CJP Leader Saurav Das: କକ୍ରୋଚ୍ ଜନତା ପାର୍ଟି (CJP) ନେତା ତଥା ମୁଖପାତ୍ର ସୌରଭ ଦାସଙ୍କୁ ନେଇ ଆଇନଗତ ବିବାଦ ଦେଖାଦେଇଛି। ତାଙ୍କ ନାଗରିକତା, ପରିଚୟ ଓ ବ୍ୟକ୍ତିଗତ ପୃଷ୍ଠଭୂମିର ଯାଞ୍ଚ ସହ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ଲକ୍ କରିବା ଦାବିରେ ଦାଖଲ ଏକ ଜନସ୍ୱାର୍ଥ ମାମଲାରେ ମାଡ୍ରାସ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି।
କାଞ୍ଚିପୁରମ୍ ଜିଲ୍ଲାର ବ୍ୟବସାୟୀ ଗଣେଶ କୁମାର ଏହି ଯାଚିକା ଦାଖଲ କରିଛନ୍ତି। ଅକ୍ଟୋବର ୩୦ ତାରିଖରେ ମୁଖ୍ୟ ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଏବଂ ବିଚାରପତି ଜି. ଅରୁଲମୁରୁଗନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି କେନ୍ଦ୍ର ସରକାର, ସୌରଭ ଦାସ ଏବଂ ଅନ୍ୟ ପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୬ ସପ୍ତାହ ପରେ ହେବ।
କ’ଣ ଦାବି କରିଛନ୍ତି ଆବେଦନକାରୀ?
ଆବେଦନକାରୀ ସୌରଭ ଦାସଙ୍କ ନାଗରିକତା, ପ୍ରକୃତ ପରିଚୟ ଏବଂ ପାରିବାରିକ ପୃଷ୍ଠଭୂମିର ବିସ୍ତୃତ ଯାଞ୍ଚ ପାଇଁ ଦାବି କରିଛନ୍ତି। ଯଦି ତଦନ୍ତରୁ ସେ ଭାରତୀୟ ନାଗରିକ ନୁହନ୍ତି ବୋଲି ଜଣାପଡ଼େ, ତେବେ ତାଙ୍କ ପାସପୋର୍ଟ ଓ ଆଧାର କାର୍ଡ ବାତିଲ୍ କରିବାକୁ ମଧ୍ୟ ଯାଚିକାରେ ଅନୁରୋଧ କରାଯାଇଛି।
ଏହା ସହିତ ସୁପ୍ରିମକୋର୍ଟର ବିଚାରପତି ଓ ନ୍ୟାୟପାଳିକା ସମ୍ପର୍କରେ ସେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ତାଙ୍କ X ଏବଂ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ବ୍ଲକ୍ କରିବାକୁ ଆବେଦନକାରୀ ଦାବି କରିଛନ୍ତି।
ଫଣ୍ଡିଂ ଓ ପରିଚୟପତ୍ରକୁ ନେଇ ମଧ୍ୟ ଯାଞ୍ଚ ଦାବି:
ଆବେଦନକାରୀଙ୍କ ପକ୍ଷରୁ ଓକିଲ ବି. ଜଗନ୍ନାଥ ଅଦାଲତରେ ଯୁକ୍ତି ରଖି କହିଥିଲେ ଯେ, ନ୍ୟାୟପାଳିକାକୁ ନେଇ ଅପମାନଜନକ ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ। ସୌରଭ ଦାସ କିପରି ଆଧାର କାର୍ଡ ଓ ପାସପୋର୍ଟ ପାଇଲେ, ତାଙ୍କୁ କେଉଁଠାରୁ ଏବଂ କାହା ଦ୍ୱାରା ଆର୍ଥିକ ସହାୟତା ମିଳୁଛି, ସେସବୁର ଯାଞ୍ଚ କରିବାକୁ ମଧ୍ୟ ଆବେଦନରେ କୁହାଯାଇଛି।
ଆବେଦନକାରୀଙ୍କ ମତରେ, ଏହି ସମସ୍ତ ଦିଗର ଯାଞ୍ଚ ହେଲେ ଆର୍ଥିକ ସହାୟତାର ଉତ୍ସ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହୋଇପାରିବ। ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ କୁହାଯାଇଛି।
୬ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି:
ଏହି ମାମଲାରେ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସମେତ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। X ଏବଂ ଇନଷ୍ଟାଗ୍ରାମ୍ର ଅଭିଯୋଗ ନିବାରଣ ଅଧିକାରୀଙ୍କୁ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।
ତେବେ ଏହି ପର୍ଯ୍ୟାୟରେ ଅଦାଲତ ସୌରଭ ଦାସଙ୍କ ନାଗରିକତା କିମ୍ବା ପରିଚୟକୁ ନେଇ କୌଣସି ନିଷ୍କର୍ଷ ଦେଇନାହାନ୍ତି। ତାଙ୍କ ପାସପୋର୍ଟ, ଆଧାର କାର୍ଡ ବାତିଲ୍ କିମ୍ବା ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ଲକ୍ କରିବାକୁ ମଧ୍ୟ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ଏବେ ସମସ୍ତ ପକ୍ଷଙ୍କ ଜବାବ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।