Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ଚଣା R&B ସବ୍ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ବଡ଼ଚଣା କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ପୁରୀ ଓ କଟକରେ ଏକକାଳୀନ ୭ଟି ସ୍ଥାନରେ ଯାଞ୍ଚ କରାଯାଉଛି।
ଭିଜିଲାନ୍ସ ପକ୍ଷରୁ କଟକ ସିଡିଏ ସେକ୍ଟର-୭ରେ ଥିବା ତିନିମହଲା କୋଠା, କଣ୍ଟାପଡ଼ା ଓ ସିମ୍ପ୍ଲେକ୍ସ ଅଞ୍ଚଳରେ ଥିବା ଫାର୍ମ ହାଉସ୍ ଏବଂ କଟକର ୪୨ ମୌଜାରେ ଥିବା ତପନ ସେଠୀଙ୍କ ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।
ସେହିପରି ପୁରୀର ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନିମହଲା କୋଠା, କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱରର କଣ୍ଟାବାଡ଼ରେ ଥିବା ଦୁଇମହଲା କୋଠାରେ ମଧ୍ୟ ଯାଞ୍ଚ ଚାଲିଛି।
ଏହି ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଏକାଧିକ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଯାଞ୍ଚ କରାଯାଉଛି।
ତେବେ ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଠାବ ହୋଇଛି, ସେନେଇ ଏପର୍ଯ୍ୟନ୍ତ ଆଧିକାରିକ ସୂଚନା ମିଳିନାହିଁ। ଭିଜିଲାନ୍ସ ଯାଞ୍ଚ ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।