Team India Victory: ନ୍ୟୁଜିଲାଣ୍ଡ ମାଟିରେ ୭ ବର୍ଷ ପରେ ଭାରତର ODI ସିରିଜ୍ ବିଜୟ
ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଭାରତୀୟ ବ୍ୟାଟରମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଦଳ ୪୨.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୦୯ ରନ୍ ସଂଗ୍ରହ କରିଥିଲା।
India vs New Zealand: ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍ ଦଳର ଐତିହାସିକ ବିଜୟ। ବେ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ପାଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡକୁ ୨୨ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍କୁ ୩-୧ରେ ନିଜ ନାମରେ କରିଛି। ଦୀର୍ଘ ୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିବାରେ ସଫଳ ହୋଇଛି।
ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଭାରତୀୟ ବ୍ୟାଟରମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଦଳ ୪୨.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୦୯ ରନ୍ ସଂଗ୍ରହ କରିଥିଲା।
ଭାରତ ପକ୍ଷରୁ ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ଉପଅଧିନାୟକ ଈଶାନ କିଶନ ସର୍ବାଧିକ ୪୬ ରନ୍ ଲେଖାଏଁ କରିଥିଲେ। ସେହିପରି ଅଧିନାୟକ ଶ୍ରେୟସ ଆୟର ଓ ନମନ ଧୀର ୨୨ ରନ୍ ଲେଖାଏଁ ଯୋଗଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ମିଚେଲ ସାଣ୍ଟନର ଓ ଜାକବ ଡଫି ୩ଟି ଲେଖାଏଁ ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍କୁ ଚାପରେ ରଖିଥିଲେ। ମାଥ୍ୟୁ ଫିସର ୨ଟି ଏବଂ ବ୍ଲେୟାର ଟିକନର ଓ ମାଇକେଲ ବ୍ରେସୱେଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ।
୨୧୦ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା। ଦଳ ୪୮.୧ ଓଭରରେ ୧୮୭ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଫଳରେ ଭାରତ ୨୨ ରନ୍ରେ ଏହି ରୋମାଞ୍ଚକର ମୁକାବିଲାକୁ ଜିତି ନେଇଥିଲା।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୧୯ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୪-୧ରେ ଜିତିଥିଲା। ଏବେ ପୁଣିଥରେ କିୱି ମାଟିରେ ସିରିଜ୍ ବିଜୟ ହାସଲ କରି ଭାରତ ନିଜର ଦବଦବା ପ୍ରମାଣିତ କରିଛି।