ବ୍ରହ୍ମପୁର: (ଅଭୟ ମହାନ୍ତି) ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ବିଜେଡି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ବିପର୍ଯ୍ୟୟ ମୁକାବିଲାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ଦଳ। ଏହା ପ୍ରାକୃତିକ ବନ୍ୟା ନୁହେଁ, ବରଂ କୃତ୍ରିମ ବନ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ସେପଟେ ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।
ଗତ ତିନି ଦିନ ଧରି ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦେଖାଦେଇଛି ବିଭିନ୍ନ ସମସ୍ୟା। ଏହାକୁ ନେଇ ବିଜେଡି ପକ୍ଷରୁ ଆୟୋଜିତ ପ୍ରେସମିଟ୍ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବିପର୍ଯ୍ୟୟ ମୁକାବିଲା ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ଗଞ୍ଜାମ ଜିଲ୍ଲାରେ ଏବେ ବି ସ୍ଥିତି ଗମ୍ଭୀର ରହିଥିବା ଏବଂ ଅନେକ ପ୍ରଭାବିତ ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚିନଥିବା ଅଭିଯୋଗ କରିଛି ବିଜେଡି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଏହାସହ ଜିଲ୍ଲାପାଳଙ୍କଠାରୁ ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା। ଏହି ପ୍ରେସମିଟ୍ରେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ଟୁକୁନି ସାହୁ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବରିଷ୍ଠ ବିଜେଡି ନେତା ଭୃଗୁ ବକ୍ସିପାତ୍ରଙ୍କ ସମେତ ଦଳୀୟ ବହୁ ବରିଷ୍ଠ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ।