Terrorist dies in Pakistan: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକୀୟ ଟ୍ରେଜେରୀ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ହୋଇଥିବା ମହମ୍ମଦ ସରୱରର ରବିବାର ଦିନ ଲାହୋରରେ ମୃତ୍ୟୁ ହୋଇଛି। ଯେତେବେଳେ ମହମ୍ମଦ ସରୱର ଘରୁ ନମାଜ ପଢ଼ିବା ପାଇଁ ମସଜିଦ୍ ଅଭିମୁଖେ ଯାଉଥିଲା ସେହି ସମୟରେ ହଠାତ୍ ସେ ହଠାତ୍ ତଳେ ପଡ଼ିଯାଇଥିଲା । ତଳେ ପଡିବାର କିଛି ସମୟ ମଧ୍ୟରେ ତାର ମୃତ୍ୟୁ ଘଟିଥିଲା। ସରୱର ପାକିସ୍ତାନ ମରକଜୀ ମୁସଲିମ ଲିଗ୍ (PMML) ପଞ୍ଜାବର ସଭାପତି ଥିଲା।
ତେବେ PMML ପକ୍ଷରୁ ତାର ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ସିଡ଼ିରୁ ତଳେ ପଡ଼ିଯିବା ଯୋଗୁଁ ମହମ୍ମଦ ସରୱରର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । PMML ହେଉଛି ହାଫିଜ୍ ସୟିଦର ସଙ୍ଗଠନ 'ଜମାତ-ଉଦ-ଦାୱା' (JuD) ରୁ ବାହାରିଥିବା ଏକ ରାଜନୈତିକ ଗୋଷ୍ଠୀ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାଫିଜ୍ ସୟିଦ୍ ୨୦୧୯ ମସିହାରୁ ଲାହୋରର କୋଟ୍ ଲଖପତ୍ ଜେଲରେ ବନ୍ଦୀ ଅଛି। ତା' ବିରୋଧରେ ଆତଙ୍କବାଦୀ ପାଣ୍ଠି ଯୋଗାଣ (ଟେରର ଫଣ୍ଡିଂ) ର ଅନେକ ମାମଲା ଚାଲିଛି, ଯେଉଁଥିରେ ତାକୁ ଅନେକ ବର୍ଷର କାରାଦଣ୍ଡ ମଧ୍ୟ ଶୁଣାଯାଇଛି। ସରୱରର ଶେଷକୃତ୍ୟ ରବିବାର ବିଳମ୍ବିତ ରାତିରେ ଲାହୋରର ଚୌବୁର୍ଜୀ ଅଞ୍ଚଳରେ ଥିବା JuD ମୁଖ୍ୟାଳୟ ଜାମିଆ ଅଲ-କଦସିୟାରେ କରାଯାଇଛି ବୋଲି ସୂଚନା ମିଳିଛି ।
୨୦୧୬ ମସିହାରେ, ଆମେରିକୀୟ ଟ୍ରେଜେରୀ ବିଭାଗର 'ଅଫିସ୍ ଅଫ୍ ଫରେନ୍ ଆସେଟ୍ସ କଣ୍ଟ୍ରୋଲ' (OFAC) ସରୱର ଏବଂ ଲଶ୍କର-ଏ-ତାଇବା (LeT) ର ଅନ୍ୟ ଜଣେ ବରିଷ୍ଠ ନେତା ଶାହିଦ ମହମୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ (SDGT) ଭାବେ ଘୋଷଣା କରିଥିଲା। ଏହି କାର୍ଯ୍ୟାନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲଶ୍କର-ଏ-ତାଇବାର ପାଣ୍ଠି ସଂଗ୍ରହ ଏବଂ ତାକୁ ମିଳୁଥିବା ସହାୟତା ନେଟୱର୍କକୁ ଧ୍ୱଂସ କରିବା। OFAC କହିଥିଲା ଯେ, ଏହି ଦୁଇ ଜଣଙ୍କ ଏହି ସଙ୍ଗଠନ ପାଇଁ କିମ୍ବା ତା' ପକ୍ଷରୁ କାମ କରୁଥିବାରୁ ଚିହ୍ନଟ କରାଯାଇଥିଲା। ଏହାସହ ଆମେରିକା ଅଧୀନରେ ଥିବା ସେମାନଙ୍କର ସମସ୍ତ ସମ୍ପତ୍ତି ଏବଂ ସ୍ୱାର୍ଥକୁ ବ୍ୟାନ୍ କରାଯାଇଥିଲା।
OFAC କହିଥିଲା ଯେ, ଲଶ୍କର-ଏ-ତାଇବାର ସରୱର ଏବଂ ମହମୁଦ, ଏହି ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରିବା ଏବଂ ତାକୁ ଏପଟ ସେପଟ କରିବା ପାଇଁ ଦାୟୀ ଥିଲେ। ସେତେବେଳେ OFAC କହିଥିଲା, 'ଏହି କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ କେବଳ ସେମାନଙ୍କର କାର୍ଯ୍ୟକଳାପକୁ ପଦାରେ ପକାଇବା ନୁହେଁ, ବରଂ ଲଶ୍କର-ଏ-ତାଇବାର ଆର୍ଥିକ ନେଟୱର୍କ ଏବଂ ହିଂସାତ୍ମକ ଆତଙ୍କବାଦୀ ଆକ୍ରମଣ କରିବାର ସାମର୍ଥ୍ୟକୁ ରୋକିବା ମଧ୍ୟ ଅଟେ।'
OFAC ଅନୁଯାୟୀ, ସରୱର ୧୦ ବର୍ଷରୁ ଅଧିକ ସମୟ ଧରି ଲାହୋରରେ ଲଶ୍କର-ଏ-ତାଇବାର ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା ଏବଂ ସଙ୍ଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସେ ଅତିକମରେ ଜାନୁଆରୀ ୨୦୧୫ ରୁ ଲଶ୍କର-ଏ-ତାଇବାର ଲାହୋର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା।
ସଙ୍ଗଠନର ଲାହୋର ମୁଖ୍ୟ ଭାବରେ, ସରୱରର ଦଳର ବରିଷ୍ଠ ନେତାମାନଙ୍କ ସହ ସୁସମ୍ପର୍କ ଥିଲା। OFAC ସୂଚନା ଦେଇଛି ଯେ, ୨୦୧୨ ରୁ ୨୦୧୩ ମଧ୍ୟରେ ସେ ଲଶ୍କର-ଏ-ତାଇବାର ବୈଦେଶିକ ବ୍ୟାପାର ମୁଖ୍ୟ ହାଫିଜ୍ ଅବଦୁଲ୍ ରହମାନ ମକ୍କି ସହ କାମ କରିଥିଲା। ୨୦୧୩ ଆରମ୍ଭରେ, ମକ୍କି ପାକିସ୍ତାନ ଭିତରେ ଯାତ୍ରା ଖର୍ଚ୍ଚ ପାଇଁ ତାଠାରୁ ଟଙ୍କା ମାଗିଥିଲା। ନଭେମ୍ବର ୨୦୧୦ ରେ, OFAC ଦ୍ୱାରା 'ଏକ୍ଜିକ୍ୟୁଟିଭ୍ ଅର୍ଡର 13224' ଅଧୀନରେ ମକ୍କିକୁ ଚିହ୍ନଟ କରାଯାଇଥିଲା।
OFAC ଅନୁଯାୟୀ, ସରୱର ୨୦୦୦ ମସିହା ପ୍ରାରମ୍ଭରୁ ହିଁ ଲଶ୍କର-ଏ-ତାଇବା ସହ ଜଡ଼ିତ ଥିଲା। ସଙ୍ଗଠନର ଲାହୋର ମୁଖ୍ୟ ଭାବେ ସେ ସିଧାସଳଖ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲା। ସେ ସଙ୍ଗଠନ ପାଇଁ ଟଙ୍କା ଜମା କରିବା ଏବଂ ତାକୁ ଟ୍ରାନ୍ସଫର କରିବା ପାଇଁ ପାକିସ୍ତାନର ସରକାରୀ ଆର୍ଥିକ ବ୍ୟବସ୍ଥାର ବ୍ୟବହାର କରିଥିଲା। OFAC ଅନୁଯାୟୀ, ୨୦୦୮ ମସିହାରେ ସରୱର ବ୍ୟବସାୟୀମାନଙ୍କର ଏକ ପ୍ରତିନିଧି ଦଳକୁ ଲଶ୍କର-ଏ-ତାଇବାର ଆଡ୍ଡାକୁ ନେଇ ସଙ୍ଗଠନ ପାଇଁ ଚନ୍ଦା ମାଗିଥିଲା। ୨୦୦୯ ମଧ୍ୟଭାଗ ସୁଦ୍ଧା, ସେ ସେହି ଦୁଇ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲା ଯିଏ ଲାହୋରରେ ଲଶ୍କର-ଏ-ତାଇବାର ଆର୍ଥିକ ଶାଖାର ପରିଚାଳନା କରୁଥିଲା।