Flood Relief: ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କ୍ଷୟକ୍ଷତି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫସଲ ନଷ୍ଟଠାରୁ ଆରମ୍ଭ କରି ଘର ଭାଙ୍ଗିବା ଓ ବ୍ୟବସାୟିକ କ୍ଷତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ମିଳିବ। ଏଥିସହ ବନ୍ୟା ପ୍ରଭାବିତ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ।
ଘୋଷଣା ଅନୁଯାୟୀ, ଅଣଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ସହାୟତା ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଏବଂ ବାରମାସୀ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ।
ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ସହ ୨ ହଜାର ୫୦୦ ଟଙ୍କା ଦିଆଯିବ। ଘର ଭାଙ୍ଗିଥିବା ପରିବାରଙ୍କ ପାଇଁ ମଧ୍ୟ ଅଞ୍ଚଳ ଅନୁସାରେ ସହାୟତା ରାଶି ଧାର୍ଯ୍ୟ କରାଯାଇଛି। ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ସହାୟତା ମିଳିବ।
ବନ୍ୟା ଯୋଗୁଁ ଜୀବିକା ପ୍ରଭାବିତ ହୋଇଥିବା ଉଠା ଦୋକାନୀ ଓ ଅସ୍ଥାୟୀ ଷ୍ଟଲ୍ ମାଲିକଙ୍କୁ ୧୦ ହଜାର ଟଙ୍କା ଦିଆଯିବ। ଅନ୍ୟପଟେ ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ୨୫ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।
ତେବେ ଏବେ ସୁଦ୍ଧା ବନ୍ୟା କ୍ଷୟକ୍ଷତିର ଆକଳନ ସମ୍ପୂର୍ଣ୍ଣ ହୋଇନାହିଁ। କ୍ଷୟକ୍ଷତି ଆକଳନ ଶେଷ ହେବା ପରେ ଆବଶ୍ୟକତା ଅନୁଯାୟୀ ଆହୁରି ସହାୟତା ଘୋଷଣା କରାଯାଇପାରେ। ଏହି ଘୋଷଣା ବନ୍ୟାରେ ଫସଲ, ଘର ଓ ଜୀବିକା ହରାଇଥିବା ପରିବାରଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।