Money Laundering Case: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନ୍ଙ୍କ ଅଡୁଆ ବଢ଼ିଛି। ପାନ୍ କାର୍ଡ ମାମଲାରେ ଜାମିନ ପାଇ ରାମପୁର ଜେଲରୁ ମୁକୁଳିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏବେ ଗାଜିଆବାଦର ସ୍ୱତନ୍ତ୍ର PMLA କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଛନ୍ତି। ତାଙ୍କୁ ଡାସନା ଜେଲରେ ରଖାଯିବ।
ସୂଚନା ଅନୁସାରେ, ରାମପୁର ଜେଲରୁ ଆଜମ ଖାନ୍ଙ୍କୁ ପାନ୍ କାର୍ଡ ମାମଲାରେ ଜାମିନ ମିଳିଥିଲା। ଜେଲରୁ ବାହାରିବାର ପ୍ରାୟ ୧୫ ମିନିଟ୍ ପରେ ଜୌହର ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ED ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଗାଜିଆବାଦର ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା।
#WATCH | Ghaziabad, Uttar Pradesh: ED officials bring Samajwadi Party's Azam Khan to Ghaziabad for production before the PMLA Court. https://t.co/O19QteqIAO
— ANI (@ANI) November 1, 2026
‘ମୁସଲମାନ ହେବାର ଦଣ୍ଡ ମିଳୁଛି’ କହିଲେ ଆଜମ ଖାନ୍:
ଗିରଫଦାରୀ ସମୟରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ନିଜ ଅସନ୍ତୋଷ ଓ ନିରାଶା ପ୍ରକାଶ କରିଥିଲେ ଆଜମ ଖାନ୍। ସେ କହିଥିଲେ, ଏବେ ଆଉ କହିବାକୁ କ’ଣ ବାକି ଅଛି? ଆଇନ ଶେଷ ହୋଇଗଲା କି? ମୁସଲମାନ ହୋଇଥିବାରୁ କ’ଣ ଦଣ୍ଡ ମିଳୁଛି?
ସେ ଆହୁରି କହିଥିଲେ ଯେ, ମୁସଲମାନ ହୋଇ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ଏବଂ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବା କ’ଣ ତାଙ୍କର ଅପରାଧ? ତାଙ୍କର ଏହି ବୟାନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାକୁ ଆସିଛି।
Rampur, Uttar Pradesh: After being released from Rampur jail, Samajwadi Party leader Azam Khan says, "What is there left to say? What can I say? The law has ceased to exist. This is the punishment for being a Muslim? Our mistake was that a university was built by a Muslim. That is our crime. We built schools for children. Is that our crime?"
— IANS (@ians_india) October 31, 2026
ଆଜମ ଖାନ୍ଙ୍କ ଗିରଫଦାରୀକୁ ବିରୋଧ କଲେ ଅଖିଳେଶ ଯାଦବ:
ଅନ୍ୟପଟେ, ଆଜମ ଖାନ୍ଙ୍କ ଗିରଫଦାରୀକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତୀବ୍ର ବିରୋଧ କରିଛନ୍ତି। ବିଜେପି ସରକାର ରାଜନୈତିକ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏପରି କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।
ଅଖିଳେଶ କହିଛନ୍ତି ଯେ, ଜୌହର ବିଶ୍ୱବିଦ୍ୟାଳୟର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ED ପୂର୍ବରୁ ଜବତ କରିସାରିଛି। ଏହା ସତ୍ତ୍ୱେ ଏବେ ଆଜମ ଖାନ୍ଙ୍କୁ ଗିରଫ କରାଯାଇଛି। ତଦନ୍ତକାରୀ ସଂସ୍ଥା କାହା ଇଙ୍ଗିତରେ କାମ କରୁଛି ଏବଂ ବିଜେପି ସରକାରଙ୍କ ହାତର କଣ୍ଢେଇ ହୋଇ କାହିଁକି କାମ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଓକିଲ:
ଆଜମ ଖାନ୍ଙ୍କ ଓକିଲ ନାସିର ସୁଲତାନ ମଧ୍ୟ EDର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଜେଲରୁ ମୁକୁଳିବା ପରେ ଆଜମ ଖାନ୍ଙ୍କୁ କୌଣସି ପୂର୍ବ ସୂଚନା କିମ୍ବା କାରଣ ନ ଜଣାଇ ନେଇଯାଇଥିଲା। ତାଙ୍କୁ କେଉଁଠାକୁ ନିଆଯାଉଛି, ସେ ସମ୍ପର୍କରେ ମଧ୍ୟ କାହାକୁ ଜଣାଯାଇନଥିଲା ବୋଲି ସେ କହିଛନ୍ତି।
ଏହା ସରକାରଙ୍କ ଏକଛତ୍ରବାଦୀ ମନୋଭାବର ପ୍ରମାଣ ବୋଲି ଓକିଲ ଅଭିଯୋଗ କରିଛନ୍ତି। ୨୦୨୭ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଆଜମ ଖାନ୍ଙ୍କ ରାଜନୈତିକ ପ୍ରଭାବକୁ ନେଇ ଶାସକ ଦଳ ଭୟଭୀତ ଥିବାରୁ ଏପରି କରାଯାଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ତେବେ ଆଜମ ଖାନ୍ଙ୍କ ଗିରଫଦାରୀ, EDର ତଦନ୍ତ ଏବଂ ବିରୋଧୀ ଦଳର ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।