ପୁରୀ: ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି। ଏଥର ତିନି ଗୋଟି କେନ୍ଦ୍ରରେ ରହିବେ ହବିଷ୍ୟାଳୀ। ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ କେବଳ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯିବ। ଏହି ଆବେଦନ ପାଇଁ ପଞ୍ଜୀକରଣ ଚଳିତ ମାସ ୬ ତାରିଖ ଦିବା ୧୦ ଘଟିକା ଠାରୁ ଅନଲାଇନ https://edistrict.odisha.gov.in ମାଧ୍ୟମରେ ଆରମ୍ଭ ହେବ। ଏହି ପଞ୍ଜୀକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଅକ୍ଟୋବର ୨୬ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତିକୁ ଚୁଡାନ୍ତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷ୍ୟାଳୀ ମାଆମାନଙ୍କୁ ରଖାଯିବ। ସେମାନଙ୍କ ରହଣି ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବେ। ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ୫୦ରୁ ୭୦ ବର୍ଷ ବୟସର ବିବାହିତ ମହିଳା କେବଳ ଆବେଦନ କରିପାରିବେ। ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନଲାଇନରେ ପଞ୍ଜୀକରଣ କରି ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହବିଷ୍ୟାଳୀମାଆମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସେମାନଙ୍କୁ ସେମାନେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବର ମାଧ୍ୟମରେ ସୂଚନା ଦିଆଯିବ। ଏହି ସୂଚନା ଥିବା ରସିଦର କପି ସହ ସଂପୃକ୍ତ ଯୋଗ୍ୟ ହବିଷ୍ୟାଳୀ ମାଆ ଧାର୍ଯ୍ୟ ହବିଷ୍ୟାଳୀ କେନ୍ଦ୍ରରେ ପହଞ୍ଚିଲେ ରହଣୀ ବ୍ୟବସ୍ଥା କରାଯିବ।
ବିନା ପଞ୍ଜୀକରଣରେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ। ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇଙ୍କ ସହିତ ଅଧିକାରୀମାନେ ଉପସ୍ଥିତ ଥିଲେ।