Rise & Fall 2: ରିଆଲିଟି ୱେବ୍ ସିରିଜ୍ ‘ରାଇଜ୍ ଆଣ୍ଡ୍ ଫଲ୍ ୨’ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ହିଁ ବିବାଦରେ ଛନ୍ଦି ହୋଇଛି। ଶୋ’ରେ ଏକ ଟାସ୍କକୁ ନେଇ ଏକ୍ସ-ପଲିଟିସିଆନ୍ ଶହଜାଦ ପୁନାୱାଲା ଏବଂ ଅଭିନେତା ସ୍ୱେତ ତୋମରଙ୍କ ମଧ୍ୟରେ ହୋଇଥିବା ବିବାଦ ହାତାହାତିରେ ପରିଣତ ହୋଇଥିଲା। ଘଟଣା ପରେ ସ୍ୱେତଙ୍କୁ ଶୋ’ରୁ ବାହାର କରାଯାଇଥିବା ଜଣାପଡ଼ିଛି।
ଟାସ୍କ ବେଳେ ବଢ଼ିଥିଲା ବିବାଦ
‘ରାଇଜ୍ ଆଣ୍ଡ୍ ଫଲ୍ ୨’ର ‘ଅଲ୍ଟିମେଟ୍ ରୁଲର’ ଟାସ୍କ ସମୟରେ ଶହଜାଦ ଏବଂ ସ୍ୱେତଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଶୋ’ରେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଉପସ୍ଥିତିରେ ଚାଲିଥିବା ତର୍କ ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
ପରେ ଦୁଇଜଣ ପରସ୍ପରଙ୍କ ସାମ୍ନାସାମ୍ନି ହୋଇଥିଲେ ଏବଂ ମାମଲା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ଘଟଣାରେ ଶହଜାଦଙ୍କ କମିଜ୍ ମଧ୍ୟ ଚିରିଯାଇଥିବା ଦାବି କରାଯାଇଛି। ଘଟଣା ପରେ ଶୋ’ ନିର୍ମାତାମାନେ ମାମଲାର ସମୀକ୍ଷା କରି ସ୍ୱେତ ତୋମରଙ୍କୁ ଶୋ’ରୁ ବାହାର କରିବାର ନିଷ୍ପତ୍ତି ନେଇଥିଲେ।
ସ୍ୱେତ ଏହା ପୂର୍ବରୁ MTV Roadies, MTV Splitsvilla ଏବଂ ‘The 50’ ଭଳି ରିଆଲିଟି ଶୋ’ରେ ନଜର ଆସିଛନ୍ତି।
ଶେହଜାଦଙ୍କ ଟିମ୍ ଦେଲା ସଫେଇ
ଘଟଣା ପରେ ଶହଜାଦ ପୁନାୱାଲାଙ୍କ ଟିମ୍ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଶେୟାର କରାଯାଇଛି। ଏଥିରେ ଶହଜାଦଙ୍କୁ ଉସକାଯାଇଥିଲେ ମଧ୍ୟ ସେ ନିଜ ଆଚରଣ ନିୟନ୍ତ୍ରଣରେ ରଖିଥିବା ଦାବି କରାଯାଇଛି।
ଟିମ୍ ପକ୍ଷରୁ କୁହାଯାଇଛି ଯେ ଶହଜାଦଙ୍କୁ ଗାଳି ଦିଆଯାଇପାରେ, ତାଙ୍କୁ ଚୁପ୍ କରିବା କିମ୍ବା ଚାପ ପକାଇବାକୁ ଚେଷ୍ଟା କରାଯାଇପାରେ, କିନ୍ତୁ ଏଥିରେ ତାଙ୍କ ମନୋବଳ ଭାଙ୍ଗିବ ନାହିଁ। ଶେଷରେ ଟିମ୍ ଶହଜାଦଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛି।
ନିଜ ପକ୍ଷ ରଖିଲେ ସ୍ୱେତ
ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ୱେତ ତୋମର ମଧ୍ୟ ସୋସିଆଲ୍ ମିଡିଆରେ ନିଜ ପକ୍ଷ ରଖିଛନ୍ତି। ନିଜ ଇନଷ୍ଟାଗ୍ରାମ୍ ଭ୍ଲଗ୍ରେ ସେ କହିଛନ୍ତି ଯେ ସେ ଶହଜାଦଙ୍କୁ ପଛପଟୁ ମାରିନଥିଲେ। ବରଂ ତାଙ୍କ କଲାର ଧରିଥିଲେ ବୋଲି ସ୍ୱେତ ଦାବି କରିଛନ୍ତି।
ସ୍ୱେତଙ୍କ କହିବା ଅନୁସାରେ, ସେ ଶହଜାଦଙ୍କ ଦିଗକୁ ଯାଉଥିବା ସମୟରେ ଶହଜାଦ ତାଙ୍କ ଆଡ଼କୁ ବୁଲିଥିଲେ। ତେଣୁ ଦୁଇଜଣ ସାମ୍ନାସାମ୍ନି ଥିବା ସମୟରେ ସେ ଶହଜାଦଙ୍କ କଲାର ଧରିଥିଲେ ବୋଲି ସେ କହିଛନ୍ତି।
ସ୍ୱେତ ଆହୁରି ଦାବି କରିଛନ୍ତି ଯେ ପ୍ରାୟ ୨୦ ମିନିଟ୍ ଧରି ତାଙ୍କୁ ଉସକାଯାଉଥିଲା। ତାଙ୍କ କହିବା ଅନୁସାରେ, ଯଦି ତାଙ୍କର ଶହଜାଦଙ୍କୁ ମାରିବାର ଉଦ୍ଦେଶ୍ୟ ଥାଆନ୍ତା, ତେବେ ଦୁଇଜଣ ଏକାକୀ ଥିବା ସମୟରେ ସେ ତାହା କରିପାରିଥାନ୍ତେ। ତେବେ ସେ କେବଳ କଲାର ଧରିଥିଲେ ବୋଲି ନିଜ ସଫେଇରେ କହିଛନ୍ତି।
ଏହି ଘଟଣା ପରେ ‘ରାଇଜ୍ ଆଣ୍ଡ୍ ଫଲ୍ ୨’କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆହୁରି ବଢ଼ିଛି। ଉଭୟ ପକ୍ଷ ନିଜ ନିଜ ମତ ରଖିଥିବାରୁ ଘଟଣାକୁ ନେଇ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଆଲୋଚନା ଜାରି ରହିଛି।