Entertainment News: କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବହନ କରୁଥିବା ବହୁ ପୁରାତନ ଗାଁ ପଣ୍ଡୁଆରେ ବିଶ୍ୱକବି ଯୁବ ସଂସଦ ଦ୍ୱାରା "ଗୋଟେ ଶୁଆ ଗୋଟେ ଶାରୀ" ନାଟକ ମଞ୍ଚସ୍ଥ ହୋଇଛି ।
ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ଏକଦା ପଣ୍ଡୁଆ ମାଟିରେ ଜମିଦାରୀ ଥିଲା । ସେଇ ଐତିହ୍ୟଭରା ଗାଁ ମାଟିରେ ତାଙ୍କରି ନାମରେ ନାମିତ ଯୁବ ସଂସଦର କର୍ମକର୍ତ୍ତାମାନଙ୍କର ଦୀର୍ଘ ତିନି ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏହି ନାଟକ ମଞ୍ଚସ୍ଥ ହୋଇଛି । ଗାଁ ମଞ୍ଚରେ ନାଟକ ପରିବେଷଣ କେବଳ ମନୋରଞ୍ଜନ ପାଇଁ ନଥିଲା, ଅନେକ ଶିକ୍ଷଣୀୟ କଥାବସ୍ତୁ ମଧ୍ୟ ରହିଥିଲା । ନାଟ୍ୟ ନିର୍ଦ୍ଦେଶକ ରଞ୍ଜନ ବର୍ଦ୍ଧନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଗାଁର କଳାକାର, ସହ-କଳାକାର, ଆୟୋଜକ ଓ ସହଯୋଗୀଙ୍କ ନିଷ୍ଠା, ଏକତା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ସଙ୍ଗୀତ ନିର୍ଦ୍ଦେଶକ ସୁର ସାରଙ୍କ ସଙ୍ଗୀତ ବେଶ ଆକର୍ଷଣୀୟ ହୋଇଥିଲା । ମାଆ ତାରିଣୀ ଚିତ୍ରାଳୟର ସାଜସଜ୍ଜା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ସମସ୍ତ କଳାକାର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଗାଁର ଗୌରବ ବଢ଼ାଇଛନ୍ତି । ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଆଶୀର୍ବାଦ ଏବଂ ବର୍ଷାଙ୍କ ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା । ତାଙ୍କ ଅଭିନୟର ଯାଦୁ ପ୍ରାୟ ଚାରି ହଜାର ଦର୍ଶକମାନଙ୍କୁ ନାଟକର ଶେଷ ଦୃଶ୍ୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା । ତେବେ ମାଆ ଶାରଳା ଏବଂ ମାଆ ଦୁର୍ଗାଙ୍କ ଆଶୀର୍ବାଦ ଯୋଗୁଁ ନାଟକ ସଫଳ, ସୁନ୍ଦର ଓ ସ୍ମରଣୀୟ ହୋଇଥିବା କଥା ଆୟୋଜକ କହିଛନ୍ତି ।
ଗାଁ' ଠାରୁ ଦୂରରେ ଥିବା ପୁଅ ଝିଅମାନେ ନାଟକର ସଫଳ କାମନା କରି ଶୁଭେଚ୍ଛା ଜଣାଇଥିଲେ । ବିଶ୍ୱକବି ଯୁବ ସଂସଦର ପୁରା ଟିମ୍କୁ ଗ୍ରାମବାସୀ ତଥା ଅଞ୍ଚଳବାସୀ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।