ରେଳ ମଣ୍ଡଳରେ ସ୍ୱତନ୍ତ୍ର ଅଭିଯାନ ‘ରେଳ ଜନ ସଂବାଦ’ କାର୍ଯ୍ୟକ୍ରମ ଆୟୋଜିତ
ରେଳ ମଣ୍ଡଳରେ ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ‘ରେଳ ଜନ ସଂବାଦ’ କାର୍ଯ୍ୟକ୍ରମ ଆୟୋଜିତ।
ସମ୍ବଲପୁର: ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପକ୍ଷରୁ ଚାଲୁଥିବା ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଆଜି, ୨୨ ଅକ୍ଟୋବର ୨୦୨୬ ତାରିଖରେ ମଣ୍ଡଳର ସମସ୍ତ ରେଳ ଷ୍ଟେସନରେ ଯାତ୍ରୀଙ୍କ ସହ ଯୋଗାଯୋଗ ଓ ମତାମତ ଆଦାନପ୍ରଦାନ କାର୍ଯ୍ୟକ୍ରମ ‘ରେଳ ଜନ ସଂବାଦ’ ଆୟୋଜନ କରାଯାଇଥିଲା। ଏହି ପଦକ୍ଷେପର ଲକ୍ଷ୍ୟ ଥିଲା ରେଳ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା ମାଧ୍ୟମରେ ସେମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ରେଳ ସେବାର ଗୁଣବତ୍ତାରେ ଉନ୍ନତି ଆଣିବା
ଏହି କାର୍ଯ୍ୟକ୍ରମ ସମୟରେ ଯାତ୍ରୀମାନଙ୍କୁ ଷ୍ଟେସନରେ ଉପଲବ୍ଧ ଯାତ୍ରୀ ସୁବିଧା, ରେଳ ଷ୍ଟେସନ ଓ ଟ୍ରେନର ପରିଚ୍ଛନ୍ନତା, ସୁରକ୍ଷା ବ୍ୟବସ୍ଥା ଏବଂ ସାମଗ୍ରିକ ରେଳ ସେବା ସମ୍ପର୍କରେ ନିଜ ଅନୁଭୂତି, ପରାମର୍ଶ ଓ ମତାମତ ଦେବାକୁ ଉତ୍ସାହିତ କରାଯାଇଥିଲା। ଏହା ମାଧ୍ୟମରେ ଯାତ୍ରୀମାନେ ରେଳ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ଉନ୍ନତି ଆବଶ୍ୟକ କରୁଥିବା ବିଭିନ୍ନ କ୍ଷେତ୍ର ସମ୍ପର୍କରେ ନିଜର ମତ ରଖିବାର ସୁଯୋଗ ପାଇଥିଲେ।
ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ନିଜେ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଷ୍ଟେସନର ପରିଚ୍ଛନ୍ନତା, ଏସ୍କାଲେଟର୍ ସୁବିଧା, ଟ୍ରେନରେ ଖାଦ୍ୟ ଯୋଗାଣ ସେବା ଏବଂ ସୁରକ୍ଷା ବ୍ୟବସ୍ଥା ସମେତ ବିଭିନ୍ନ ଯାତ୍ରୀ ସୁବିଧା ସମ୍ପର୍କରେ ସେ ମତାମତ ସଂଗ୍ରହ କରିଥିଲେ।
ଶ୍ରୀ ଚୌଧରୀ କହିଥିଲେ ଯେ, ରେଳ ସେବାରେ ଥିବା ତ୍ରୁଟି ଓ ଅଭାବ ଚିହ୍ନଟ କରିବା ସହ ସେବାର ମାନ ବୃଦ୍ଧି କରିବାରେ ଯାତ୍ରୀଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ଆଲୋଚନା ସମୟରେ ମିଳିଥିବା ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଯାତ୍ରୀ ସୁବିଧାରେ ଉନ୍ନତି, ସେବାର ମାନ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଏକ ଉନ୍ନତ ଯାତ୍ରା ଅନୁଭୂତି ପ୍ରଦାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ।
ଏହି କାର୍ଯ୍ୟକ୍ରମକୁ ଯାତ୍ରୀମାନଙ୍କ ପକ୍ଷରୁ ଉତ୍ସାହଜନକ ସମର୍ଥନ ମିଳିଥିଲା। ରେଳ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ନିଜର ମତାମତ ରଖିବାର ଏହି ସୁଯୋଗକୁ ଯାତ୍ରୀମାନେ ପ୍ରଶଂସା କରିଥିଲେ। ଏଭଳି ପଦକ୍ଷେପ ରେଳପଥ ଓ ଯାତ୍ରୀଙ୍କ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ସହ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଯାତ୍ରୀକୈନ୍ଦ୍ରିକ ସେବା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରେ।
ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ‘ରେଳ ଜନ ସଂବାଦ’ ଆୟୋଜନ ମାଧ୍ୟମରେ ସମ୍ବଲପୁର ମଣ୍ଡଳ ରେଳ ଷ୍ଟେସନଗୁଡ଼ିକର ପରିଚ୍ଛନ୍ନତା, ଯାତ୍ରୀ ସୁବିଧା ଏବଂ ସାମଗ୍ରିକ ରେଳ ସେବାରେ ନିରନ୍ତର ଉନ୍ନତି ଆଣିବା ସହ ଯାତ୍ରୀ ସନ୍ତୁଷ୍ଟି ଓ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛି।
(ରିପୋର୍ଟ- ଅଜୟ କୁମାର ନାଥ)