Nepal Flahs Flood: ନେପାଳର ଗୋରଖା ଜିଲ୍ଲାରେ ରବିବାର ଭୋରୁ ଆକସ୍ମିକ ବନ୍ୟା ଆତଙ୍କ ସୃଷ୍ଟି କରିଛି। ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବାରୁ ନଦୀ ଶଯ୍ୟା ନିକଟରେ ଥିବା ଅନେକ ଘର ଭାସିଯାଇଛି। ଘଟଣା ପରେ ନଦୀକୂଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ମିଳିନାହିଁ।
ଗୋରଖା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଧର୍ମେନ୍ଦ୍ର କୁମାର ମିଶ୍ରଙ୍କ କହିବା ଅନୁସାରେ, ରବିବାର ଭୋର ପ୍ରାୟ ୪ଟା ୩୫ ମିନିଟ୍ରେ ବଡ଼ ବନ୍ୟା ଆସିଥିବା ଖବର ମିଳିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଚୁମନୁବ୍ରି ଗ୍ରାମୀଣ ପୌରପାଳିକାର ୬ ନମ୍ବର ୱାର୍ଡ ଉପର ଅଞ୍ଚଳରେ ଭୂସ୍ଖଳନ ହେବା ପରେ ଏହି ବନ୍ୟା ଆସିଥିବା ସନ୍ଦେହ କରାଯାଉଛି।
ଭୂସ୍ଖଳନ ପରେ ହଠାତ୍ ବଢ଼ିଲା ନଦୀ ଜଳସ୍ତର:
ଚୁମନୁବ୍ରି ଗ୍ରାମୀଣ ପୌରପାଳିକାର ଅଧ୍ୟକ୍ଷ ନିମା ଲାମାଙ୍କ ସୂଚନା ଅନୁସାରେ, ଭୂସ୍ଖଳନ ଯୋଗୁଁ ଚୁମ୍କେ ଖୋଲା ନାମକ ଏକ ଝରଣାର ଜଳପ୍ରବାହ ଅବରୋଧ ହୋଇଥିଲା। ପରେ ହଠାତ୍ ଜଳପ୍ରବାହ ବଢ଼ିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି।
ବନ୍ୟାରେ ଜଗତ ଅଞ୍ଚଳର ନଦୀ ଶଯ୍ୟା ନିକଟରେ ଥିବା ପ୍ରାୟ ୫ରୁ ୭ଟି ଘର ଭାସିଯାଇଛି। ଏହା ବ୍ୟତୀତ ନଦୀର ନିମ୍ନ ପ୍ରବାହ ଅଞ୍ଚଳରେ ଆଉ କିଛି ଘର କ୍ଷତିଗ୍ରସ୍ତ ହୋଇଥାଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି।
#WATCH | Nepal's National Disaster Risk Reduction & Management Authority releases aerial pictures of flood-affected areas in Gorkha. (Source: NDRRMA) https://t.co/QPe6slfD69
— ANI (@ANI) October 11, 2026
ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ଭୋର ପ୍ରାୟ ୪ଟାରୁ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ିଥିଲା। ନଦୀର ପ୍ରବଳ ଜଳପ୍ରବାହର ଶବ୍ଦ ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା। ତେବେ ହଠାତ୍ ବନ୍ୟା ସୃଷ୍ଟି ହେବାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି।
ନଦୀକୂଳିଆ ଲୋକଙ୍କୁ ହାଇଆଲର୍ଟ:
ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ (NDRRMA) ରବିବାର ସକାଳ ୬ଟା ୪୦ ମିନିଟ୍ରେ ବନ୍ୟା ସତର୍କ ସୂଚନା ପାଇଁ SMS ଜାରି କରିଥିଲା। ବନ୍ୟା ପ୍ରବାହ ଶାନ୍ତ ନହେବା ପର୍ଯ୍ୟନ୍ତ ନଦୀ ନିକଟକୁ ନଯିବା ସହ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହି ସତର୍କତା ତ୍ରିଶୂଳୀ ଦୋଭାନ୍ ପର୍ଯ୍ୟନ୍ତ ନଦୀ ପ୍ରବାହ ଅଞ୍ଚଳ ପାଇଁ ଜାରି କରାଯାଇଛି।
ଅରୁଘାଟର ଅଞ୍ଚଳ ପୋଲିସ କାର୍ଯ୍ୟାଳୟ ମଧ୍ୟ ସୁରକ୍ଷା ପରାମର୍ଶ ଜାରି କରିଛି। ପୋଲିସ ଓ ସ୍ଥାନୀୟ ପ୍ରଶାସନ ଲାଉଡ୍ସ୍ପିକର ମାଧ୍ୟମରେ ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ କରି ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରୁଛନ୍ତି।
ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରସ୍ତୁତି:
ଗୋରଖା ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରୁ ନିରନ୍ତର ସୂଚନା ସଂଗ୍ରହ କରୁଛି। ପରିସ୍ଥିତିର ଆକାଶମାର୍ଗରୁ ଅନୁଧ୍ୟାନ କରିବା ପାଇଁ ନେପାଳ ସେନାର ହେଲିକପ୍ଟର ପଠାଇବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି।
ବନ୍ୟାରେ କ୍ଷୟକ୍ଷତିର ପରିମାଣ ଓ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିବାକୁ ପ୍ରଶାସନ ଅପେକ୍ଷା କରିଛି। ଏହି ସମୟରେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନର ସତର୍କ ସୂଚନା ମାନିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି।