ଭୁବନେଶ୍ୱର: (ମନୋଜ ମାଲିଆ) ବଲିଉଡ୍ ଫିଲ୍ମରେ ଏଥର ଦେଖିବାକୁ ମିଳିଛି ଓଡ଼ିଆ ତଡ଼କା। ଓଡ଼ିଶା ମାଟିର କାହାଣୀ, କଟକର ପରିବେଶ ଏବଂ ଓଡ଼ିଆ କଳାକାରଙ୍କ ଅଭିନୟକୁ ନେଇ ପରଦାକୁ ଆସିଛି ହିନ୍ଦୀ ଫିଲ୍ମ ‘ଲୋହିତାକ୍ଷ’। ବଲିଉଡ୍ର ଏହି ଫିଲ୍ମରେ ଓଡ଼ିଶାର ମାଟି, ସଂସ୍କୃତି ଓ କଳାକାରଙ୍କ ଛାପ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
ଓଡ଼ିଆ ଅଭିନେତା ତଥା ନିର୍ଦ୍ଦେଶକ ଭୂପିନ୍ଦରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଏକ ମର୍ଡର ମିଷ୍ଟ୍ରି ଓ ସାଇକୋଲୋଜିକାଲ୍ ଥ୍ରିଲର୍। ହିନ୍ଦୀ ଭାଷାରେ ନିର୍ମିତ ହୋଇଥିଲେ ମଧ୍ୟ ଏହାର କାହାଣୀର ମୂଳ ଆଧାର ହେଉଛି ଓଡ଼ିଶାର କଟକ ସହର। କଟକର ପରିବେଶ ଓ ଓଡ଼ିଶାର ମାଟିକୁ ନେଇ କାହାଣୀଟି ଗତିଶୀଳ ହୋଇଛି। ଫିଲ୍ମର ସମସ୍ତ ସୁଟିଂ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ କରାଯାଇଛି।
ଗଣ ବିକାଶ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସିଦ୍ଧାନ୍ତ ଇସାର, ଅପସରା ରାଣୀ, କମଲେଶ ସାୱନ୍ତ ଓ ସୁକୁମାର ଟୁଡୁଙ୍କ ସମେତ ଓଡ଼ିଆ କଳାକାର ବବି ମିଶ୍ର, ଗୌରବ ମହାନ୍ତି, ଜୀବନ ପଣ୍ଡା, ମୋହନ ମାଜିଠିଆ, ସୁଶାନ୍ତ ଦାସ ମହାପାତ୍ର ଓ ସୁମନ ମହାରଣା ଅଭିନୟ କରିଛନ୍ତି।
ଦୀପାଳି ଦେବସ୍ମିତା ଦାଶ ଫିଲ୍ମର କାହାଣୀ ଲେଖିଥିବା ବେଳେ ଭୂପିନ୍ଦର ନିର୍ଦ୍ଦେଶନା, ପ୍ରଯୋଜନା ଓ ସ୍କ୍ରିନ୍ପ୍ଲେ ଦାୟିତ୍ୱ ତୁଲାଇଛନ୍ତି। ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଓଡ଼ିଆ ପ୍ରତିଭାଙ୍କୁ ଏକ ନୂଆ ପରିଚୟ ଦେବା ସହ କଟକ ଏବଂ ଓଡ଼ିଶାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ କରାଯାଇଛି।
ବଲିଉଡ୍ର ଚକାଚକ୍ୟ ଭିତରେ ଓଡ଼ିଶାର ମାଟିର ବାସ୍ନା ଓ କଟକର କାହାଣୀକୁ ନେଇ ‘ଲୋହିତାକ୍ଷ’ ଦର୍ଶକଙ୍କ ପାଇଁ ଏକ ଭିନ୍ନ ସ୍ୱାଦ ଆଣିଛି। ବଲିଉଡ୍ ଫିଲ୍ମରେ ଓଡ଼ିଆ ତଡ଼କା, କଟକ ମାଟିର କାହାଣୀକୁ ନେଇ ନିର୍ମିତ ‘ଲୋହିତାକ୍ଷ।