Election Commission of India: ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଭାରତୀୟ ନିର୍ବାଚନ ଆୟୋଗ (ECI) ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଦିଲ୍ଲୀ ସମେତ ଦେଶର ୭ଟି ରାଜ୍ୟର ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ସମୟରେ ଡ୍ରାଫ୍ଟ ଭୋଟର ତାଲିକାରେ ସ୍ଥାନ ପାଇନାହିଁ, ସେମାନଙ୍କୁ ପୁଣିଥରେ ନାମ ପଞ୍ଜୀକରଣ କରିବାକୁ ସୁଯୋଗ ମିଳିବ। ଏହି ନିଷ୍ପତ୍ତି ଫଳରେ ଲକ୍ଷାଧିକ ଭୋଟର ଉପକୃତ ହୋଇପାରନ୍ତି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ନାଗାଲାଣ୍ଡର ଯୋଗ୍ୟ ଭୋଟରମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ସେମାନଙ୍କୁ ପୁଣିଥରେ ସାଧାରଣ ଫର୍ମ-୬ କିମ୍ବା ଫର୍ମ-୮ ପୂରଣ କରିବାକୁ ପଡ଼ିବ ନାହିଁ। ବରଂ ନୂଆ ଗଣନା ଫର୍ମ (Enumeration Form) ପୂରଣ କରି ନିଜ ନାମ ଭୋଟର ତାଲିକାରେ ସାମିଲ କରିବାକୁ ଆବେଦନ କରିପାରିବେ।
ନଭେମ୍ବର ୬, ୨୦୨୬ରେ ଜାରି ଏକ ଚିଠିରେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଯେଉଁ ଭୋଟରମାନଙ୍କୁ ଗଣନା ଫର୍ମ ଦିଆଯାଇଥିଲା, କିନ୍ତୁ କୌଣସି କାରଣରୁ ସେମାନଙ୍କ ଦ୍ୱାରା ପୂରଣ ହୋଇଥିବା ଫର୍ମ ଫେରସ୍ତ ମିଳିନଥିଲା, ସେମାନେ ଏବେ ପୁଣିଥରେ ଆବେଦନ କରିପାରିବେ।
କେଉଁମାନେ ପାଇବେ ଏହି ସୁଯୋଗ?
ନିର୍ବାଚନ ଆୟୋଗଙ୍କ ଅନୁସାରେ, ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ କିମ୍ବା ଏକାଧିକ ଥର ନାମ ଥିବା (ASDD) ଶ୍ରେଣୀରେ ଚିହ୍ନଟ ହୋଇ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ଏହି ସୁଯୋଗ ମିଳିବ। ଯେଉଁମାନେ ନିଜ ଠିକଣା ପରିବର୍ତ୍ତନ କରିନାହାନ୍ତି, କିନ୍ତୁ ନିର୍ଦ୍ଧାରିତ ସମୟରେ ଗଣନା ଫର୍ମ ଦାଖଲ କରିପାରିନଥିଲେ, ସେମାନେ ଏବେ ପୂରଣ ହୋଇଥିବା ଫର୍ମ ଦାଖଲ କରିପାରିବେ। ଏଥିସହ ପୂର୍ବରୁ ଫର୍ମ ଦାଖଲ କରିପାରିନଥିବାର କାରଣ ମଧ୍ୟ ଜଣାଇବାକୁ ପଡ଼ିବ।
ଠିକଣା ବଦଳାଇଥିଲେ କ'ଣ କରିବେ?
ଯେଉଁ ଭୋଟରମାନେ ସମାନ ରାଜ୍ୟ ମଧ୍ୟରେ ଅନ୍ୟ ଏକ ସ୍ଥାନକୁ ଚାଲିଯାଇଛନ୍ତି, ସେମାନଙ୍କୁ ଠିକଣା ପରିବର୍ତ୍ତନ ପାଇଁ ଅଲଗା ଭାବେ ଫର୍ମ-୮ ଦାଖଲ କରିବାକୁ ପଡ଼ିବ ନାହିଁ। ସେମାନେ ଗଣନା ଫର୍ମ ସହ ନୂଆ ଠିକଣା, ବିଧାନସଭା କ୍ଷେତ୍ରର ବିବରଣୀ ଓ ଠିକଣା ପ୍ରମାଣ ଦାଖଲ କରିପାରିବେ।
ବାସହୀନ ଭୋଟରଙ୍କ ପାଇଁ ମଧ୍ୟ ବ୍ୟବସ୍ଥା:
ଯେଉଁ ଭୋଟରଙ୍କ ପାଖରେ ଠିକଣା ସମ୍ବନ୍ଧୀୟ କୌଣସି ଦସ୍ତାବିଜ ନାହିଁ ଏବଂ ସେମାନେ ବାସହୀନ, ସେମାନଙ୍କ କ୍ଷେତ୍ରରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ କ୍ଷେତ୍ର ପରିଦର୍ଶନ ଓ ଯାଞ୍ଚ ରିପୋର୍ଟକୁ ବାସସ୍ଥାନ ପ୍ରମାଣ ଭାବେ ଗ୍ରହଣ କରାଯିବ। ଅନ୍ୟପଟେ, SIR ସମୟରେ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ ପାଇଁ ଯେଉଁମାନେ ପୂର୍ବରୁ ଫର୍ମ-୬ ଦାଖଲ କରିଛନ୍ତି, ସେମାନଙ୍କୁ ପୁଣିଥରେ ଗଣନା ଫର୍ମ ଦେବାକୁ ପଡ଼ିବ ନାହିଁ।
ଘରକୁ ଘର ବୁଲି ଭୋଟରଙ୍କୁ ଯୋଗାଯୋଗ କରିବେ BLO:
ଭୋଟରଙ୍କୁ ଏହି ସୁଯୋଗ ବିଷୟରେ ଜଣାଇବା ପାଇଁ ନିର୍ବାଚନ ଆୟୋଗ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀ (BLO) ଘରକୁ ଘର ବୁଲି ଯୋଗ୍ୟ ଭୋଟରଙ୍କ ସହ ଯୋଗାଯୋଗ କରିବେ ଏବଂ ସେମାନଙ୍କୁ ନୂଆ ଗଣନା ଫର୍ମ ଯୋଗାଇଦେବେ। ଏହାବ୍ୟତୀତ ହ୍ୱାଟ୍ସଆପ୍, ଇ-ମେଲ୍ ଓ SMS ମାଧ୍ୟମରେ ମଧ୍ୟ ଭୋଟରଙ୍କୁ ସୂଚନା ଦିଆଯିବ।
ଏଥିସହ ଯେଉଁ ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଛି, ସେମାନଙ୍କ ନାମ ଓ ବାଦ୍ ପଡ଼ିବାର କାରଣ ଥିବା ବୁଥ୍ ଅନୁସାରେ ପ୍ରସ୍ତୁତ ତାଲିକାକୁ ପୁଣିଥରେ ଭୋଟ୍ ଗ୍ରହଣ କେନ୍ଦ୍ର ଓ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟରେ ପ୍ରଦର୍ଶିତ କରାଯିବ। ସମ୍ପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍ରେ ମଧ୍ୟ ଏହି ତାଲିକା ଉପଲବ୍ଧ ହେବ।
କିପରି ଭୋଟର ତାଲିକାରେ ପୁଣି ଯୋଡ଼ିହେବ ନାମ?
ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଦାଖଲ ହୋଇଥିବା ଆବେଦନଗୁଡ଼ିକର ଯାଞ୍ଚ କରିବେ। ନିର୍ବାଚନ ପଞ୍ଜୀକରଣ ନିୟମ, ୧୯୬୦ର ନିୟମ ୨୧(୧) ଅନୁସାରେ ଆବେଦନଗୁଡ଼ିକର ଯାଞ୍ଚ କରାଯିବ। ଯେଉଁ ଆବେଦନଗୁଡ଼ିକ ଯୋଗ୍ୟ ବିବେଚିତ ହୋଇ ଅନୁମୋଦନ ପାଇବ, ସେହି ଭୋଟରଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ କରାଯିବ। ସବୁଠାରୁ ବଡ଼ କଥା ହେଉଛି, ଏହି ଭୋଟରଙ୍କ ପୁରୁଣା EPIC ନମ୍ବର ମଧ୍ୟ ବଳବତ୍ତର ରହିବ।
ECIଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସର ପ୍ରଶ୍ନ:
ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ 'ୟୁ-ଟର୍ଣ୍ଣ' ବୋଲି କହିଛି। ଭୁଲ୍ ଭାବେ ଭୋଟରଙ୍କ ନାମ ହଟାଯିବା ଓ ମତଦାତାଙ୍କୁ ଭୋଟ୍ ଦେବାରୁ ବଞ୍ଚିତ କରାଯିବା ଅଭିଯୋଗକୁ ଏହା ବିଳମ୍ବରେ ସ୍ୱୀକାର କରିବା ସହ ସମାନ ବୋଲି ଦଳ କହିଛି। ଏହାସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା କିମ୍ବା ତାଙ୍କୁ ପଦରୁ ହଟାଇବା ଦାବିକୁ ଦୋହରାଇଛି। SIR ପ୍ରକ୍ରିୟାକୁ ବନ୍ଦ କରିବାକୁ ମଧ୍ୟ କଂଗ୍ରେସ ଦାବି କରିଛି। ଅନ୍ୟପଟେ ନିର୍ବାଚନ ଆୟୋଗ କହିଆସୁଛନ୍ତି ଯେ, SIR ପ୍ରକ୍ରିୟାକୁ ସୁପ୍ରିମକୋର୍ଟଙ୍କ ବୈଧତା ମିଳିଛି।
ସୁପ୍ରିମକୋର୍ଟରେ ମଧ୍ୟ ଚାଲିଛି ଶୁଣାଣି:
SIR ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିବା ଲୋକଙ୍କୁ ପୁଣିଥରେ ସୁଯୋଗ ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ଜାରି ରହିଛି। ଏଭଳି ସମୟରେ ନିର୍ବାଚନ ଆୟୋଗଙ୍କ ନୂଆ ନିଷ୍ପତ୍ତି ଲକ୍ଷାଧିକ ପ୍ରଭାବିତ ଭୋଟରଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ଯୋଗ୍ୟ ଭୋଟରମାନେ ନିଜ ନାମ ପୁଣିଥରେ ତାଲିକାରେ ସାମିଲ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ ରଖିବା ଜରୁରୀ।