1.Odisha Weather Update: ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେବ ଶୀତର ପ୍ରକୋପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରିକାଳୀନ ତାପମାତ୍ରା ହ୍ରାସ ପାଇବ। ତେବେ ଏହାପରେ ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
2.Odisha Temperature: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରଭାବ ଅନୁଭୂତ ହେଉଛି। ବିଭିନ୍ନ ସହରରେ ରାତିର ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱରରେ ସର୍ବନିମ୍ନ ରାତି ତାପମାତ୍ରା ୧୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରହିଥିବା ବେଳେ ରାଉରକେଲାରେ ୧୫.୭ ଡିଗ୍ରୀ ଓ ହୀରାକୁଦରେ ୧୬ ଡିଗ୍ରୀ ରେକର୍ଡ ହୋଇଛି। ଏହାସହ ସମ୍ବଲପୁରରେ ୧୬.୨ ଡିଗ୍ରୀ ଏବଂ କେନ୍ଦୁଝରରେ ୧୬.୬ ଡିଗ୍ରୀ ସେଲସିୟସ୍ ରହିଛି। ବିଭିନ୍ନ ସହରରେ ରାତିର ତାପମାତ୍ରା କମିବା ସହ ଶୀତର ଅନୁଭୂତି ବଢ଼ିବାରେ ଲାଗିଛି।
3.Royal Bengal Tiger: ଡେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ଦେଖିବାକୁ ମିଳିଲା ମହାବଳ ବାଘର ରୋମାଞ୍ଚକର ଦୃଶ୍ୟ। ଏକ ରୟାଲ ବେଙ୍ଗଲ ଟାଇଗର ସମ୍ବର ଶିକାର କରି ଖାଉଥିବା ବେଳେ ତାହାକୁ ନିଜ ଆଖିରେ ଦେଖିଛନ୍ତି ପର୍ଯ୍ୟଟକ। ସୂଚନା ଅନୁସାରେ, ଗତକାଲି ଡେବ୍ରିଗଡ଼ ଅଭୟାରଣ୍ୟରେ ଏକ ମହାବଳ ବାଘ ଦେଖାଯାଇଥିଲା। ଏହି ସମୟରେ କିଛି ପର୍ଯ୍ୟଟକ ବାଘଟି ଏକ ସମ୍ବରକୁ ଶିକାର କରି ଖାଉଥିବାର ଦୃଶ୍ୟ ଦେଖିଥିଲେ। ଜଙ୍ଗଲ ଭିତରେ ବାଘର ଏଭଳି ପ୍ରାକୃତିକ ଶିକାର ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ବେଶ୍ ରୋମାଞ୍ଚକର ଅନୁଭୂତି ପାଲଟିଛି। ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘର ଏହି ଦୃଶ୍ୟ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି।
4.Mahanadi Dispute: ମହାନଦୀର ସୁରକ୍ଷା ଓ ଜଳ ପ୍ରବାହ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବା ଦାବିରେ ଆଜି ରାଜଧାନୀ ଭୁବନେଶ୍ୱରରେ ଗଣବିକ୍ଷୋଭ କରାଯିବ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଗଣବିକ୍ଷୋଭରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଏବଂ ମହାନଦୀର ସୁରକ୍ଷାକୁ ନେଇ ଚିନ୍ତିତ ବ୍ୟକ୍ତିବିଶେଷ ସାମିଲ ହେବେ। ମହାନଦୀର ଉପରମୁଣ୍ଡରେ କେତେ ପରିମାଣର ଜଳ ଉପଲବ୍ଧ ରହିଛି, ସେ ସମ୍ପର୍କରେ ସମସ୍ତ ତଥ୍ୟ କେନ୍ଦ୍ରୀୟ ଜଳ ଆୟୋଗ ସାର୍ବଜନୀନ କରୁ ବୋଲି ଆନ୍ଦୋଳନକାରୀଙ୍କ ଦାବି ରହିଛି। ଏହି ଦାବିକୁ ନେଇ ଆଜି ଗଣବିକ୍ଷୋଭ ମାଧ୍ୟମରେ ପ୍ରତିବାଦ ଜଣାଇବେ ଆନ୍ଦୋଳନକାରୀ।
5.Odisha Cabinet: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତ ଖରିଫ ଋତୁରେ ୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହାସହ ରାଜ୍ୟର ୬୦୧ଟି ସରକାରୀ ମହାବିଦ୍ୟାଳୟରେ ମାଗଣା ୱାଇଫାଇ ସୁବିଧା ସହ ପ୍ରତିଦିନ ୧ ଜିବି ଡାଟା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ପଞ୍ଚାୟତ ଏକ୍ସଟେନ୍ସନ୍ ଅଫିସର ବା PEO ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ କରାଯାଇଛି। ସେହିପରି ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପରୀକ୍ଷାରେ ଆବେଦନକାରୀଙ୍କ ପାଇଁ ଥିବା ପ୍ରୟାସ ସୀମା ଉଚ୍ଛେଦ କରାଯାଇଛି। ଏଣିକି ନିର୍ଦ୍ଧାରିତ ବୟସ ସୀମା ଓ ଅନ୍ୟ ଯୋଗ୍ୟତା ପୂରଣ କରୁଥିବା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ।
6.Ama Bus Accident: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଆଟୋପୁରଠାରେ କ୍ରୁଟ୍ ଆମ ବସ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ତିନି ଜଣ ମହିଳା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତିନି ଜଣ ମହିଳା ଏକ ସ୍କୁଟିରେ ପୁରୁଣା ସହରରୁ କେନ୍ଦୁଝର ସହର ଅଭିମୁଖେ ଯାଉଥିବା ବେଳେ ଆଟୋପୁର ନିକଟରେ କ୍ରୁଟ୍ ଆମ ବସ୍ ସହ ସେମାନଙ୍କ ସ୍କୁଟିର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
7.Acciddent: ଗ୍ରୀସ୍ର କ୍ରେଟ୍ ଦ୍ୱୀପ ନିକଟରେ ଏକ ଡଙ୍ଗାରୁ ୧୩ ଜଣ ପ୍ରବାସୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୮ ଜଣଙ୍କୁ ଜୀବିତ ଉଦ୍ଧାର କରିଛି ଗ୍ରୀକ୍ ତଟରକ୍ଷୀ ବାହିନୀ। ସୋମବାର ପ୍ରତ୍ୟୁଷରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ତେବେ ପ୍ରବାସୀମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଧିକାରୀଙ୍କ ସୂଚନା ଅନୁସାରେ, ଡଙ୍ଗାଟି ଅନେକ ଦିନ ଧରି ସମୁଦ୍ର ମଧ୍ୟରେ ଫସି ରହିଥିଲା। ପ୍ରବଳ ପବନ ଯୋଗୁଁ ଡଙ୍ଗାଟି କୂଳରେ ପହଞ୍ଚିବାକୁ ସଂଘର୍ଷ କରୁଥିଲା। ଉଦ୍ଧାର ସମୟରେ ବଞ୍ଚିଥିବା ଲୋକମାନେ ଥଣ୍ଡାରେ ଥରୁଥିବା ଜଣେ ଅଧିକାରୀ କହିଛନ୍ତି। ଅନ୍ୟ ଜଣେ ତଟରକ୍ଷୀ ଅଧିକାରୀଙ୍କ କହିବା ଅନୁସାରେ, ଡାକ୍ତରଖାନାକୁ ନିଆଯାଇଥିବା ଚାରି ଜଣଙ୍କ ମଧ୍ୟରେ ଜଣେ ଛୋଟ ପିଲା ମଧ୍ୟ ରହିଛି। ଅନ୍ୟ ଉଦ୍ଧାର ହୋଇଥିବା ଲୋକଙ୍କୁ କ୍ରେଟ୍ରେ ଥିବା ପ୍ରବାସୀ କେନ୍ଦ୍ରକୁ ନିଆଯିବ।
8.Srimandir Viral Video: ପୁଣି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ୍। ଶ୍ରୀମନ୍ଦିର ଭିତର ବେଢ଼ା ସମେତ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ସୂଚନା ଅନୁସାରେ, ୪ ଦିନ ତଳେ 'flywithminu' ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ୍ ସହ ବେଳାଭୂମିର ଦୃଶ୍ୟ ଥିବା ଏକ ଭିଡିଓ ପୋଷ୍ଟ ହୋଇଥିଲା। ସେହିପରି ଅକ୍ଟୋବର ୩୧ ତାରିଖରୁ 'sailor lens' ନାମକ ଅନ୍ୟ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଶ୍ରୀମନ୍ଦିର ଭିତର ବେଢ଼ାର ଡ୍ରୋନ୍ ଭିଜୁଆଲ୍ ଭାଇରାଲ୍ ହେଉଛି।
9.Pawan Kalyan: ଦକ୍ଷିଣ ଭାରତୀୟ ସିନେମା ଜଗତ ଓ ରାଜନୈତିକ ମହଲରେ ଚର୍ଚ୍ଚା। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଅଭିନେତା ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଆନା କୋନିଡେଲା ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ୧୩ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବା ନେଇ ଉଭୟ ଏକ ମିଳିତ ବିବୃତି ଜାରି କରିଛନ୍ତି। ପବନ କଲ୍ୟାଣଙ୍କ ଇନଷ୍ଟାଗ୍ରାମ ପେଜ୍ରେ ପୋଷ୍ଟ ହୋଇଥିବା ଏହି ବିବୃତିରେ ଉଭୟ କହିଛନ୍ତି ଯେ, ପରସ୍ପରର ସହମତି ଓ ସମ୍ମାନକୁ ଗୁରୁତ୍ୱ ଦେଇ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି।
10.Turky Accident: ତୁର୍କୀର ଇଜମିର ସହରରୁ ଆସିଛି ଏକ ଦୁଃଖଦ ଶିଳ୍ପ ଦୁର୍ଘଟଣାର ଖବର। ଏକ ଲୁହା ଓ ଇସ୍ପାତ କାରଖାନାରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୧୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କିଛି ମୁହୂର୍ତ୍ତ ମଧ୍ୟରେ କାରଖାନା ପରିସରରେ ନିଆଁ ଓ ଧୂଆଁର ବିଶାଳ ଆସ୍ତରଣ ଛାଇ ଯାଇଥିଲା। ଫଳରେ ସେଠାରେ ଆତଙ୍କ ଓ ଅଫରାତଫରି ସୃଷ୍ଟି ହୋଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯିବ।