Cyclone Relief Package: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷାରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ରାଜ୍ୟକୁ ଆସୁଛି ୮ ଜଣିଆ କେନ୍ଦ୍ରୀୟ ଟିମ୍। ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଆନ୍ତଃମନ୍ତ୍ରଣାଳୟ ଟିମ୍ ଓଡ଼ିଶା ଆସିବ। ପ୍ରଥମେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିବ ଟିମ୍। ବାତ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି ଓ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷତିର ଆକଳନ କରାଯିବ। ଏହି ଟିମ୍ର ରିପୋର୍ଟ ଆଧାରରେ ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରଦାନ ନେଇ ବିଚାର କରାଯିବ।
ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା:
ଅନ୍ୟପଟେ, ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ରରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଘୋଷଣା କରିଛନ୍ତି।
ଘୋଷଣା ଅନୁଯାୟୀ, ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହ ୨,୫୦୦ ଟଙ୍କା ନଗଦ ସହାୟତା ମିଳିବ। ବିଶେଷ କରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବାତ୍ୟା ଓ ବର୍ଷାର ପ୍ରଭାବ ଅଧିକ ରହିଥିବାରୁ ପ୍ରଭାବିତ ଲୋକଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ।
ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୮,୫୦୦ରୁ ୨୨,୫୦୦ ଟଙ୍କା:
ଚାଷ ଜମିରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ କ୍ଷତି ହୋଇଥିଲେ ଚାଷୀଙ୍କୁ କୃଷି ଇନ୍ପୁଟ୍ ସବ୍ସିଡି ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଏବଂ ବହୁବର୍ଷୀୟ ଫସଲ ପାଇଁ ୨୨,୫୦୦ ଟଙ୍କା ସହାୟତା ଦିଆଯିବ।
ଏହାସହ ସର୍ବନିମ୍ନ ସହାୟତା ଭାବେ ବହୁବର୍ଷୀୟ ଫସଲ ପାଇଁ ୨,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୨,୦୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ୧,୦୦୦ ଟଙ୍କା ଦିଆଯିବ। ଚାଷଜମିରେ ଜମା ହୋଇଥିବା ବାଲି ଓ ପଟୁମାଟି ସଫା କରିବା ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ଖର୍ଚ୍ଚ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚାଷୀଙ୍କୁ ମିଳିବ ବିହନ କିଟ୍ ଓ କୀଟନାଶକରେ ସବ୍ସିଡି:
ପ୍ରଭାବିତ ଚାଷୀଙ୍କୁ ୧ ଲକ୍ଷ ୨୦ ହଜାର ଡାଲି ଫସଲ କିଟ୍, ୫ ହଜାର ତୈଳବୀଜ କିଟ୍ ଓ ୫୦ ହଜାର ପନିପରିବା କିଟ୍ ଯୋଗାଇ ଦିଆଯିବ। ଆଖୁ ଚାଷରେ କ୍ଷତି ହୋଇଥିବା ୨,୦୦୦ ହେକ୍ଟର ଜମି ପାଇଁ ହେକ୍ଟର ପିଛା ୨୭,୫୦୦ ଟଙ୍କା ସହାୟତା ଘୋଷଣା କରାଯାଇଛି। ରବି ଫସଲ ପାଇଁ କୀଟନାଶକ କିଣିବାରେ ଚାଷୀଙ୍କୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ମିଳିବ। ଏହାସହ ସ୍ୱଳ୍ପକାଳୀନ ଖରିଫ ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ।
ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ ଟଙ୍କା:
ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା କିମ୍ବା ଗୁରୁତର କ୍ଷତିଗ୍ରସ୍ତ ଘର ପାଇଁ ମଧ୍ୟ ସହାୟତା ଘୋଷଣା ହୋଇଛି। ସମତଳ ଅଞ୍ଚଳରେ ଏଭଳି ପରିବାରଙ୍କୁ ୧.୨୦ ଲକ୍ଷ ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ୧.୩୦ ଲକ୍ଷ ଟଙ୍କା ଦିଆଯିବ। ଘରୋଇ ସାମଗ୍ରୀ ଓ ବାସନକୁସନ ପାଇଁ ଅତିରିକ୍ତ ୨,୫୦୦ ଟଙ୍କା ମଧ୍ୟ ଯୋଗାଇ ଦିଆଯିବ।
ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ଓ ପ୍ରଭାବିତଙ୍କୁ ସହାୟତା ପ୍ରଦାନ ମଧ୍ୟରେ କେନ୍ଦ୍ରୀୟ ଟିମ୍ର ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଟିମ୍ର ରିପୋର୍ଟ ପରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତା ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।