ନୟାପଲ୍ଲୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨ ମହିଳା ମୃତ
ଦୁର୍ଘଟଣା ପରେ ବସ୍ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର: (ମନୋଜ ମାଲିଆ) ରାଜଧାନୀର ବ୍ୟସ୍ତବହୁଳ ଅଞ୍ଚଳ ନୟାପଲ୍ଲୀ କ୍ରିଷ୍ଣା ଟାୱାର ନିକଟରେ ଆଜି ଭୋର ସମୟରେ ଘଟିଛି ଭୟାବହ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଏକ କାର୍କୁ ଧକ୍କା ଦେବା ପରେ ରାସ୍ତାରେ ଚାଲୁଥିବା ପଥଚାରୀଙ୍କୁ ମଧ୍ୟ ଧକ୍କା ଦେଇଥିବା ଜଣାପଡ଼ିଛି।
ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ମହିଳା ଯିଏ ଅନ୍ୟ ଲୋକଙ୍କ ଘରେ କାମ କରିବାକୁ ଯାଉଥିଲେ ଓ ଅନ୍ୟ ଜଣେ ମର୍ଣ୍ଣିଂ ୱାକରେ ଆସିଥିବା ଯୁବତୀ । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।
ଦୁର୍ଘଟଣା ପରେ ବସ୍ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଭିଡ ଦେଖିବାକୁ ମିଳିଥିଲା । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି।
Also Read- ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାରଙ୍କ ଦ୍ୱିତୀୟ ଇନିଂସ୍, ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ