କୋଟିଆ ଆମର ରହିଛି ଓ ରହିବ, ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି - ସୁର ରାଉତରାୟ
କୋଟିଆ ଆମର ରହିଛି ଓ ରହିବ, ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି: ରାଜ୍ୟ ସରକାର ଓ କେନ୍ଦ୍ର ଉପରେ ବର୍ଷିଲେ ସୁର ରାଉତରାୟ
ଭୁବନେଶ୍ୱର: (ମନୋଜ ମାଲିଆ) କୋଟିଆ ସୀମା ବିବାଦ, ଦରଦାମ ବୃଦ୍ଧି ଏବଂ MMDR ସଂଶୋଧନ ଆକ୍ଟକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, "କୋଟିଆ ଆମର ରହିଛି ଓ ରହିବ, ଆମେ ଆନ୍ଧ୍ରକୁ ଇଞ୍ଚେ ବି ଜମି ଛାଡ଼ିବୁ ନାହିଁ।"
ସୁର ରାଉତରାୟ ଅଭିଯୋଗ କରିଛନ୍ତି ଯେ, କୋଟିଆ ଅଞ୍ଚଳରେ ଏକ ମୂଲ୍ୟବାନ ସୁନା ଖଣି ରହିଛି, ଯାହାକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଏପରି ଚାଲ୍ ଚଳାଉଛନ୍ତି ଏବଂ ଥୋପ ପକାଉଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ସହ ଏ ବାବଦରେ ଥରେ ବି କଥା ହେଲେଣି କି ବୋଲି ସେ ସିଧାସଳଖ ପଚାରିଛନ୍ତି।
କୋଟିଆ ବିବାଦ ସହ ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଦରଦାମ ବୃଦ୍ଧିକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଛନ୍ତି ସତ, ହେଲେ ଓଡ଼ିଶାକୁ ଦେଉଛନ୍ତି କଣ? ଓଲଟା MMDR (Minerals Minerals Development and Regulation) ସଂଶୋଧନ ଆକ୍ଟ ବଳରେ ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ନେଇଯାଇଛନ୍ତି ବୋଲି ସୁର ରାଉତରାୟ ଦାବି କରିଛନ୍ତି। ଏହି ସମସ୍ତ ପ୍ରସଙ୍ଗକୁ ନେଇ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରିଛନ୍ତି।
Also Read- ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଆଉ ଏକ ବଡ ଅଭିଯୋଗ
Also Read- Cyclone Murasu Landfall: ବାତ୍ୟା 'ମୁରାସୁ' ପ୍ରଭାବ, ଉଡିଲା ଛପର ଭାଙ୍ଗିଲା ଗଛ...