Delhi Air Pollution: ଦୀପାବଳି ପୂର୍ବରୁ ହିଁ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି। ବିଷାକ୍ତ ଧୂଆଁ ଓ ଧୂଳିକଣାରେ ଭରିଯାଇଛି ଦିଲ୍ଲୀର ବାୟୁମଣ୍ଡଳ। ଏପରିକି ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି। ଫଳରେ ସାଧାରଣ ଲୋକଙ୍କୁ ନିଃଶ୍ୱାସ ନେବାରେ ମଧ୍ୟ ସମସ୍ୟା ହେଉଛି। ଚିନ୍ତାର ବିଷୟ ହେଉଛି, ଦୀପାବଳିରେ ବାଣ ଫୁଟିବା ପୂର୍ବରୁ ହିଁ ରାଜଧାନୀର ଏଭଳି ସ୍ଥିତି ସୃଷ୍ଟି ହୋଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ଦିଲ୍ଲୀର ୮ଟି ବାୟୁ ଗୁଣବତ୍ତା ମାପ କେନ୍ଦ୍ରରେ AQI ୪୦୦ ଉପରେ ରହିଛି। ରାଜଧାନୀର ହାରାହାରି AQI ୩୩୧ ରେକର୍ଡ କରାଯାଇଛି, ଯାହାକି ଅତ୍ୟନ୍ତ ଖରାପ ଶ୍ରେଣୀରେ ଆସୁଛି। ସବୁଠାରୁ ଅଧିକ ପ୍ରଦୂଷିତ ଅଞ୍ଚଳ ଭାବେ ଜାହାଙ୍ଗୀରପୁରୀ ରହିଛି। ଏଠାରେ AQI ୪୪୭ ରେକର୍ଡ ହୋଇଛି।
#WATCH | Delhi: Air Quality Index (AQI) in the area around Anand Vihar is 278, categorised as 'Poor', as per the CPCB (Central Pollution Control Board). (VIsuals shot at 6:15 am) https://t.co/38wEIT95N6
— ANI (@ANI) November 3, 2026
ଦିଲ୍ଲୀର କେଉଁ ଅଞ୍ଚଳରେ କେତେ AQI?
ପ୍ରଦୂଷଣ ମାପ କେନ୍ଦ୍ରର ତଥ୍ୟ ଅନୁସାରେ, ଜାହାଙ୍ଗୀରପୁରୀରେ AQI ୪୪୭ ଥିବାବେଳେ ରୋହିଣୀରେ ୪୨୭, ପଞ୍ଜାବୀ ବାଗରେ ୪୨୫ ଏବଂ ଅଲିପୁରରେ ୪୧୧ ରେକର୍ଡ ହୋଇଛି। ସେହିପରି ବିବେକ ବିହାରରେ ୪୦୯, ବାୱାନାରେ ୪୦୭, DTU ଏବଂ ନରେଲାରେ ୪୦୪ ଲେଖାଏଁ AQI ରହିଛି। ଏହି ସମସ୍ତ ଅଞ୍ଚଳର ବାୟୁ ଗୁଣବତ୍ତା ଗମ୍ଭୀର ଶ୍ରେଣୀରେ ରହିଛି।
NCR ଅଞ୍ଚଳରେ ମଧ୍ୟ ପ୍ରଦୂଷଣର ପ୍ରଭାବ:
କେବଳ ଦିଲ୍ଲୀ ନୁହେଁ, ଏହାର ଆଖପାଖ ଜାତୀୟ ରାଜଧାନୀ ଅଞ୍ଚଳ (NCR) ରେ ମଧ୍ୟ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି। ମଙ୍ଗଳବାର ନୋଏଡାରେ AQI ୩୧୦ ରେକର୍ଡ ହୋଇଥିବାବେଳେ ଗୁରୁଗ୍ରାମରେ ୨୭୮ ଏବଂ ଗାଜିଆବାଦରେ ୨୬୨ ରହିଛି। ଅନ୍ୟପଟେ ଫରିଦାବାଦରେ AQI ୧୧୨ ରେକର୍ଡ ହୋଇଛି, ଯାହା ତୁଳନାତ୍ମକ ଭାବେ ଭଲ ସ୍ଥିତିରେ ରହିଛି। ଦିଲ୍ଲୀର ଆନନ୍ଦ ବିହାରରେ ମଧ୍ୟ AQI ୨୭୮ ରହିଥିବା CPCB ତଥ୍ୟରୁ ଜଣାପଡ଼ିଛି।
ପ୍ରଦୂଷଣ ରୋକିବାକୁ ଲାଗୁ ହେଲା GRAP-2
ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀରେ ସୋମବାରଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP)-2 ଲାଗୁ କରାଯାଇଛି। ଏହା ଅଧୀନରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଭିନ୍ନ କଟକଣା ଓ ନିରୀକ୍ଷଣ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗାଜିପୁର ସୀମାରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି। ଦିଲ୍ଲୀକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖାଯାଉଛି।
ଦୀପାବଳି ପୂର୍ବରୁ ଦିଲ୍ଲୀର ଏଭଳି ପ୍ରଦୂଷଣ ସ୍ଥିତି ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ଶିଶୁ, ବୟସ୍କ ଓ ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ବିଷାକ୍ତ ବାୟୁ ଅଧିକ ବିପଦ ସୃଷ୍ଟି କରିପାରେ।