ନୂଆଦିଲ୍ଲୀ: ଆଜି ଉତ୍ତର ଭାରତର ଅନେକ ସ୍ଥାନରେ ପାଣିପାଗ ବଦଳି ଯାଇଛି। ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ଥଣ୍ଡା ଅନୁଭୂତ ହୋଇଛି। ବର୍ଷା ପୂର୍ବରୁ ପ୍ରବଳ ଧୂଳିଝଡ଼ ହୋଇଥିଲା । ଅନେକ ସ୍ଥାନରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି ।
ଗୁରୁବାର ସକାଳୁ ହିଁ ଦିଲ୍ଲୀର ପାଣିପାଗରେ ପରିବର୍ତ୍ତନ ଦେଖାଯାଇଥିଲା। ଅପରାହ୍ନରେ ଖୁବ ବର୍ଷା ହୋଇଥିଲା। ହଠାତ ହୋଇଥିବା ଏହି ବର୍ଷା ଯୋଗୁଁ ପାଣିପାଗ ଅତି ମନୋରମ ହୋଇଯାଇଥିଲା। ଅନ୍ୟପଟେ, ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଦିନ ବେଳେ ହିଁ ଅନେକ ସ୍ଥାନରେ ଅନ୍ଧାର ଛାଇ ଯାଇଥିଲା। ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ ସହରର ତାପମାତ୍ରାରେ ହ୍ରାସ ଅନୁଭବ ହୋଇଛି। ପ୍ରବଳ ପବନ ପରେ ହୋଇଥିବା ବର୍ଷା ଲୋକଙ୍କୁ ଏକ ଆରାମଦାୟକ ପାଣିପାଗର ଅନୁଭୂତି ଦେଇଛି। ତେବେ ବର୍ଷା କାରଣରୁ ରାସ୍ତାକୁ ବାହାରୁଥିବା ଗାଡ଼ି ଚାଳକମାନଙ୍କୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
ନୂଆ ପଶ୍ଚିମା ଝଡ଼ ସକ୍ରିୟ:
ପାଣିପାଗ ବିଭାଗ ଅନୁଯାୟୀ, ଏକ ନୂଆ ପଶ୍ଚିମା ଝଡ଼ ସକ୍ରିୟ ହୋଇଛି । ପାଣିପାଗ ବିଭାଗ ୧୫ ଅକ୍ଟୋବରରେ ନୋଏଡା, ଗାଜିଆବାଦ ସମେତ ଅନେକ ଜିଲ୍ଲାରେ ବର୍ଷା ପାଇଁ ଆଲର୍ଟ ଜାରି କରିଥିଲା। ଏହାର ପ୍ରଭାବ ଆଜି ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ଅର୍ଥାତ ୧୬ ଅକ୍ଟୋବରରେ ମଧ୍ୟ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ନୋଏଡା, ଗାଜିଆବାଦ, ମେରଠ, ବାଗପତ, ସହାରନପୁର, ଶାମଲି, ମୁଜାଫରନଗର, ବିଜନୌର, ବଦାୟୁଁର ଅନେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଡ଼ତୋଫାନ ହେବାର ମଧ୍ୟ ଆଶଙ୍କା ରହିଛି।
ବର୍ଷା ପରେ ପାଣିପାଗରେ ଥଣ୍ଡା ଅନୁଭୂତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ନୋଏଡା, ଗାଜିଆବାଦ ଏବଂ ଆଖପାଖ ଜିଲ୍ଲାଗୁଡ଼ିକରେ ୨୫ ଅକ୍ଟୋବର ପରେ ତାପମାତ୍ରା ଅଧିକ ହ୍ରାସ ପାଇବ। ସର୍ବନିମ୍ନ ତାପମାତ୍ରା କମିବ। ରାତିରେ ମଧ୍ୟ ପାଣିପାଗ ଥଣ୍ଡା ରହିବ। ଅକ୍ଟୋବର ଶେଷ ସପ୍ତାହ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରୁ ଥଣ୍ଡା ଆରମ୍ଭ ହୋଇଯାଇପାରେ।
ଆଗାମୀ କିଛି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ଘଟିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ୧୧ ଅକ୍ଟୋବରରେ ମଧ୍ୟ ସାମାନ୍ୟ ଝିପିଝିପି ବର୍ଷା ହୋଇଥିଲା। କିନ୍ତୁ ତା’ପରେ ପାଣିପାଗରେ ସେଭଳି କିଛି ବଡ଼ ପରିବର୍ତ୍ତନ ଦେଖାଯାଇନଥିଲା। ଗୁରୁବାର ଦିନ ହୋଇଥିବା ବର୍ଷା ଏବଂ ପ୍ରବଳ ପବନ ଲୋକଙ୍କୁ ଗରମରୁ ବଡ଼ ଆଶ୍ୱସ୍ତି ଦେଇଛି।