ପାରାଦୀପ: ଠିକାଦାର ଶୁଣୁନାହାନ୍ତି ଶ୍ରମ ବିଭାଗ ଅଧିକାରୀଙ୍କ କଥା କି ଉଠାଉ ନାହାଁନ୍ତି ଫୋନ୍ । ଫଳରେ ଅସହାୟ ହୋଇପଡିଛନ୍ତି ଶ୍ରମ ଅଧିକାରୀ। ୬ ମାସ ହେଲା ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶ୍ରମ ବିଭାଗ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ଶ୍ରମିକ।
ଶ୍ରମିକଙ୍କ ଅଭିଯୋଗ ମୁତାବକ ପାରାଦୀପ-ହରିଦାସପୁର ରେଲୱେ ଲାଇନ କାର୍ଯ୍ୟ ଆରମ୍ଭରୁ ପେଟ୍ରୋଲମାନ ଭାବେ ଶ୍ରମିକ ମାନେ ମାସକୁ ମାତ୍ର ୧୦ ହଜାର ଟଙ୍କାରେ କାମ କରୁଥିଲେ। ସେମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ କୁହାଯିବା ସହିତ ସ୍ଥାୟୀ ନିଯୁକ୍ତିର ପ୍ରତିଶୃତି ମଧ୍ୟ ଦିଆଯାଇଥିଲା। ହେଲେ ଏବେ ନୂତନ ଟେଣ୍ଡରରେ ସେମାନଙ୍କୁ ଆଉ କାର୍ଯ୍ୟ କରିବାର ସୁଯୋଗ ନଦେଇ ଅନ୍ୟ ପିଲାଙ୍କୁ ଆଣି କାମ କରାଯାଉଛି। ଯାହାକୁ ବିରୋଧ କରି ଶ୍ରମିକ ମାନେ ଖୋର୍ଦ୍ଧା ସ୍ଥିତ ରେଲୱେ ଡିଭିଜନରେ ଦେଖା କରିବା ସହିତ କମିଶନରଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ଭୁବନେଶ୍ୱର ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହାର ସମାଧାନ ପାଇଁ ଭୁବନେଶ୍ବର ଶ୍ରମ ବିଭାଗ ପାରାଦୀପ ଶ୍ରମ ବିଭାଗ ଅଧିକାରୀଙ୍କୁ ଦାୟିତ୍ଵ ଦେଇଥିଲେ। ହେଲେ ଘଟଣାକୁ ୬ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ।
ଶ୍ରମ ଅଧିକାରୀଙ୍କ କହିବାନୁଯାୟୀ, ଠିକାଦାର ଫୋନ୍ ଉଠାଉ ନାହାଁନ୍ତି, ତେଣୁ ଆମେ କଣ କରିବୁ ? ଯାହାକୁ ବିରୋଧ କରି ଶ୍ରମିକମାନେ ପାରାଦୀପ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଏହି କେସ୍ ରେ ପୂର୍ବରୁ ଗୋଟିଏ ଥର ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି ଏବଂ ଦ୍ବିତୀୟ ତାରିଖରେ ଠିକାଦାର ଆସିଥିଲେ ମଧ୍ୟ ଶ୍ରମିକ ମାନେ ଆସିନଥିଲେ। ଆଜି ଶ୍ରମିକମାନେ ଆସିଛନ୍ତି କିନ୍ତୁ ଠିକାଦାର ଆସିନାହାଁନ୍ତି। ଏହାକୁ ଆଉ ଗୋଟିଏ ତାରିଖକୁ ଧାର୍ଯ୍ୟ କରାଯାଇ ଏହାର ସମାଧାନ ହେବ ଏବଂ ଶ୍ରମିକମାନେ ଉଚିତ୍ ନ୍ୟାୟ ପାଇବେ ବୋଲି ପାରାଦୀପ ଶ୍ରମ ପ୍ରବକ୍ତନ ଅଧିକାରୀ ପ୍ରକାଶ କରିଛନ୍ତି।