କୋରାପୁଟ: (ନିରୋଜ ଶତପଥୀ) ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରୁ ଏକ ଦୁଖଦ ଖବର ସାମ୍ନାକୁ ଆଲିଛି । ନିଜ ଚାଷଜମିରେ ପାୱାର ଟିଲର ଯୋଗେ ଚାଷ କରୁଥିବା ସମୟରେ ଜଣେ ଚାଷୀଙ୍କ ପ୍ରଥମେ ଗୋଡ ଏବଂ ପରେ ମୁଣ୍ଡ କଟି ମୃତ୍ୟୁ ବରଣ କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ମୁତାବକ, ଉକ୍ତ ଗ୍ରାମର ପାଣ୍ଡୁ କଡ୍ରି ନାମକ ଜଣେ ଚାଷୀ ଦୁଇ ଦିନ ପୂର୍ବେ ପାୱାର ଟିଲର ମେସିନ୍ କିଣି ଆଣିଥିଲେ। ସେହି ମେସିନ୍ ଯୋଗେ ସୋମବାର ନିଜ ଜମିରେ ଚାଷ କରୁଥିଲେ । ଚାଷ କରୁଥିବା ସମୟରେ ଅସାବଧାନତା ବଶତଃ ପାୱାର ଟିଲର ମେସିନରେ ଗୋଡ଼ ଟାଣି ହୋଇ ଭିତରେ ପଶି ଯାଇଥିଲା । ଗୋଡକୁ କାଢ଼ିବା ପାଇଁ ମୁଣ୍ଡକୁ ତଳକୁ କରିବା ସମୟରେ ମୁଣ୍ଡ ମଧ୍ୟ ଉକ୍ତ ମେସିନ୍ ଭିତରକୁ ଟାଣି ହୋଇ ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଚାଷୀଙ୍କ ମୁଣ୍ଡ କଟିଯିବା ସହ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଏହିପରି ଦୃଶ୍ୟ ଦେଖି ଚାଷଜମି ନିକଟରେ ରହିଥିବା କିଛି ଗ୍ରାମବାସୀ ଏବଂ ସମ୍ପର୍କୀୟମାନେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରି ପାରିନଥିଲେ । ପରେ ଖବର ପାଇ ପଟ୍ଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।