Erasama Super Cyclone: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଦେଖିଥିଲା ପ୍ରକୃତିର ଭୟଙ୍କର ତାଣ୍ଡବ। ସେହି ମହାବାତ୍ୟାକୁ ଆଜି ୨୭ ବର୍ଷ ପୂରିଛି। ଦୀର୍ଘ ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ମହାବାତ୍ୟାର ସେହି ଭୟାବହ ଦୃଶ୍ୟ ଓ ଆତ୍ମୀୟସ୍ୱଜନଙ୍କୁ ହରାଇବାର ଦୁଃଖ ଆଜି ବି ଲୋକଙ୍କ ମନରୁ ଲିଭିନାହିଁ। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ମହାବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଆୟୋଜିତ ହୋଇଛି ସ୍ମୃତିଚାରଣ ସଭା।
ଦହିବର ଗାଁରେ ମୃତ୍ୟୁର ତାଣ୍ଡବ, ଚାଲିଯାଇଥିଲା ୫୮୭ ଜୀବନ:
୧୯୯୯ର ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏରସମା ବ୍ଲକ୍ର ଜପା ପଞ୍ଚାୟତ ଅନ୍ତର୍ଗତ ଦହିବର ଗାଁରେ ପରିସ୍ଥିତି ଅତ୍ୟନ୍ତ ହୃଦୟବିଦାରକ ଥିଲା। ପ୍ରବଳ ପବନ ଓ ଜଳପ୍ରଳୟରେ ଗାଁର ଘରଦ୍ୱାର ଧ୍ୱଂସ ହୋଇଯାଇଥିଲା। ଗାଁ ଛାଡ଼ି ବାହାରେ ରହୁଥିବା ପ୍ରାୟ ୪୦ରୁ ୫୦ ଜଣଙ୍କୁ ଛାଡ଼ି ଅନ୍ୟ ୫୮୭ ଜଣଙ୍କ ଜୀବନ ଯାଇଥିବା ସ୍ଥାନୀୟ ସୂଚନାରୁ ଜଣାପଡ଼ିଛି।
ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ପରିବାର ଛାରଖାର ହୋଇଯାଇଥିଲା। କେହି ନିଜ ପିତାମାତାଙ୍କୁ ହରାଇଥିଲେ ତ ଆଉ କେହି ହରାଇଥିଲେ ନିଜ ସନ୍ତାନ ଓ ଆତ୍ମୀୟସ୍ୱଜନଙ୍କୁ। ଦୀର୍ଘ ବର୍ଷ ପରେ ମଧ୍ୟ ସେହି ଦିନର ଦୁଃଖଦ ସ୍ମୃତି ଦହିବର ଗ୍ରାମବାସୀଙ୍କ ମନରେ ତାଜା ହୋଇ ରହିଛି।
ଦିପଦାନ କରି ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି:
ମହାବାତ୍ୟାରେ ପ୍ରାଣ ହରାଇଥିବା ୫୮୭ ଜଣଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଏରସମା ଅଞ୍ଚଳରେ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ମୃତକଙ୍କ ପରିବାର ସଦସ୍ୟ, ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ଜନପ୍ରତିନିଧି, ବୟସ୍କ ବ୍ୟକ୍ତି ଓ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ସମସ୍ତେ ଦିବଂଗତ ଆତ୍ମୀୟସ୍ୱଜନଙ୍କୁ ମନେ ପକାଇବା ସହ ଦିପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୋକାକୁଳ ପରିବେଶରେ ସେହି କାଳରାତ୍ରିର ଅଭୁଲା ଅନୁଭୂତିକୁ ମନେ ପକାଇଥିଲେ ଉପସ୍ଥିତ ଲୋକେ। ସ୍ମୃତିଚାରଣ ସଭା ମାଧ୍ୟମରେ ମହାବାତ୍ୟାରେ ଜୀବନ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଯାଇଥିଲା।
୨୭ ବର୍ଷରେ ବଦଳିଛି ଏରସମାର ଚିତ୍ର:
ମହାବାତ୍ୟାରେ ଧ୍ୱଂସସ୍ତୂପ ପାଲଟିଥିବା ଏରସମା ଅଞ୍ଚଳରେ ଏବେ ଅନେକ ପରିବର୍ତ୍ତନ ହୋଇଛି। ନିର୍ମାଣ ହୋଇଛି ନୂଆ ରାସ୍ତାଘାଟ, ପକ୍କା ଘର ଓ ବାତ୍ୟା ଆଶ୍ରୟସ୍ଥଳୀ। ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହୋଇଛି।
ବାତ୍ୟା ଆସିବା ପୂର୍ବରୁ ପାଣିପାଗ ବିଭାଗର ଆଗୁଆ ସୂଚନା, ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖିବା ଭଳି ପଦକ୍ଷେପ ଏବେ ବିପର୍ଯ୍ୟୟ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। ୧୯୯୯ର ମହାବାତ୍ୟାର ତିକ୍ତ ଅନୁଭୂତିରୁ ଶିକ୍ଷା ନେଇ ଓଡ଼ିଶା ବାତ୍ୟା ମୁକାବିଲା କ୍ଷେତ୍ରରେ ଅନେକ ଆଗକୁ ବଢ଼ିଛି।
ବଦଳିଛି ବ୍ୟବସ୍ଥା, ହେଲେ ଲିଭିନି ଦୁଃଖର ସ୍ମୃତି:
ମହାବାତ୍ୟାକୁ ୨୭ ବର୍ଷ ପୂରିଥିଲେ ମଧ୍ୟ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକ ପାଇଁ ସେହି ଦିନର ଯନ୍ତ୍ରଣା ଆଜି ବି ଅଭୁଲା। ଏରସମାରେ ହୋଇଥିବା ସ୍ମୃତିଚାରଣ ସଭା କେବଳ ମୃତକଙ୍କୁ ମନେ ପକାଇବାର ଅବସର ନୁହେଁ, ବରଂ ପ୍ରକୃତିର ପ୍ରଳୟ ସାମ୍ନାରେ ମାନବ ଜୀବନର ଅସହାୟତା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିର ଗୁରୁତ୍ୱକୁ ମଧ୍ୟ ମନେ ପକାଇ ଦେଉଛି।
ସେହି ମହାବାତ୍ୟାରେ ପ୍ରାଣ ହରାଇଥିବା ହଜାର ହଜାର ଲୋକଙ୍କ ସ୍ମୃତି ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ଜୀବନ୍ତ। ଏରସମାର ମାଟି ସେହି ଭୟଙ୍କର ଦିନର ସାକ୍ଷୀ ହୋଇ ରହିଛି।