ସ୍ପେଶାଲ୍ ଲ୍ୟାଣ୍ଡ ଆକ୍ଵିଜିସନ୍ ଅଫିସର ଅଜୟ କୁମାର ଲାଞ୍ଚ ନେଇ ଗିରଫ !
Vigilance Case: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ସମ୍ବଲପୁର-ତାଳଚେର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ପେଶାଲ୍ ଲ୍ୟାଣ୍ଡ ଆକ୍ଵିଜିସନ୍ ଅଫିସର (ବିଶେଷ ଭୂମି ଅଧିଗ୍ରହଣ ଅଧିକାରୀ) ଗିରଫ; ଭୂମି ଅଧିଗ୍ରହଣ କ୍ଷତିପୂରଣ ଟଙ୍କା ଛାଡ଼ିବା ବଦଳରେ ନେଉଥିଲେ ୫ ଲକ୍ଷ ଟଙ୍କାର ଲାଞ୍ଚ।
Vigilance Case: ଆଜି ସମ୍ବଲପୁର-ତାଳଚେର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ପେଶାଲ୍ ଲ୍ୟାଣ୍ଡ ଆକ୍ଵିଜିସନ୍ ଅଫିସର ଅଜୟ କୁମାର ଗଡ଼ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭୂମି ଅଧିଗ୍ରହଣ ବାବଦକୁ ଜମି ମାଲିକଙ୍କର (ଅଭିଯୋଗକାରୀ) ୮୪,୬୨,୨୮୮ ଟଙ୍କାର କ୍ଷତିପୂରଣ ରାଶି ଛାଡ଼ିବା ଏବଂ ଭବିଷ୍ୟତରେ ତୃତୀୟ ରେଳଲାଇନ୍ ପ୍ରକଳ୍ପ ସମୟରେ ଅନୁଗ୍ରହ ଦେଖାଇବା ପାଇଁ ସେ ଲାଞ୍ଚ ଦାବି କରିଥିଲେ। ଶ୍ରୀ ଗଡ଼ନାୟକ ଅଭିଯୋଗକାରୀଙ୍କଠାରୁ ମୋଟ ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏଥିମଧ୍ୟରୁ ଶ୍ରୀ ଗଡ଼ନାୟକ କିଛି ଦିନ ପୂର୍ବରୁ, ଅର୍ଥାତ୍ ୨୭.୧୦.୨୦୨୬ରେ ୨ ଲକ୍ଷ ଟଙ୍କା ନେଇସାରିଥିଲେ ଏବଂ ବାକି ୩.୧୦ ଲକ୍ଷ ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ। ବାକି ୩.୧୦ ଲକ୍ଷ ଟଙ୍କା ନଦେଲେ ଭବିଷ୍ୟତରେ ତୃତୀୟ ରେଳଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମୟରେ ଅସୁବିଧା ସୃଷ୍ଟି କରିବେ ବୋଲି ଶ୍ରୀ ଗଡ଼ନାୟକ ଅଭିଯୋଗକାରୀଙ୍କୁ ଧମକ ମଧ୍ୟ ଦେଇଥିଲେ।
ଏଥିରେ ଅତିଷ୍ଠ ହୋଇ ଏବଂ ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଶ୍ରୀ ଗଡ଼ନାୟକଙ୍କ ଦ୍ୱାରା ହେଉଥିବା ହଇରାଣ ହରକତ ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଶ୍ରୀ ଗଡ଼ନାୟକଙ୍କୁ ଅଭିଯୋଗକାରୀଙ୍କଠାରୁ ବାକି ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେହାତ କାବୁ କରିଥିଲା। ଅଭିଯୁକ୍ତ ଶ୍ରୀ ଗଡ଼ନାୟକଙ୍କ ପାଖରୁ ଲାଞ୍ଚ ବାବଦ ସେହି ୩,୧୦,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।
ଏହି ଚଢ଼ାଉ ପରେ, ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲାରେ ଶ୍ରୀ ଗଡ଼ନାୟକଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଏକସଙ୍ଗେ ସର୍ଚ୍ଚ ଅପରେସନ୍ ଚାଲିଛି। ଏହି ସଂକ୍ରାନ୍ତରେ, ସମ୍ବଲପୁର ଭିଜିଲାନ୍ସ ଥାନା କେସ୍ ନମ୍ବର ୨୦, ତା୧.୧୧.୨୦୨୬, ଧାରା 7 P.C. (Amendment) Act, 2018 ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସ୍ପେଶାଲ୍ ଲ୍ୟାଣ୍ଡ ଆକ୍ଵିଜିସନ୍ ଅଫିସର ଶ୍ରୀ ଗଡ଼ନାୟକଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
Also Read- ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ