Chardham Yatra 2026: ଦେବଭୂମି ଉତ୍ତରାଖଣ୍ଡର ପବିତ୍ର ଭୂମିରେ ଚଳିତ ବର୍ଷ ଆସ୍ଥା ଏବଂ ଭକ୍ତିର ଏପରି ଏକ ଜୁଆର ଆସିଛି ଯେ, ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଯାଇଛି। ଚାରିଧାମ ଯାତ୍ରା ୨୦୨୬ ସଫଳତାର ଏକ ନୂତନ ଏବଂ ଐତିହାସିକ ସଫଳତା ହାସଲ କରିଛି। ଚଳିତ ବର୍ଷ ବାବା କେଦାରନାଥ, ଭଗବାନ ବଦ୍ରୀନାଥ, ମାଆ ଗଙ୍ଗୋତ୍ରୀ ଏବଂ ମାଆ ଯମୁନୋତ୍ରୀ ଦର୍ଶନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୬,୧୮,୪୯୭ ଅତିକ୍ରମ କରିଛି।
୨୦୨୩ର ସର୍ବକାଳୀନ ରେକର୍ଡକୁ ପଛରେ ପକାଇଲା
ଏହା ସହିତ ଧାମୀ ସରକାରଙ୍କ ନେତୃତ୍ୱରେ ୨୦୨୩ ବର୍ଷର ୫୬.୧୩ ଲକ୍ଷ ତୀର୍ଥଯାତ୍ରୀଙ୍କ ସର୍ବକାଳୀନ ରେକର୍ଡ ମଧ୍ୟ ପଛରେ ରହିଯାଇଛି। ଚାରିଧାମରେ ଏଥର ଶ୍ରଦ୍ଧାଳୁଙ୍କ ଉତ୍ସାହ ଏଥିରୁ ଅନୁମାନ କରାଯାଇପାରେ ଯେ, ଦୁର୍ଗମ ପାହାଡ, ପାଣିପାଗର ଆହ୍ୱାନ ଏବଂ ଖାଲଖମା ରାସ୍ତା ସତ୍ତ୍ୱେ ତୀର୍ଥଯାତ୍ରୀଙ୍କ ଦର୍ଶନ କରିବାର ଇଚ୍ଛା ବଢିଛି ।
ଏହି ରେକର୍ଡର କାରଣ କଣ?
କେଦାର ଉପତ୍ୟକାରୁ ବଦ୍ରୀନାଥ ଧାମ ପର୍ଯ୍ୟନ୍ତ ଚାରିଆଡ଼େ କେବଳ 'ଜୟ ଭୋଲେ' ଏବଂ 'ଜୟ ବଦ୍ରୀ ନାଥ' ଧ୍ୱନି ପ୍ରତିଧ୍ୱନିତ ହେଉଥିଲା। ରାଜ୍ୟ ସରକାରଙ୍କ ଅନୁଯାୟୀ, ଏହି ରେକର୍ଡର ସବୁଠାରୁ ବଡ କାରଣ ହେଉଛି ଉତ୍ତମ ବ୍ୟବସ୍ଥା, ସୁରକ୍ଷିତ ଯାତ୍ରା ଏବଂ ସହଜ ସୁବିଧା ସୁଯୋଗ। ମୁଖ୍ୟମନ୍ତ୍ରୀ ଧାମୀଙ୍କ ନେତୃତ୍ୱରେ ସରକାର ଚାରିଧାମ ଯାତ୍ରାକୁ ସୁରକ୍ଷିତ, ସହଜ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ।
ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁଖଦ ଏବଂ ଆଧ୍ୟାତ୍ମିକ ଅନୁଭୂତି
ଯାତ୍ରା ମାର୍ଗରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରାଯାଇଥିଲା। ଏହା ବ୍ୟତୀତ ପରିବହନ ପରିଚାଳନା, ପାନୀୟ ଜଳ, ପରିମଳ, ପାର୍କିଂ, ଆବାସ ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ବ୍ୟବସ୍ଥାକୁ କ୍ରମାଗତ ଭାବେ ମଜବୁତ କରାଯାଇଥିଲା। ପ୍ରଶାସନ, ପୋଲିସ, SDRF ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଚଳିତ ବର୍ଷର ଯାତ୍ରା କେବଳ ରେକର୍ଡ ଭାଙ୍ଗି ନାହିଁ, ବରଂ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁଖଦ ଏବଂ ଆଧ୍ୟାତ୍ମିକ ଅନୁଭୂତି ପାଲଟିଛି।
'ଅତିଥି ଦେବୋ ଭବ:' ସଂକଳ୍ପ ସଫଳ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ କେଦାରନାଥ ଏବଂ ବଦ୍ରୀନାଥ ଧାମ ସମେତ ଉତ୍ତରାଖଣ୍ଡର ପ୍ରମୁଖ ଧାର୍ମିକ ସ୍ଥଳଗୁଡିକରେ ଭିତ୍ତିଭୂମି ସୁବିଧାର ବିକାଶ ପ୍ରଦେଶର ଆଧ୍ୟାତ୍ମିକ ପରିଚୟକୁ ଏକ ନୂତନ ଶକ୍ତି ପ୍ରଦାନ କରିଛି। କେଦାରନାଥରେ ପୁନରୁଦ୍ଧାର କାର୍ଯ୍ୟ, ବଦ୍ରୀନାଥ ମାଷ୍ଟର ପ୍ଲାନ ଏବଂ ଅଲ୍ ୱେଦର୍ ରୋଡ୍ (All Weather Road) ଭଳି ପ୍ରକଳ୍ପ ଯୋଗୁଁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିଛି, ଯାହାର ପ୍ରତ୍ୟକ୍ଷ ପ୍ରଭାବ ଦେଖିବାକୁ ମିଳୁଛି। 'ଅତିଥି ଦେବୋ ଭବ:'ର ମୂଳମନ୍ତ୍ରକୁ ଚରିତାର୍ଥ କରି ଉତ୍ତରାଖଣ୍ଡର ପବିତ୍ର ଭୂମି ପୁଣି ଥରେ ପ୍ରମାଣ କରିଛି ଯେ ଆଧୁନିକ ଭିତ୍ତିଭୂମି ବିକାଶ ବଳରେ ଆଧ୍ୟାତ୍ମିକତାର ଏହି ଯାତ୍ରା ପ୍ରତିଦିନ ନୂଆ ନୂଆ ସଫଳତା ହାସଲ କରୁଛି।
ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ କୃତଜ୍ଞତା
ଚାରିଧାମ ଯାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧାମୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ଆମର ଅତିଥି। ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ଯାତ୍ରା ସୁରକ୍ଷିତ, ସହଜ ଏବଂ ସୁଖଦ ହେଉ ବୋଲି ରାଜ୍ୟ ସରକାରଙ୍କ ପ୍ରୟାସ ରହିଛି। ସେ କହିଛନ୍ତି ଯେ, ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ରେକର୍ଡ ସଂଖ୍ୟା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଉତ୍ତରାଖଣ୍ଡରେ ବିକଶିତ ହେଉଥିବା ଉତ୍ତମ ସୁବିଧା ଏବଂ ଶ୍ରଦ୍ଧାଳୁଙ୍କ ବଢୁଥିବା ବିଶ୍ୱାସର ପ୍ରମାଣ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଚାରିଧାମ ଯାତ୍ରାର ସଫଳ ପରିଚାଳନାରେ ସହଯୋଗ କରିଥିବା ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, SDRF, ସ୍ଥାନୀୟ ସଂସ୍ଥା, ତୀର୍ଥ ପୁରୋହିତ, ସ୍ଥାନୀୟ ଲୋକ ଏବଂ ଯାତ୍ରା ବ୍ୟବସ୍ଥା ସହ ଜଡିତ ସମସ୍ତ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।