା ମିଳିଛି।
ତେବେ କେଉଁ କାରଣରୁ ଅଭିଯୁକ୍ତ ଏଭଳି ଆକ୍ରମଣ କଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଛୁରାମାଡ଼ ପଛର ପ୍ରକୃତ କାରଣ ଖୋଜୁଛି।