ପାରାଦୀପ: (ନାରାୟଣ ବେହେରା) ଆସନ୍ତା ୨୦ ନଭେମ୍ବରରୁ ଆରମ୍ଭ ହେବ ଏ.ଏମ.ଏନ.ଏସ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ )କମ୍ପାନୀ ଫାଟକ ସମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଶ୍ରମିକଙ୍କ ଧାରଣା। ବହୁବାର ଶ୍ରମିକଙ୍କ ଦାବୀ ଉପସ୍ଥାପନା କରାଯାଇଥିଲେ ମଧ୍ୟ କମ୍ପାନୀ କର୍ଣ୍ଣପାତ କରୁନାହିଁ। ଏନେଇ ଶ୍ରମିକଙ୍କ ହକ ପାଇଁ ପାରାଦୀପରେ ଥିବା ଭାରତୀୟ ମଜଦୂର ସଂଘ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଶ୍ରମିକ ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଛି ।
ଭାରତୀୟ ମଜଦୁର ସଂଘର ରାଜ୍ୟ ସହବନ୍ଧିତ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ତରଫରୁ ଆୟୋଜିତ ବିଶାଳ ଶ୍ରମିକ ସମାବେଶରେ ଚେତାବନୀ ଦେଇଛନ୍ତି ରାଜ୍ୟ ସ୍ତରୀୟ ଶ୍ରମିକ ନେତା । ଗତ ୨୦୨୪ ମସିହା ଠାରୁ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲରେ କାର୍ଯ୍ୟ କରୁଥିବା ୮ ଶହରୁ ଅଧିକ ଶ୍ରମିକ ପୂର୍ବ ଉପକୂଳ ସଂଘରେ ସାମିଲ ହୋଇଥିଲେ । ଯାହାକୁ ନେଇ କମ୍ପାନୀରେ ଶ୍ରମିକମାନଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ତରଫରୁ କମ୍ପାନୀକୁ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏ.ଏମ.ଏନ.ଏସ. କମ୍ପାନୀ କୌଣସି ପ୍ରତିକ୍ରିୟା ଦେଉନାହିଁ । ଏହା ସହିତ ବିଭିନ୍ନ ସମୟରେ ଏକାଧିକ ଥର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉପସ୍ଥିତରେ ଆଲୋଚନା ହୋଇଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ ଏହାକୁ ଅଣଦେଖା କରୁଛନ୍ତି । ଯାହାକୁ ନେଇ ପାରାଦୀପ ନୂଆବଜ଼ାର ସ୍ଥିତ କାର୍ଯ୍ୟାଳୟରେ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସଭାପତି ବାଦଲ ମହାରଣା ଓ ସାଙ୍ଗଠନିକ ସମ୍ପାଦକ ଲକ୍ଷ୍ମଣ ଭାଇଙ୍କ ସହିତ ପୂର୍ବ ଉପକୂଳ ଶ୍ରମିକ ସଙ୍ଘର ନେତୃବୃନ୍ଦ ମାନଙ୍କ ଉପସ୍ଥିତରେ ଆୟୋଜିତ ବିଶାଳ ଶ୍ରମିକ ସଭାରେ ବର୍ଷୀଛନ୍ତି ରାଜ୍ୟ ସ୍ତରୀୟ ଶ୍ରମିକ ନେତା । ଆଜି ଦେଶ ସ୍ୱାଧୀନ ହୋଇଥିବା ବେଳେ ପାରାଦୀପ ଏଏମଏନଏସରେ ଶ୍ରମିକ ମାନେ ପରାଧୀନ ଭାବରେ କାର୍ଯ୍ୟ କରୁଛନ୍ତି । ଶ୍ରମିକ ବଞ୍ଚିଲେ ଦେଶ ବଞ୍ଚିବ, ହେଲେ ଆର୍ସେଲର ମିତ୍ତଲ କମ୍ପାନୀ ଯେଉଁଭଳି ମନମାନି କରୁଛି ତାହାକୁ କଦାପି ବରଦାସ୍ତ କରାଯିବ ନାହିଁ । ଆସନ୍ତା ୨୦ ତାରିଖ ମଧ୍ୟରେ କମ୍ପାନୀ ଯଦି ଶ୍ରମିକମାନଙ୍କ ଦାବି ସମାଧାନ ନ କରେ ତେବେ ସେହିଦିନ ଠାରୁ ୮ ଶହ ରୁ ଅଧିକ ଶ୍ରମିକ ସେମାନଙ୍କ ପିଲାଛୁଆ ଧରି କମ୍ପାନୀ ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳପାଇଁ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ଯଦି ଏଥିରେ କମ୍ପାନୀ କର୍ତୃପକ୍ଷ ଜୋର ଜବରଦସ୍ତ କରନ୍ତି ତେବେ ପରିଣାମ ଯାହା ହେବ ସେଥିପାଇଁ କମ୍ପାନୀ କର୍ତୃପକ୍ଷ ଦାୟୀ ରହିବେ ବୋଲି କହିଛନ୍ତି ପୂର୍ବ ଉପକୂଳ ଶ୍ରମିକ ସଙ୍ଘର ସଭାପତି ପ୍ରକାଶ ତ୍ରିପାଠୀ ।
Also Read- କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ୨ CRPF ଯବାନ ଆହତ