School Closed:ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସରକାର ସ୍କୁଲ୍ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ୫ ଜିଲ୍ଲାର ସ୍କୁଲ୍, କଲେଜ,ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା ହୋଇଥିଲା। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା, କଟକ, ଯାଜପୁର ତଥା କେତୋଟି ଜିଲ୍ଲାରେ ଏହି ଛୁଟି ଘୋଷଣା ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ୨୯ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ। ମଙ୍ଗଳବାର ଅପରାହ୍ନ ୧ଟା ଠାରୁ ଏହି ଛୁଟି ଘୋଷଣା କରାଯାଇଛି। ତେବେ,ଶିକ୍ଷକ ଓ ଅନ୍ୟକର୍ମଚାରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ।
ଏହି ସମୟରେ କୌଣସି ଛୁଟି ମଞ୍ଜୁର କରାଯିବ ନାହିଁ। ଏଥିସହ ବିପଦ ସମୟରେ ବିଦ୍ୟାଳୟ ଗୃହକପ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯିବା ଲାଗି ପ୍ରସ୍ତୁତ ରଖିବାକୁ ଓ ୨୪ ଘଣ୍ଚିଆ ଡ୍ୟୁଟି ରୋଷ୍ଟର ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ଲାଗି ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ଲାଗି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି, କଟକରେ (ବୁଧବାର) ଆଜି ସମସ୍ତ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ୍, କଲେଜ୍ ଓ ବିଶ୍ବ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କ ଲାଗି ଶୁଖିଲା ଓ ରନ୍ଧା ଖାଦ୍ୟ ଘରେ ନେଇ ଦେଇ ଆସିବାକୁ କୁହାଯାଇଛି। ସେହିପରି, ଯାଜପୁର ଜିଲ୍ଲାରେ ବି ଆଜି ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ରହିଛି। ଏବଂ ପୁରୀରେ ବି ଗତକାଲି ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ୍ ଛୁଟି ଥିବା ବେଳେ ଆଜି ବି ଛୁଟି ରହିବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଏହି ନିସ୍ପତ୍ତି ଗ୍ରହଣ କରାଯାଇଛି।