ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ଜଗା ଦର୍ଶନ
ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ପୁରୀ: ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପକ୍ଷରୁ ବିଶେଷ ସୂଚନା ଜାରି କରାଯାଇଛି । ଆଜି ଅର୍ଥାତ ୪ ନଭେମ୍ୱର ବୁଧବାର କାର୍ତ୍ତିକ କୃଷ୍ଣ ଦଶମୀ ତିଥି ଅବସରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ବନକଲାଗି ନୀତି ଶ୍ରୀଜୀଉମାନଙ୍କ ଶ୍ରୀବିଗ୍ରହର ସୌନ୍ଦର୍ଯ୍ୟ, ପବିତ୍ରତା ଏବଂ ସଂରକ୍ଷଣ ସହ ଜଡ଼ିତ ଏକ ପ୍ରାଚୀନ ସେବା। ଏହି ନୀତିରେ ପ୍ରାକୃତିକ ଔଷଧୀୟ ଲେପ ଓ ପାରମ୍ପରିକ ରଙ୍ଗ ବ୍ୟବହାର କରି ଶ୍ରୀଅଙ୍ଗର ଶୃଙ୍ଗାର କରାଯାଏ। ପରମ୍ପରା ଅନୁଯାୟୀ ଦତ୍ତ ମହାପାତ୍ର ସେବାୟତମାନେ ଏହି ଗୁପ୍ତ ସେବା ସମ୍ପନ୍ନ କରିଥାନ୍ତି।
ଏହି ସମୟରେ ସାଧାରଣ ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ କେବଳ ନିର୍ଦ୍ଧାରିତ ସେବାୟତମାନେ ନୀତିକାନ୍ତିରେ ଅଂଶଗ୍ରହଣ କରିବେ। ଏହା ଶ୍ରୀମନ୍ଦିରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ନୀତିମାନଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟପକ୍ଷରେ, ଗତକାଲି ଶ୍ରୀମନ୍ଦିରର ବିଭିନ୍ନ ନୀତିକାନ୍ତି ବିଳମ୍ବରେ ସମ୍ପନ୍ନ ହେବାରୁ ମହାପ୍ରସାଦ 'ଅବଢ଼ା' ବଣ୍ଟନ ମଧ୍ୟ ବିଳମ୍ବରେ ହୋଇଥିଲା। ଫଳରେ ଅନେକ ଭକ୍ତଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ବନକଲାଗି ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ନିର୍ଦ୍ଧାରିତ ସମୟ ଅନୁସାରେ ଦର୍ଶନ ପାଇଁ ଆସିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ ସହଯୋଗ କରିବାକୁ ଅନୁରୋଧ କରିଛି।
Also Read- ଦୀପାବଳିରେ ମାଗଣାରେ ଦେଖନ୍ତୁ ସୁପରଷ୍ଟାର ଅନୁଭବଙ୍କ ସସ୍ପେନ୍ସ ଥ୍ରିଲର ‘ଛକି ଶୂନ’