Vigilance Case: ଲାଞ୍ଚ କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ୱର ବାଲିଆପାଳର ସବ୍-ରେଜିଷ୍ଟ୍ରାର୍ ମିସ୍ ମନୀଷା ମିଶ୍ର (ଓ.ଆର.ଏସ୍.) । ସେ ଜଣେ କ୍ରେତାଙ୍କ ଠାରୁ 'ବାଜ୍ୟାପ୍ତି ସ୍ଥିତିବାନ୍' ଭାବରେ ରେକର୍ଡ ହୋଇଥିବା ୦.୧୪ ଡେସିମିଲ୍ ଜମିର ବିକ୍ରି ଦଲିଲ୍ ପଞ୍ଜୀକରଣ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିବା ସହ ନେଉଥିବା ବେଳେ ଧରାପଡ଼ିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗର ନିୟମ ଅନୁଯାୟୀ, ଏହି ପ୍ରକାରର ଜମିକୁ ସ୍ଥିତିବାନ୍ ଭାବେ ଗ୍ରହଣ କରାଯିବା ଉଚିତ୍ ଏବଂ ଏହାର ରେଜିଷ୍ଟ୍ରେସନ କରାଯାଇପାରିବ। ହେଲେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାର୍ଗଦର୍ଶିକା ଆଧାରରେ କ୍ରେତା ଜଣକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ସବ୍-ରେଜିଷ୍ଟ୍ରାର୍ ମିସ୍ ମିଶ୍ର ଏହା ପ୍ରତି କୌଣସି ଧ୍ୟାନ ଦେଇନଥିଲେ। ଓଲଟା, ସେ କ୍ରେତା ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏହି ଦାବି ମୁତାବକ ଟଙ୍କା ଦେବାକୁ ନିଜର ଅସମର୍ଥତା ପ୍ରକାଶ କରିବା ପରେ, ଅଭିଯୁକ୍ତ ମିସ୍ ମିଶ୍ର ଲାଞ୍ଚ ରାଶିକୁ ୭ ହଜାର ଟଙ୍କାକୁ କମାଇ ଦେଇଥିଲେ। ମିସ୍ ମିଶ୍ରଙ୍କ ଦ୍ୱାରା ଏଭଳି ହଇରାଣ ହରକତ ଏବଂ ଲାଞ୍ଚ ଦାବିରେ ଅସନ୍ତୁଷ୍ଟ ହୋଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ, ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଅଭିଯୋଗକାରୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମିସ୍ ମିଶ୍ରଙ୍କୁ ରଙ୍ଗେ ହାତ କାବୁ କରିଥିଲା। ଅଭିଯୁକ୍ତ ସବ୍-ରେଜିଷ୍ଟ୍ରାର୍ ମିସ୍ ମିଶ୍ରଙ୍କ ନିକଟରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କାର ଲାଞ୍ଚ ଅର୍ଥ ଉଦ୍ଧାର କରାଯିବା ସହ ଜବତ କରାଯାଇଛି।
ଏହି ଟ୍ରାପ୍ ପରେ, ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲାର ଯାଞ୍ଚ ପାଇଁ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକ ସମୟରେ ଚଢ଼ାଉ ଜାରି ରହିଛି। ଏହି ସମ୍ପର୍କରେ, ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା 7P.C ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୨୬/୨୦୨୬ ପଞ୍ଜୀକୃତ କରାଯାଇଛି। ଅଭିଯୁକ୍ତ ବାଲିଆପାଳ ସବ୍-ରେଜିଷ୍ଟ୍ରାର୍ ମିସ୍ ମିଶ୍ରଙ୍କ ବିରୋଧରେ ତଦନ୍ତ ଚାଲିଛି। ବିସ୍ତୃତ ରିପୋର୍ଟ ପରେ ପ୍ରକାଶ ପାଇବ। ମିସ୍ ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ ଏବଂ ବାଲିଆପାଳରେ ସବ୍-ରେଜିଷ୍ଟ୍ରାର୍ ଭାବେ ପ୍ରୋବେସନ୍ ଅବଧିରେ ନିଯୁକ୍ତ ଥିଲେ।