SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଏହା ଭାରତର ନବମ ଅଣ୍ଡର-୧୯ ଏସିଆ କପ୍ ଟାଇଟଲ୍। ଦୀର୍ଘ ୫ ବର୍ଷ ପରେ ଭାରତ ଏହି ଟ୍ରଫି ଜିତିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୭ ରନ୍ କରିଥିବା ବେଳେ ଭାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୯ ରନ୍ ସଂଗ୍ରହ କରି ବିଜୟ ହାସଲ କରିଛି।

Written By Priyambada Rana Edited By Priyambada Rana
Published: Nov 14, 2026, 11:01 PM IST | Updated: Nov 14, 2026, 11:08 PM IST
Image Credit: ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ!
Join

U19 Asia Cup 2026: ଶେଷ ବଲ୍‌ରେ ଚୌକା ମାରି ଭାରତକୁ ଚାମ୍ପିୟନ୍ କରାଇଲେ ମୋହିତ ଉଲ୍‌ଭା। ପାକିସ୍ତାନ ବିପକ୍ଷରେ ଏକ ଅବିଶ୍ୱସନୀୟ ବିଜୟ ସହ ଅଣ୍ଡର-୧୯ ଏସିଆ କପ୍ ୨୦୨୬ ଟାଇଟଲ୍ ନିଜ ନାମରେ କରିଛି ଭାରତ। ଶନିବାର ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍‌ରେ ଭାରତ ୧ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ଲଢ଼େଇରେ ଭାରତୀୟ ଯୁବ ଖେଳାଳିଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଐତିହାସିକ ବିଜୟ ଭେଟି ଦେଇଛି।

ଏହା ଭାରତର ନବମ ଅଣ୍ଡର-୧୯ ଏସିଆ କପ୍ ଟାଇଟଲ୍। ଦୀର୍ଘ ୫ ବର୍ଷ ପରେ ଭାରତ ଏହି ଟ୍ରଫି ଜିତିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୭ ରନ୍ କରିଥିବା ବେଳେ ଭାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୯ ରନ୍ ସଂଗ୍ରହ କରି ବିଜୟ ହାସଲ କରିଛି।

ପାକିସ୍ତାନର ବିଶାଳ ସ୍କୋର, ଉସମାନଙ୍କ ଶତକ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ଦଳର ଓପନର ଉସମାନ ଖାନ୍ ଦମଦାର ବ୍ୟାଟିଂ କରି ୧୧୧ ବଲ୍‌ରୁ ୧୦୭ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ଅନ୍ୟପଟେ ଅବଦୁଲ କାଦିର ମାତ୍ର ୫୪ ବଲ୍‌ରୁ ୮ଟି ଛକା ଓ ୩ଟି ଚୌକା ସହ ୮୦ ରନ୍ କରିଥିଲେ।

ସେହିପରି ପାକିସ୍ତାନ ଅଧିନାୟକ ଫରହାନ ୟୁସୁଫ୍ ୬୦ ବଲ୍‌ରୁ ୬୩ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଏହି ତିନି ଖେଳାଳିଙ୍କ ଦମଦାର ବ୍ୟାଟିଂ ବଳରେ ପାକିସ୍ତାନ ୩୩୭ ରନ୍‌ର ବଡ଼ ସ୍କୋର ଛିଡ଼ା କରିଥିଲା।ଭାରତ ପକ୍ଷରୁ କାବ୍ୟ ପାରେଶ ପଟେଲ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଚିଗୁରୁପତି ଭେଙ୍କଟା ୩ଟି ୱିକେଟ୍ ହାସଲ କରିଥିଲେ। ଅର୍ଜୁନ ରାଜପୁତ ଗୋଟିଏ ୱିକେଟ୍ ନେଇଥିଲେ।

ଭାରତର ଲଢ଼ୁଆ ଜବାବ, ୨୫୨ ରନ୍‌ରେ ୮ ୱିକେଟ୍ ହରାଇଥିଲା ଦଳ:
୩୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଭଲ ଆରମ୍ଭ କରିଥିଲା। ଓପନର ଆର୍ୟବୀର ସେହୱାଗ ଏବଂ ଅଧିନାୟକ ଲକ୍ଷ୍ୟ ରାଇଚନ୍ଦାନୀ ପ୍ରଥମ ୱିକେଟ୍‌ରେ ୯୫ ରନ୍‌ର ଭାଗୀଦାରି କରିଥିଲେ। ଆର୍ୟବୀର ୬୧ ବଲ୍‌ରୁ ୫୮ ରନ୍ କରିଥିବା ବେଳେ ଅଧିନାୟକ ଲକ୍ଷ୍ୟ ୧୦୧ ବଲ୍‌ରୁ ୮୦ ରନ୍‌ର ଦମଦାର ଇନିଂସ ଖେଳିଥିଲେ।

ତେବେ ମଧ୍ୟକ୍ରମ ବ୍ୟାଟିଂରେ ଭାରତକୁ ବଡ଼ ଝଟକା ଲାଗିଥିଲା। ଲଗାତାର ୱିକେଟ୍ ପତନ ଯୋଗୁଁ ଭାରତୀୟ ଦଳ ସଙ୍କଟରେ ପଡ଼ିଥିଲା। ଏପରିକି ୨୫୨ ରନ୍‌ରେ ୮ଟି ୱିକେଟ୍ ହରାଇବା ପରେ ଭାରତର ପରାଜୟ ଆଶଙ୍କା ବଢ଼ିଯାଇଥିଲା।

ମୋହିତ ଓ ମନଲଙ୍କ ଚମତ୍କାର, ବଦଳିଗଲା ମ୍ୟାଚ୍‌ର ମୋଡ଼:
ଯେତେବେଳେ ଭାରତର ବିଜୟ ଆଶା ମଉଳିବାକୁ ଲାଗିଥିଲା, ସେତେବେଳେ ମୋର୍ଚ୍ଚା ସମ୍ଭାଳିଥିଲେ ମନଲ ଚୌହାନ ଓ ମୋହିତ ଉଲ୍‌ଭା। ଉଭୟ ବ୍ୟାଟର ଚାପରେ ନଭାଙ୍ଗି ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନ ବୋଲରଙ୍କ ଉପରେ ପ୍ରତିଆକ୍ରମଣ କରିଥିଲେ। ଉଭୟଙ୍କ ମଧ୍ୟରେ ମାତ୍ର ୩୫ ବଲ୍‌ରୁ ୫୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା। ମନଲ ୩୨ ବଲ୍‌ରୁ ୪୭ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ମୋହିତ ଶେଷ ପର୍ଯ୍ୟନ୍ତ ପିଚ୍‌ରେ ରହି ଭାରତର ବିଜୟ ଆଶାକୁ ଜୀବିତ ରଖିଥିଲେ।

ଶେଷ ଓଭରରେ ଭାରତକୁ ଜିତିବା ପାଇଁ ୮ ରନ୍ ଆବଶ୍ୟକ ଥିଲା। ଶେଷ ବଲ୍‌ରେ ୩ ରନ୍ ଦରକାର ଥିବା ବେଳେ ମୋହିତ ଉଲ୍‌ଭା ଚମତ୍କାର ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ। ସେ ୨୬ ବଲ୍‌ରୁ ୪୯ ରନ୍ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ଥିଲା ୩ଟି ଚୌକା ଓ ୩ଟି ଛକା। ଏହି ବିଜୟ ସହ ଭାରତୀୟ ଯୁବ ଦଳ ନବମ ଥର ପାଇଁ ଅଣ୍ଡର-୧୯ ଏସିଆ କପ୍ ଟ୍ରଫି ହାସଲ କରିଛି। ଅନ୍ୟପଟେ ଶେଷ ବଲ୍‌ରେ ଟାଇଟଲ୍ ହାତଛଡ଼ା କରିଛି ପାକିସ୍ତାନ।

ଏହି ଟୁର୍ଣ୍ଣାମେଣ୍ଟରେ ଆର୍ୟବୀର ସେହୱାଗ ୫ଟି ଇନିଂସରୁ ୩୬୧ ରନ୍ ସଂଗ୍ରହ କରି ସର୍ବାଧିକ ରନ୍ ସ୍କୋରର ହୋଇଥିବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ମଧ୍ୟ ହୋଇଥିଲେ। ଭାରତୀୟ ଯୁବ ଦଳର ଏହି ବିଜୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଦୀର୍ଘଦିନ ମନେ ରହିବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES