କେନ୍ଦ୍ରାପଡ଼ା: ସରକାରୀ ଟଙ୍କା ହଡ଼ପ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା। HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୩ କୋଟି ୩ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଡେରାବିଶ ବ୍ଲକ୍ର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ ଅନୁଗୋଳରୁ ଗିରଫ କରାଯାଇଛି।
ଭିଜିଲାନ୍ସର ସୂଚନା ଅନୁଯାୟୀ, ସରକାରୀ ପାଣ୍ଠିରୁ ୩,୦୩,୬୫,୮୪୩ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଶଶିକାନ୍ତ ରଣା ଦୁଇଟି ବ୍ଲକ୍ରେ କାର୍ଯ୍ୟରତ ଥିବା ସମୟରେ ଏହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ସେ ଉଭୟ ସ୍ଥାନରେ ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍ର ଦାୟିତ୍ୱରେ ଥିଲେ। ଏହି ବିଭାଗରେ କର୍ମଚାରୀଙ୍କ ଦରମା, ବକେୟା ଦରମା ଓ ପେନସନ୍ ଆଦି ପ୍ରକ୍ରିୟାକରଣ କରାଯାଏ।
ଭିଜିଲାନ୍ସ ତଦନ୍ତ ଅନୁସାରେ, ରାଜକନିକା ବ୍ଲକ୍ରେ ୩୦ ଅଗଷ୍ଟ ୨୦୨୩ରୁ ୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ସେହିପରି ଡେରାବିଶ ବ୍ଲକ୍ରେ ୭ ଜାନୁଆରୀ ୨୦୨୫ରୁ ୧୩ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଜାଲ୍ ଦରମା, ବକେୟା ଦରମା, ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଅର୍ଥ ଏବଂ ପେନସନ୍ ପାଇଁ ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଉଥିଲା। ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ନ ପଠାଇ ତାଙ୍କ ବ୍ୟାଙ୍କ ତଥ୍ୟ ବଦଳାଇ ନିଜ ଓ ପରିବାର ସଦସ୍ୟଙ୍କ ନାମରେ ଥିବା ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିଲା।
ଏଥିପାଇଁ ଏସ୍ବିଆଇ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କରେ ଥିବା ଖାତା ବ୍ୟବହାର କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଏହି ଖାତାଗୁଡ଼ିକ ଅଭିଯୁକ୍ତଙ୍କ ନିଜର, ତାଙ୍କ ପତ୍ନୀ, ବାପା, ଭାଇ ଏବଂ ଜଣେ ସମ୍ପର୍କୀୟଙ୍କ ନାମରେ ଥିବା ଅଭିଯୋଗ ରହିଛି। NEFT ମାଧ୍ୟମରେ ଏହି ଅର୍ଥ ସ୍ଥାନାନ୍ତର କରାଯାଉଥିଲା।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୨ ଓ ୪୩/୨୦୨୬ରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।
ଗିରଫ ଅଭିଯୁକ୍ତ ଶଶିକାନ୍ତ ରଣାଙ୍କୁ ଆଜି କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ଙ୍କ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣାରେ ତଦନ୍ତ ଜାରି ରହିଛି।