ଭୁବନେଶ୍ୱର: ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଆଉ ଏକ ବଡ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଆଣିଛନ୍ତି ନିଲମ୍ବିତ ବାଲେଶ୍ୱର ଜେଲର ପ୍ରଦୀପ୍ତ ମହାଳିକ । ଜଣେ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବାକୁ ତାଙ୍କୁ ଜେଲ୍ ଡିଜି ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଜେଲ୍ ଡିଜିଙ୍କ କଥାରେ ସେ ରାଜି ନହେବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ୍ତ । ଚିଠିରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି ।
ସାମ୍ନାକୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ମହାଶୟ, ମୁଁ ଶ୍ରୀ ପ୍ରଦୀପ କୁମାର ମହାଳିକ, ବୟସ-୪୦ ବର୍ଷ, ପିତା – ହରିହର ମହାଳିକ, ଗ୍ରାମ ଲକ୍ଷ୍ମଣପୁର, ଥାନା-ତିହିଡ଼ି, ଜି-ଭଦ୍ରକ ଅଟେ । ମୁଁ ତା ୧୬.୦୬.୨୦୨୫ରିଖ ଠାରୁ ଜିଲ୍ଲା କାରାଗାର ବାଲେଶ୍ଵରରେ କାରାପାଳ ଭାବେ କାର୍ଯ୍ୟ କରିଆସୁଅଛି । ଲେଖିବାର କାରଣ ଏହିକି ଯେ, ତା.୦୮.୧୦.୨୦୨୬ରିଖ ଦିନ ପ୍ରାୟ ୨.୩୫ ମିନିଟ ସମୟରେ ମୋ ମୋବାଇଲକୁ Whatsapp କଲ ମାଧ୍ୟମରେ ଡି.ଜି ପ୍ରିଜିନସ୍ ସାର ଫୋନ କରି ମୋତେ କହିଲେ କି ତୁମେ ଆଜି ସନ୍ଧ୍ୟା ସୁଦ୍ଧା ମୋ ଅଫିସରେ ଆସି ଦେଖା କରିବ । ମୁଁ ଡି.ଜି ସାରଙ୍କୁ କହିଥିଲି ସାର ଆଜି ଓଡ଼ିଶା ବନ୍ଦ ଥିବାରୁ କୌଣସି ଗାଡ଼ି ମଟର ଚଳାଚଳ କରୁନାହିଁ ତେଣୁ ସନ୍ଧ୍ୟା ସୁଦ୍ଧା ଆପଣଙ୍କ ଅଫିସରେ ପହଞ୍ଚି ପାରିବି ନାହିଁ । ତାପରେ ଡି.ଜି ସାର କହିଲେ କି ଆଜି ଟ୍ରେନ ଚଳାଚଳ କରୁଛି ତୁମେ ଟ୍ରେନରେ ଆସ । ଉକ୍ତ ବାର୍ତ୍ତାଳାପ ସମୟରେ ଆମ କାରାଗାର ସୁପରିନଟେନଡେଣ୍ଟ ମାୟାଧର ମୋ ଅଫିସରେ ଉପସ୍ଥିତ ଥିଲେ । ଏହା ସେ ଭଲ ଭାବରେ ଜାଣିଛନ୍ତି । ତାପରେ ମୁଁ ଉକ୍ତ ଦିନ ଅର୍ଥାତ ତା୦୮.୧୦.୨୦୨୬ରିଖ ଦିନ ଉତ୍ତର ବେଙ୍ଗାଲ ବିବେକ ଏକ୍ସପ୍ରେସରେ ଭୁବନେଶ୍ଵରକୁ ଗଲି । ମୁଁ ଟ୍ରେନରେ ଥିବା ସମୟରେ ଡି.ଜି ସାର ପୁଣି ମୋ ମୋବାଇଲକୁ ଫୋନ କରି କହିଲେ କି ତୁମେ କେଉଁଠି ପହଞ୍ଚିଲଣି, ମୁଁ କହିଲି ସାର ଟ୍ରେନରେ ଏବେ ବସିଛି ଭୁବନେଶ୍ଵର ପହଞ୍ଚିଲା ବେଳକୁ ରାତି ପ୍ରାୟ ୧୦ ଟା ହୋଇଯିବ । ତାପରେ ଡି.ଜି ସାର କହିଲେ କି ତୁମେ ଭୁବନେଶ୍ଵର ପହଞ୍ଚିଲେ, ଭୁବନେଶ୍ଵର ଜେଲର ସୁପରିନଟେନଡେଣ୍ଟ ସର୍ବେଶ୍ଵର ସାହୁଙ୍କୁ ଦେଖା କରି ମୋ Quarter ରେ ଆସି ଦେଖା କରିବ । ମୁଁ ସେଦିନ
ପ୍ରାୟ ରାତି ୧୦.୩୦ ମିନିଟ ସମୟରେ Bhubaneswar Railway Station ରେ ପହଞ୍ଚିଲି । ମୁଁ ଭୁବନେଶ୍ଵରରେ ପହଞ୍ଚିଲା ବେଳକୁ ଭୁବନେଶ୍ଵର ଜେଲ ସୁପରିନଟେନଡେଣ୍ଟ ଶ୍ରୀ ସର୍ବେଶ୍ଵର ସାହୁ ଷ୍ଟେସନରେ ଅପେକ୍ଷା କରିଥିଲେ । ତାଙ୍କ ସହ ମୁଁ କଥା ହେଲି ଏବଂ ସେ କହିଲେ କି ଡି.ଜି ସାର କହିଛନ୍ତି ଏତେ ରାତି ହେଲାଣି ଆଜି ତାଙ୍କ Quarter କୁ ଯିବା ନାହିଁ । ଆସନ୍ତା କାଲି ସକାଳେ ଡି.ଜି ସାରଙ୍କ Quarter କୁ ଯିବା । ମୁଁ କହିଲି କାହିଁକି ମୋତେ ଡି.ଜି. ସାର ଡାକିଛନ୍ତି ମୁଁ ଜାଣି ପାରୁ ନାହିଁ ଯଦି ଆପଣ କାରଣ ଜଣା ଜାଣିଛନ୍ତି ତାହେଲେ ମୋତେ କୁହନ୍ତୁ । ତାପରେ ସେ କହିଲେ କି ତୁମ ଜେଲରେ ଥିବା ଜଣେ ୟୁ.ଟି.ପି. ତାର ନାମ ରାଜାବ ଲୋତନ ଦାସ ଅଛି ତା ପକେଟରେ ବ୍ରାଉନସୁଗାର ରଖି ତାକୁ ତଲାସି କରି ତା ପାଖରୁ ବ୍ରାଉନସୁଗାର ବାହାର କରି ତା ନାମରେ ପୋଲିସରେ କେସ ଦେବା । ଏହି କାମ ପାଇଁ ଡି.ଜି ସାର ତମକୁ ଡାକିଛନ୍ତି ।
ଏହା ଶୁଣିଲା ପରେ ମୁଁ କହିଲି କି ଆପଣ ଡି.ଜି ସାରଙ୍କୁ କହି ଦିଅନ୍ତୁ ମୁଁ ସେ କାମ କରିପାରିବି ନାହିଁ । ତାପରେ ସର୍ବେଶ୍ଵର ସାହୁ କହିଲେ କି ନାଁ ଡି.ଜି ସାର ମୋତେ କହିଛନ୍ତି ତୁମେ ଏ କାମ କରିବ । ତୁମେ ଆଜି ଏଠାରେ ଥିବା କୌଣସି ଲଜ୍ ରେ ରହିଯାଅ ଆସନ୍ତାକାଲି ଅର୍ଥାତ ୦୯.୧୦.୨୦୨୬ରିଖ ଦିନ ସକାଳେ ଡି.ଜି. ସାରଙ୍କ Quarter କୁ ଯିବା ତେଣୁ ମୁଁ ଷ୍ଟେସନ ରୋଡ୍ ରେ ଥିବା ହୋଟେଲ Kamelia Grand ରେ ରାତିରେ ରହିଲି । ତାପର ଦିନ ସକାଳ ୯ ଟାରେ ଭୁବନେଶ୍ଵର ଜେଲ ସୁପରିନଟେନଡେଣ୍ଟ ସର୍ବେଶ୍ଵର ସାହୁ ଆସି ଲଜ୍ ପାଖରେ ପହଞ୍ଚିଲେ ତାପରେ ଆମେ ଦୁଇ ଜଣ ତାଙ୍କ ସ୍ଵିଫ୍ଟରେ ଡି.ଜି ସାରଙ୍କ Quarter କୁ ଗଲୁ । ଡି.ଜି ସାରଙ୍କ Quarter ବାହାରେ ମୋତେ ରଖି ଦେଇ ସର୍ବେଶ୍ଵର ସାହୁ ଡି.ଜିଙ୍କ Quarter କୁ ଗଲେ ପ୍ରାୟ ଅଧେ ଘଣ୍ଟା ପରେ ଡି.ଜିଙ୍କ Quarter ରୁ ଆସି ମୋତେ କହିଲେ କି ଡି.ଜି ବଡ଼ ରାଗୁଛନ୍ତି ଯାହା ହେଲେ ବି ତୁମେ ଏ କାମ କର । ତାପରେ ମୁଁ ତାଙ୍କୁ କହିଲି ମୁଁ ଏ କାମ କରିପାରିବି ନାହିଁ । ତାପରେ ସର୍ବେଶ୍ଵର ସାହୁ କହିଲେ ତାହେଲେ ତୁମେ ବାଲେଶ୍ଵର ଫେରି ଯାଅ ମୁଁ ଡି.ଜି ଅଫିସକୁ ଯାଉଛି । ତାପରେ ସର୍ବେଶ୍ଵର ସାହୁ ତାଙ୍କ ସ୍ଵିଫ୍ଟରେ ଆଣି ନୂଆ ଥାନା ପାଖରେ ମୋତେ ଛାଡ଼ି ଦେଇ ସେ ଡି.ଜିଙ୍କ ଅଫିସକୁ ଗଲେ ମୁଁ ଅଟୋରେ ସି.ଆର.ପି ଛକକୁ ଆସିଲି ।
ସି.ଆର.ପି ଛକରେ ପହଞ୍ଚୁ ପହଞ୍ଚୁ ସର୍ବେଶ୍ଵର ସାହୁ ପୁଣି ମୋତେ ଫୋନ କରି କହିଲେ କି ତୁମେ ଡି.ଜି ଅଫିସକୁ ଆସ ଡି.ଜି ସାର ଡାକୁଛନ୍ତି । ସେହି ସମୟରେ ମଧ୍ୟ Confidential Section ରୁ ଫୋନ କରି କୁହାଗଲା କି ଡି.ଜି ସାର ଡାକୁଛନ୍ତି ତୁମେ ଡି.ଜିଙ୍କୁ ଦେଖା କର । ମୁଁ ଡ.ଜିଙ୍କ ଅଫିସକୁ ଫେରିଲି ଏବଂ ଡ.ଜିଙ୍କୁ ଦେଖା କରିବା ପାଇଁ ଡି.ଜିଙ୍କ ଅଫିସ ଭିତରକୁ ଗଲି ଏବଂ ଦେଖିଲି ଭୁବନେଶ୍ଵର ସୁପରିନଟେନଡେଣ୍ଟ ଡି.ଜି ସାରଙ୍କ ସାମ୍ନାରେ ବସିଛନ୍ତି ଏବଂ ମୋତେ ଡି.ଜି ସାର ବସିବା ପାଇଁ କହିଲେ । ମୁଁ ବସି ଥିବା ସମୟରେ ଡି.ଜି ସାର କହିଲେ ପ୍ରଦୀପ ତୁମେ ଏ କାମଟା କର କାରଣ ଏ କାମ କରିବା ପାଇଁ ମୋତେ Home Department ବହୁତ ପ୍ରେସର କରାଯାଉଛି । ତେଣୁ ତୁମେ ଏ କାମଟା କରିଦିଅ, ମୁଁ ତମକୁ ଯେତେ ଟଙ୍କା ଦରକାର ଦେବି, ପୁରସ୍କାର ମଧ୍ୟ ଦେବି, ପ୍ରମୋସନ ଦେବି । କିନ୍ତୁ ମୁଁ ତାଙ୍କୁ ମନା କଲି ଆଉ କହିଲି କି ସାର ମୁଁ ଏ କାମ ଆଦୌ କରିପାରିବି ନାହିଁ । ସେଦିନ ମୋତେ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଡି.ଜିଙ୍କ ଅଫିସରେ ଡି.ଜି ଅଟକାଇ ରଖିଲେ ଏବଂ ମୋ ଉପରେ ବହୁତ ଚାପ ପ୍ରୟୋଗ କଲେ ଏ କାମ କରିବା ପାଇଁ ।
ଉକ୍ତ ଦିନ ସନ୍ଧ୍ୟାରେ ମୁଁ ଡି.ଜିଙ୍କ ଅଫିସରୁ ଫେରିବା ସମୟରେ ମଧ୍ୟ ଭୀଷଣ ଅସୁସ୍ଥ ହେବାରୁ ମୁଁ ଆଉ ବାଲେଶ୍ଵର ଫେରିପାରିଲି ନାହିଁ । ମୁଁ ଏହା ପରେ ଜାଣିବାକୁ ପାଇଲି କି ପ୍ରଜ୍ଞା ପ୍ରକାଶ ନାୟକ ବୋଲି ଏକ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଡି.ଜି ଏଭଳି ଅନୈତିକ କାର୍ଯ୍ୟ କରିବା ପାଇଁ ମୋ ଉପରେ ଚାପ ପ୍ରୟୋଗ କରୁଥିଲେ । ତାପର ଦିନ ଅର୍ଥାତ ତା. ୧୦.୧୦.୨୦୨୬ରିଖ ଦିନ ସମ୍ ହସ୍ପିଟାଲ ଭୁବନେଶ୍ଵର ଯାଇ ଡାକ୍ତରଙ୍କ ସହିତ ସ୍ଵାସ୍ଥ୍ୟ ବିଷୟ ପରାମର୍ଶ କରି ବାଲେଶ୍ଵର ଫେରିଲି । ବାଲେଶ୍ଵର ପହଞ୍ଚିଲା ବେଳକୁ ରାତି ପ୍ରାୟ ୮ ଟା ହୋଇଯାଇଥିଲା । ବାଲେଶ୍ଵର ସରକାରୀ Quarter ମୁଁ ପହଞ୍ଚିଲା ପରେ ମୋ ସ୍ଵାସ୍ଥ୍ୟ ଆହୁରି ଅବନତି ହେବାରୁ ମୁଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ତା. ୧୧.୧୦.୨୦୨୬ରିଖ ପର୍ଯ୍ୟନ୍ତ ମୁଁ ଚିକିତ୍ସାରେ ଥିଲି । ତା.୧୨.୧୦.୨୦୨୬ରିଖ ଦିନ ଡିସଚାର୍ଜ ହେବା ପରେ ମୁଁ ପ୍ରାୟ ୨ ଟା ସମୟରେ ମୋର ଚିକିତ୍ସାଳୟରେ ଭର୍ତ୍ତି ସମ୍ପର୍କରେ ଉପଯୁକ୍ତ ଅଧିକାରୀଙ୍କୁ Email ଯୋଗେ ଜଣାଇଥିଲି । ତଥାପି ଡି.ଜି ଆକ୍ରୋଶ ମୂଳକ ଭାବରେ ମୋତେ ତା. ୧୩.୧୦.୨୦୨୭ରିଖ ଦିନ Suspend କରିଦେଲେ । ମୋର ଏହି Suspension ସମ୍ପୂର୍ଣ୍ଣ ଅନୈତିକ, ଅବୈଧ ହୋଇଥିବାରୁ ମୁଁ ଏବଂ ମୋର ପରିବାର ସମ୍ପୂର୍ଣ୍ଣ ମାନସିକ ଚିନ୍ତାଗ୍ରସ୍ତ, ଭାରସାମ୍ୟ ଅବସ୍ଥାରେ ରହିଅଛୁ । ଏଣୁ ମୁଁ ବିନୀତ ପ୍ରାର୍ଥନା କରେ କି ମୋର Suspension କୁ ଉଚ୍ଛେଦ କରାଯାଇ ମୋତେ ଉକ୍ତ କାରାଗାରରେ ପୁନଃ ଅବସ୍ଥାପିତ କରାଗଲେ ମୁଁ ଆପଣଙ୍କ ନିକଟରେ ଚିରୋପକୃତ ହେବି । ଇତି । ତା. ୦୨.୧୧.୨୦୨୭ରିଖ ଆପଣଙ୍କ ବିଶ୍ଵସ୍ତ (ପ୍ରଦୀପ କୁମାର ମହାଳିକ)କାରାପାଳ, ଜିଲ୍ଲା କାରାଗାର ବାଲେଶ୍ଵର (ନିଲମ୍ବିତ) ।