Steel Factory Blast: ତୁର୍କୀର ଇଜମିର ସହରରେ ଘଟିଛି ଏକ ଭୟାବହ ଶିଳ୍ପ ଦୁର୍ଘଟଣା। ଏକ ଲୁହା ଓ ଇସ୍ପାତ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୧୬ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ ୧୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଓ ଧୂଆଁର ଆସ୍ତରଣ ଖେଳିଯିବା ସହ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ସୂଚନା ଅନୁସାରେ, କାରଖାନାରେ ନିୟମିତ ରକ୍ଷଣାବେକ୍ଷଣ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଶ୍ରମିକମାନେ କ୍ରେନ୍ ସାହାଯ୍ୟରେ ଏକ ବଏଲର୍ ବଦଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ କ୍ରେନ୍ଟି ଭାରସାମ୍ୟ ହରାଇ ଜଳନ୍ତା ଭାଟି ଭିତରକୁ ଖସି ପଡ଼ିଥିଲା। ଭାଟିର ଅତ୍ୟଧିକ ତାପମାତ୍ରା ଏବଂ ତରଳ ଲୁହା ସଂସ୍ପର୍ଶରେ କ୍ରେନ୍ ଆସିବା ପରେ ଭୟଙ୍କର ତାପଜ ବିସ୍ଫୋରଣ ଘଟିଥିବା ରିପୋର୍ଟରେ ଦାବି କରାଯାଇଛି। ଏହାର ପ୍ରଭାବରେ ନିକଟରେ କାମ କରୁଥିବା ଶ୍ରମିକମାନେ ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଓ ଭଙ୍ଗାରୁଜା ମଧ୍ୟରୁ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଏହି ଦୁଃଖଦ ଘଟଣାରେ ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଶୋକ ପ୍ରକାଶ କରିଛନ୍ତି। ମୃତ ଶ୍ରମିକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଦୁର୍ଘଟଣାର କାରଣ ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଛି କି ନାହିଁ, ତାହାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଶା କରାଯାଉଛି।