ଗ୍ରାହକଙ୍କୁ ଝଟକା! କ୍ଷୀର ଦର ବଢାଇଲେ ୨ଟି କମ୍ପାନୀ
ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ପକ୍ଷରୁ ବୁଧବାର ଦିନ ସ୍ପଷ୍ଟ କରାଯାଇଛି ଯେ, ୧୨ ନଭେମ୍ବରରୁ ଅମୂଲ କ୍ଷୀରର ବିଭିନ୍ନ ବ୍ରାଣ୍ଡ୍ ଉପରେ ଲିଟର ପିଛା ୨ ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଲାଗୁ ହେବ। ଅମୂଲ ପୂର୍ବରୁ କିଛି ଘଣ୍ଟା ଆଗରୁ ମଦର ଡାଏରୀ ମଧ୍ୟ କ୍ଷୀର ଦର ବୃଦ୍ଧି କରିବା ନେଇ ଘୋଷଣା କରିଥିଲା।
ନୂଆଦିଲ୍ଲୀ: ପ୍ରଥମେ ମଦର ଡାଏରୀ ଏବଂ ତା ପରେ ଅମୂଲ କ୍ଷୀର ଦର ବଢ଼ାଇଛି । ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (GCMMF) ପକ୍ଷରୁ ଘୋଷଣା କରାଯାଇଛି ଯେ, ୧୨ ନଭେମ୍ବରରୁ ଅମୂଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସାରା ଦେଶରେ ଅମୂଲର ଯେତେ ବି ସ୍ୱତନ୍ତ୍ର ପାଉଚ୍ କ୍ଷୀର ଆସୁଛି, ସେଗୁଡ଼ିକର ଦର ୪% ରୁ ୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
୧୨ ନଭେମ୍ବରରୁ ଆପଣଙ୍କୁ ପ୍ରତି ଲିଟର ପିଛା ୨ ରୁ ୪ ଟଙ୍କା ଅଧିକ ଦେବାକୁ ପଡ଼ିବ। କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଭିନ୍ନ ପ୍ରକାର କ୍ଷୀର ଏବଂ ପାଉଚ୍ ସାଇଜ୍ ହିସାବରେ ଏହି ମୂଲ୍ୟ ସ୍ଥିର କରାଯାଇଛି। ଅମୂଲ ବଜାରରେ ଅନେକ ପ୍ରକାର କ୍ଷୀର ବିକ୍ରି କରିଥାଏ। ଏହି ସବୁକୁ ଅଲଗା ଅଲଗା ଫ୍ୟାଟ୍ ପରିମାଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଦର ବୃଦ୍ଧିର ପ୍ରଭାବ ଅମୂଲର ପ୍ରାୟ ସବୁ ଲୋକପ୍ରିୟ ପ୍ରଡକ୍ଟସ୍ ଉପରେ ଦେଖିବାକୁ ମିଳିବ। ଏହି ବର୍ଷ ଅମୂଲ ପକ୍ଷରୁ ଦ୍ୱିତୀୟ ଥର ପାଇଁ ଦର ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ମେ ୨୦୨୬ ରେ ଦର ବୃଦ୍ଧି କରାଯାଇଥିଲା।
ବର୍ଦ୍ଧିତ ମୂଲ୍ୟ ପରେ ଦର ବିଷୟରେ କହିବାକୁ ଗଲେ, ଟୋଣ୍ଡ ମିଲ୍କ ଅର୍ଥାତ୍ ଅମୂଲ ତାଜା (Amul Taaza) ୨ ଟଙ୍କା ମହଙ୍ଗା ହୋଇ ଲିଟର ପିଛା ୬୨ ଟଙ୍କା ହୋଇଯାଇଛି। ଅମୂଲର ସବୁଠାରୁ ଲୋକପ୍ରିୟ ଫୁଲ୍-କ୍ରିମ୍ ମିଲ୍କ ଅର୍ଥାତ୍ ଅମୂଲ ଗୋଲ୍ଡ (Amul Gold) ୪ ଟଙ୍କା ମହଙ୍ଗା ହୋଇ ଲିଟର ପିଛା ୭ ଟଙ୍କାରେ ମିଳିବ। ଏହା ବ୍ୟତୀତ ଅମୂଲ ଶକ୍ତି ଏବଂ ଅମୂଲ ଟି ସ୍ପେଶାଲ୍ ମୂଲ୍ୟରେ ମଧ୍ୟ ଏହି ଅନୁପାତରେ ପରିବର୍ତ୍ତନ କରାଯାଇଛି। ୧୨ ନଭେମ୍ବରରୁ ସାରା ଦେଶରେ ନୂଆ ରେଟ୍ କାର୍ଡ ହିସାବରେ କ୍ଷୀର ବିକ୍ରି ହେବ।
ଅମୂଲ ପକ୍ଷରୁ ଦିଆଯାଇଥିବା ଆଧିକାରିକ ବୟାନରେ କୁହାଯାଇଛି ଯେ, ବିଗତ କିଛି ମାସ ମଧ୍ୟରେ କ୍ଷୀର ଉତ୍ପାଦନ, ପ୍ରୋସେସିଂ, ପ୍ୟାକେଜିଂ ଏବଂ ପରିବହନରେ ବ୍ୟବହାର ହେଉଥିବା ତେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସବୁଜ ଏବଂ ଶୁଖିଲା ନଡ଼ା/ଘାସ ମଧ୍ୟ ବହୁତ ମହଙ୍ଗା ହୋଇଯାଇଛି। ଏହା ବ୍ୟତୀତ ଗୋଖାଦ୍ୟ ଯେପରିକି ପିଡ଼ିଆ, ମକା ଏବଂ ଚୋକଡ଼ର ଦାମ ଆକାଶଛୁଆଁ ହୋଇଛି। ଗୁଜରାଟ ବ୍ୟତୀତ ଦେଶର ଅନେକ ସ୍ଥାନରେ ଏହି ବର୍ଷ କମ୍ ଏବଂ ଅନିଶ୍ଚିତ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ କ୍ଷୀରର ଉତ୍ପାଦନ ଖର୍ଚ୍ଚ ବହୁତ ବଢ଼ିଯାଇଛି। ଅମୂଲର କହିବା କଥା ଯେ, ଚାଷୀ ଏବଂ ପଶୁପାଳକମାନଙ୍କୁ ଏହି ମୁସ୍କିଲ ସମୟରୁ ରକ୍ଷା କରିବା ପାଇଁ ଦର ବୃଦ୍ଧି କରିବା ଜରୁରୀ ହୋଇପଡ଼ିଥିଲା।
ଚାଷୀଙ୍କ ପାଖକୁ ଯାଏ ୮୦% ଟଙ୍କା
ଅମୂଲ ଏକ କୋ-ଅପରେଟିଭ୍ ଷ୍ଟ୍ରକ୍ଚର ଅର୍ଥାତ୍ ସମବାୟ ବ୍ୟବସ୍ଥା ଆଧାରରେ କାମ କରେ। ଅମୂଲ ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଗ୍ରାହକଙ୍କ ଠାରୁ ମିଳୁଥିବା ପ୍ରତି ୧୦୦ ଟଙ୍କାରୁ ପ୍ରାୟ ୮୦ ଟଙ୍କା ସିଧାସଳଖ ୩୬ ଲକ୍ଷ କ୍ଷୀର ଉତ୍ପାଦନକାରୀ ଚାଷୀଙ୍କ ପାଖକୁ ଯାଇଥାଏ। ବିଗତ ଏକ ବର୍ଷ ମଧ୍ୟରେ ଅମୂଲ ଚାଷୀଙ୍କୁ ମିଳୁଥିବା କ୍ରୟ ମୂଲ୍ୟରେ ୪ ରୁ ୫ ପ୍ରତିଶତ ବୃଦ୍ଧି କରିଛି। କମ୍ପାନୀ ଅନୁସାରେ ଖୁଚୁରା ମୂଲ୍ୟରେ କରାଯାଇଥିବା ଏହି ବୃଦ୍ଧିର ସବୁଠାରୁ ବଡ଼ ଭାଗ ସିଧାସଳଖ ସେହି ଚାଷୀମାନଙ୍କ ପାଖକୁ ଯିବ, ଯେପରି ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପଶୁପାଳନ ଏବଂ କ୍ଷୀର ଉତ୍ପାଦନ ଜାରି ରଖିପାରିବେ।
ମଦର ଡାଏରୀ ମଧ୍ୟ ବଢ଼ାଇଛି ଦର
ଅମୂଲର ଘୋଷଣା ପୂର୍ବରୁ କିଛି ଘଣ୍ଟା ଆଗରୁ ଦିଲ୍ଲୀ-ଏନସିଆର ଏବଂ ଆଖପାଖ ବଜାରରେ ବଡ଼ ସେୟାର ରଖିଥିବା କମ୍ପାନୀ ମଦର ଡାଏରୀ ମଧ୍ୟ କ୍ଷୀର ଦର ବୃଦ୍ଧି କରିବା ନେଇ ଘୋଷଣା କରିଥିଲା। ଦୁଇ ପ୍ରମୁଖ କମ୍ପାନୀ ପକ୍ଷରୁ ହଠାତ୍ ଦର ବୃଦ୍ଧି କରାଯିବା ଦ୍ୱାରା ମଧ୍ୟବିତ୍ତ ଏବଂ ନିମ୍ନ-ମଧ୍ୟବିତ୍ତ ପରିବାରର ରୋଷେଇ ବଜେଟ୍ ଉପରେ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Also Read- ଆଇଆଇଟି ରାମ୍ପ ଡିଜାଇନର ସମୀକ୍ଷା ପରେ ନାକଚ କଲେ ଶ୍ରୀମନ୍ଦିର ପରିଚାଳନା କମିଟି