Odisha High Court Judge: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ବହୁ ସଂଖ୍ୟକ ପଦ ଖାଲି ପଡ଼ିଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର। ଏହି ସମସ୍ୟାର ସମାଧାନ ସହ ଖାଲି ପଡ଼ିଥିବା ବିଚାରପତି ପଦଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।
କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲଙ୍କୁ ନଭେମ୍ବର ୧୪ ତାରିଖରେ ଲେଖିଥିବା ଚିଠିରେ ସସ୍ମିତ ପାତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଚିଠିରେ ଉଲ୍ଲେଖ ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ମୋଟ ୩୩ଟି ବିଚାରପତି ପଦ ମଞ୍ଜୁର ହୋଇଥିବା ବେଳେ ଏବେ ମାତ୍ର ୧୩ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍ ୨୦ଟି ପଦ ଖାଲି ପଡ଼ିଛି, ଯାହା ମୋଟ ମଞ୍ଜୁରୀପ୍ରାପ୍ତ ପଦର ପ୍ରାୟ ୬୦.୬ ପ୍ରତିଶତ। ଏହା ଜାତୀୟ ହାରରେ ଥିବା ପ୍ରାୟ ୨୬ ପ୍ରତିଶତ ଖାଲି ପଦ ତୁଳନାରେ ଅଧିକ ବୋଲି ଚିଠିରେ ଦର୍ଶାଯାଇଛି।

ସସ୍ମିତ ପାତ୍ର ଆହୁରି ଉଲ୍ଲେଖ କରିଛନ୍ତି ଯେ, ୨୦୨୫ ମସିହାରେ ବଦଳି ମାଧ୍ୟମରେ କିଛି ବିଚାରପତି ନିଯୁକ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସର ଓ ବଦଳି ଯୋଗୁଁ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ହ୍ରାସ ପାଇଛି। ଡିସେମ୍ବର ୨୦୨୫ରେ ୨୦ ଜଣ ଥିବା ବେଳେ ଏହା ହ୍ରାସ ପାଇ ୧୩ରେ ପହଞ୍ଚିଛି।
ଏହାସହ ଓଡ଼ିଶା ହାଇକୋର୍ଟରେ ମାମଲା ଜମା ହୋଇ ରହିବା ପ୍ରସଙ୍ଗକୁ ମଧ୍ୟ ସେ ଚିଠିରେ ଉଠାଇଛନ୍ତି। ତାଙ୍କ ଚିଠି ଅନୁସାରେ, ହାଇକୋର୍ଟରେ ମୋଟ ୧,୭୦,୩୪୬ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ୩୮,୯୩୬ଟି ମାମଲା ଦଶ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି। ଏହି ତଥ୍ୟ ୨୦୨୬ ଅଗଷ୍ଟରେ ସଂସଦରେ ଉପସ୍ଥାପିତ ହୋଇଥିବା ଉତ୍ତରରୁ ନିଆଯାଇଥିବା ଚିଠିରେ ଦର୍ଶାଯାଇଛି।
ଓଡ଼ିଶା ହାଇକୋର୍ଟରେ ନ୍ୟାୟିକ କାର୍ଯ୍ୟକ୍ଷମତା ବୃଦ୍ଧି, ମାମଲାର ଶୀଘ୍ର ଶୁଣାଣି ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲାଗି ଖାଲି ବିଚାରପତି ପଦଗୁଡ଼ିକୁ ପୂରଣ କରିବା ଜରୁରୀ ବୋଲି ସେ ଚିଠିରେ ଅନୁରୋଧ କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମନ୍ୱିତ ଓ ସମୟବଦ୍ଧ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ସସ୍ମିତ ପାତ୍ର।