ଯାଜପୁର: (ଅଭୟ ମହାନ୍ତି) ବରାହନାଥ ନିକଟ ବୈତରଣୀ ନଦୀରେ ଅଘଟଣ ଘଟିଛି। ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ ସ୍ୱାମୀ-ସ୍ତ୍ରୀ। ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ହେଲେ ଦୁଃଖଦ ଖବର, ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି।
ମୃତ ଦମ୍ପତି ହେଉଛନ୍ତି ଆନ୍ଧ୍ରପ୍ରଦେଶ ପାଲାମନେର ଅଞ୍ଚଳର ଏମ୍. ଶ୍ରୀନିବାସ ସୁଲୁ ଓ ଏମ୍. ଦେବୀ। ମା' ବିରଜାଙ୍କ ଦର୍ଶନ ସାରି ଦଶାଶ୍ୱମେଧ ଘାଟ ନିକଟରେ ବୈତରଣୀ ନଦୀରେ ବୁଡ଼ ପକାଉଥିବା ବେଳେ ଘଟିଥିଲା ଏହି ଅଭାବନୀୟ ଘଟଣା।
ଧର୍ମୀୟ ଭାବନା ନେଇ ମା' ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ଆସିଥିଲେ ଆନ୍ଧ୍ରପ୍ରଦେଶର ଏହି ଦମ୍ପତି। ଦର୍ଶନ ପରେ ଦଶାଶ୍ୱମେଧ ଘାଟ ନିକଟରେ ବୈତରଣୀ ନଦୀରେ ସ୍ନାନ କରୁଥିବା ସମୟରେ ହଠାତ୍ ଉଭୟ ନଦୀରେ ବୁଡ଼ିଯାଇଥିଲେ। ଉଭୟଙ୍କୁ ବୁଡ଼ିଯାଉଥିବା ଦେଖି ସେଠାରେ ଉପସ୍ଥିତ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ହେଲେ ଚିକିତ୍ସା ସତ୍ତ୍ୱେ ଉଭୟଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।