ଭୁବନେଶ୍ୱର: (ମନୋଜ ମାଲିଆ) ବାତ୍ୟା ଅର୍ଣ୍ଣବ ପରେ ଆଉ ଏକ ଅବପାତ ଆଶଙ୍କା ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶା ପ୍ରଭାବିତ ହେବା ସମ୍ଭାବନା ରହିଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରୁ ରାଜ୍ୟ ମୁକୁଳି ନଥିବା ବେଳେ ପୁଣି ଏକ ନୂଆ ଅବପାତକୁ ନେଇ ବଢ଼ିଛି ଚିନ୍ତା। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଘୂର୍ଣ୍ଣିବଳୟ ଓ ଲଘୁଚାପ ଜନିତ ପାଣିପାଗ ପ୍ରଣାଳୀ ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ପ୍ରଭାବିତ ହେବା ନେଇ IMD ପୂର୍ବାନୁମାନ କରିଥିବା ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
IMDର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଅବପାତ ଆଗକୁ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ। ନଭେମ୍ବର ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହାର ପରୋକ୍ଷ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସହ ପବନ ହେବା ସମ୍ଭାବନା ରହିଛି।
ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ। ନୂଆ ପାଣିପାଗ ପ୍ରଣାଳୀକୁ ନେଇ ରାଜ୍ୟ ସରକାର ସତର୍କ ରହିଥିବା ବେଳେ ପୂର୍ବରୁ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ପୁଣି ବର୍ଷା ହେଲେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି।
ତେବେ ନୂଆ ପାଣିପାଗ ପ୍ରଣାଳୀର ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି। ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ସହ ଲୋକଙ୍କୁ ପାଣିପାଗ ବିଭାଗର ପରାମର୍ଶ ମାନିବାକୁ କୁହାଯାଇଛି ।
Also Read- ନୟାପଲ୍ଲୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨ ମହିଳା ମୃତ