1.Weather Update: ପଶ୍ଚିମା ଝଡ଼ ପ୍ରଭାବରେ ୧୩ ନଭେମ୍ବର ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ୧୨ ନଭେମ୍ବରରେ କାଶ୍ମୀର ଉପତ୍ୟକାର କେତେକ ସ୍ଥାନରେ ପ୍ରବଳ ବର୍ଷା କିମ୍ବା ତୁଷାରପାତ ହେବାର ସମ୍ଭାବନା ରହିଛି। ଏହାସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୧୩ ନଭେମ୍ବର ବେଳକୁ ଏକ ଘୂର୍ଣ୍ଣିବଳୟ ଜନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୧୪ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ ଏବଂ ୧୫ ନଭେମ୍ବର ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି।
2.Missing SPO: ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରୁ ନିଖୋଜ ଥିବା ଦୁଇ ଜଣ ସ୍ପେଶାଲ୍ ପୋଲିସ୍ ଅଫିସର (SPO)ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦୁଇଜଣ ହେଲେ ବାବି ଚାନ୍ଦ ଓ ରଶପାଲ କୁମାର। ଉଭୟଙ୍କ ମୃତଦେହ ଜଙ୍ଗଲ ମଧ୍ୟରୁ ଗୁଳିବିଦ୍ଧ ଅବସ୍ଥାରେ ମିଳିଥିବା ବେଳେ ସେମାନଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୁଧବାର ଧର୍ମା ମାରୱାର ଆର୍ମି କ୍ୟାମ୍ପକୁ ଫେରୁଥିବା ସମୟରେ ଉଭୟ SPO ନିଖୋଜ ହୋଇଯାଇଥିଲେ। ଏହାପରେ ସୁରକ୍ଷାବଳ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ମୃତଦେହ ଉଦ୍ଧାର ପରେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ବଢ଼ିଛି। ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବଳ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।
3.Ganjam Flood Update: ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ କରି ବିସ୍ତୃତ ସୂଚନା ଦେଇଛନ୍ତି। ଗଞ୍ଜାମର ବନ୍ୟା ସ୍ଥିତି ପାଇଁ ପୂର୍ବର ୨୪ ବର୍ଷର ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି ମନ୍ତ୍ରୀ। ଜିଲ୍ଲାର ବିଭିନ୍ନ ନଦୀ ଓ ଡ୍ୟାମ୍ରେ ଜଳ ପରିଚାଳନା ବ୍ୟବସ୍ଥାକୁ ନେଇ ମଧ୍ୟ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଭିନ୍ନ ନଦୀରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଟୋମେଟିକ୍ ରଖାଯାଇଥିଲା। ଫଳରେ ଅତ୍ୟଧିକ ବର୍ଷା ଯୋଗୁଁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଆକଳନଠାରୁ ଅଧିକ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇଥିଲା ବୋଲି ସେ କହିଛନ୍ତି।
4.Odisha News: ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ହୋଇଥିବା ଯୋଜନାକୁ ପଣ୍ଡ କରିଛି ବନ ବିଭାଗ ଓ ବରଗଡ଼ ପୋଲିସର ମିଳିତ ଟିମ୍। ଏହି ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଅଭୟାରଣ୍ୟ ଭିତରେ ଚିତାବାଘ ଶିକାର ପାଇଁ ଫାଶ ବିଛାଯାଇଥିବା ସୂଚନା ମିଳିବା ପରେ ଏହି ସ୍ୱତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା। ପ୍ରାୟ ୭୦ ଜଣ ବନ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ନେଇ ଦୁଇ ଦିନ ଧରି ଚାଲିଥିଲା ଏହି ଅଭିଯାନ। ଚଢ଼ାଉ ସମୟରେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
5.Delhi Air Pollution: ଦିଲ୍ଲୀ-ଏନ୍ସିଆର୍ରେ କ୍ରମାଗତ ଭାବେ ବିଗୁଡ଼ୁଛି ବାୟୁର ମାନ। ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ବିଶେଷକରି ଶିଶୁ, ବୟସ୍କ ଏବଂ ଶ୍ୱାସଜନିତ ରୋଗରେ ପୀଡ଼ିତ ଲୋକେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତିକୁ ଦେଖି ଅନେକ ସ୍କୁଲ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାକୁ ହାଇବ୍ରିଡ୍ ମୋଡ୍ରେ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ବର୍ଷା ହେଲେ ବାୟୁ ପ୍ରଦୂଷଣ କମିବ ଏବଂ ଲୋକଙ୍କୁ ବିଷାକ୍ତ ବାୟୁରୁ କିଛିଟା ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଥିଲା। ତେବେ ବର୍ଷା ହେବା ମାତ୍ରେ ପ୍ରଦୂଷଣ ସମ୍ପୂର୍ଣ୍ଣ ଦୂର ହେବ ବୋଲି ନିଶ୍ଚିତ କୁହାଯାଇପାରିବ ନାହିଁ।
6.Khallikot: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ NAC ଅନ୍ତର୍ଗତ ଅରବିନ୍ଦନଗର ଲେନ୍-୨ରେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର କାନ୍ଥ ଭାଙ୍ଗିଯିବା ସହ ଲୁହା ଗେଟ୍ ମଧ୍ୟ ଉପୁଡ଼ି ପଡ଼ିଛି। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘର ଭିତରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ନେଇ ପୋଲିସ ଆଶଙ୍କା କରୁଛି। ବିସ୍ଫୋରଣର ପ୍ରକୃତ କାରଣ କ’ଣ ଏବଂ ଘର ଭିତରେ କେଉଁ ପ୍ରକାରର ସାମଗ୍ରୀ ରଖାଯାଇଥିଲା, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।
7.Cough Syrup: ନିଶା କାରବାର ବିରୋଧରେ ଅବକାରୀ ବିଭାଗକୁ ମିଳିଛି ସଫଳତା। ସମ୍ବଲପୁର ଜିଲ୍ଲାରେ ୧୦ ବସ୍ତା କଫ୍ ସିରପ୍ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁସାରେ, ଜାତୀୟ ରାଜପଥ-୫୫ ନିକଟ ହାତିବାରୀ ଅଞ୍ଚଳରେ ଚଢ଼ାଉ କରି କଫ୍ ସିରପ୍ ବୋଝେଇ ଏକ ପିକଅପ୍ ଗାଡ଼ିକୁ ଜବତ କରିଛି ଅବକାରୀ ବିଭାଗ। ଯାଞ୍ଚ ସମୟରେ ଗାଡ଼ିରୁ ୧୦ ବସ୍ତା କଫ୍ ସିରପ୍ ମିଳିଥିଲା।
8.Spain General Strike: ଘରଭଡ଼ା ବୃଦ୍ଧି, ଘରର ଅଭାବ ଓ ଦିନକୁ ଦିନ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚକୁ ବିରୋଧ କରି ସ୍ପେନ୍ରେ ବଡ଼ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ଦୀର୍ଘ ୧୪ ବର୍ଷ ପରେ ଦେଶରେ ପ୍ରଥମ ସାଧାରଣ ଧର୍ମଘଟ ହୋଇଥିବାବେଳେ ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଓ ସାଧାରଣ ଲୋକ ସାମିଲ ହୋଇଛନ୍ତି। ବୁଧବାର ରାଜଧାନୀ ମାଡ୍ରିଡ୍ ସମେତ ବାର୍ସିଲୋନାରେ ବିଶାଳ ବିକ୍ଷୋଭ ହୋଇଥିଲା। ତେବେ ବାର୍ସିଲୋନାରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।
9.Crime News: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ପୋଲିସ ଟିମ୍ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି। ବୁଧବାର ଘଟିଥିବା ଏହି ଆକ୍ରମଣରେ ଜଣେ ପୋଲିସ ଉପାଧୀକ୍ଷକ (DSP)ଙ୍କ ସମେତ ୧୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ଦେଖାଦେଇଛି।
10.Nvidia CEO: ଚିପ୍ ନିର୍ମାତା କମ୍ପାନୀ Nvidiaର ସହ-ପ୍ରତିଷ୍ଠାତା ତଥା CEO ଜେନସେନ୍ ହୁଆଙ୍ଗ୍ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦ ଚର୍ଚ୍ଚାକୁ ଆସିଛି। ଚୀନ୍ର ଜଣେ ମହିଳା ଗୁପ୍ତଚରଙ୍କ ସହ ଅତିରିକ୍ତ ବୈବାହିକ ସମ୍ପର୍କ ଥିବା ଅଭିଯୋଗକୁ ନେଇ ସେ କମ୍ପାନୀର ଅଧିକାରୀ ଓ କର୍ମଚାରୀଙ୍କୁ କ୍ଷମା ମାଗିଥିବା ହିନ୍ଦୀ ରିପୋର୍ଟରେ ଦାବି କରାଯାଇଛି। କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାସ୍ଥିତ Nvidiaର ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ ହୁଆଙ୍ଗ୍। ଏହି ବୈଠକରେ ସେ କର୍ମଚାରୀଙ୍କୁ ସମ୍ବୋଧିତ କରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଉପୁଜିଥିବା ବିବାଦ ପାଇଁ ଅନୁତାପ ପ୍ରକାଶ କରିଥିବା କୁହାଯାଇଛି।