Crime News: ବାଲି ବ୍ୟବସାୟୀ ଗିରଫ, ମୁଙ୍ଗେର ବନ୍ଧୁକ ଚାଲାଣ ନେଟୱର୍କ ଉପରେ ପୋଲିସର ନଜର ରାଜଧାନୀ ଉପକଣ୍ଠରେ ବେଆଇନ ବନ୍ଧୁକ କାରବାର ଉପରେ କମିଶନରେଟ୍ ପୋଲିସର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ସ୍ପେଶାଲ କ୍ରାଇମ ୟୁନିଟ୍ (SCU) ବାଲିପାଟଣା ଅଞ୍ଚଳରେ ଚଢ଼ାଉ କରି ଦୁଇଟି ସେମି ଅଟୋମେଟିକ୍ ବନ୍ଧୁକ ଜବତ କରିବା ସହ ଜଣେ ବାଲି ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ବିଶ୍ୱଜିତ ବେହେରା ଓରଫ କାଳିଆ।
ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ସେମି ଅଟୋମେଟିକ୍ ବନ୍ଧୁକ ସହ ୮ଟି ଜୀବନ୍ତ ଗୁଳି, ଗୋଟିଏ ଥାର ଗାଡ଼ି, ଦୁଇଟି ମୋବାଇଲ ଫୋନ୍ ଏବଂ ୫୧୦ ଟଙ୍କା ଜବତ କରାଯାଇଛି। ଏନେଇ SCU ପକ୍ଷରୁ ମାମଲା ନମ୍ବର ୨୩/୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ୫ଟି ବନ୍ଧୁକ କାରବାର ମାମଲା ରହିଥିବା SCU ଡିସିପି ଅନୁପ କାନୁନଗୋ ସୂଚନା ଦେଇଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ବିଶ୍ୱଜିତ ବିହାରର ମୁଙ୍ଗେରରୁ ବନ୍ଧୁକ କିଣିଥିଲେ। ଦୁର୍ଗାପୂଜା ସମୟରେ ନିଜ ଗାଁରେ ବନ୍ଧୁକ ଧରି ଗୁଳି ଫୁଟାଇଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହାପରେ ସେ ଫେରାର ହୋଇଯାଇଥିଲେ। ତେବେ ସ୍ପେଶାଲ କ୍ରାଇମ ୟୁନିଟ୍ ତାଙ୍କ ଉପରେ ନଜର ରଖିଥିଲା ଏବଂ ଶେଷରେ ବାଲିପାଟଣାରୁ ତାଙ୍କୁ ଗିରଫ କରିଛି। ବାଲି ବ୍ୟବସାୟରେ ନିଜ ସୁରକ୍ଷା ପାଇଁ ବନ୍ଧୁକ ରଖିଥିବା ଅଭିଯୁକ୍ତ ପୋଲିସକୁ କହିଥିବା ଡିସିପି ସୂଚନା ଦେଇଛନ୍ତି।
ମୁଙ୍ଗେରରୁ ବନ୍ଧୁକ ଆସିଥିବା ଜଣାପଡ଼ିବା ପରେ ଏହା ପଛରେ ଥିବା ଚୋରା ବନ୍ଧୁକ ଯୋଗାଣ ନେଟୱର୍କର ଖୋଳତାଡ଼ ଆରମ୍ଭ କରିଛି ପୋଲିସ। ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଓଡ଼ିଶାକୁ କିପରି ବନ୍ଧୁକ ଚାଲାଣ ହେଉଛି, ସେନେଇ ତଦନ୍ତ ଚାଲିଛି।
ଅନ୍ୟପଟେ ରାଜଧାନୀରେ ବାରମ୍ବାର ବେଆଇନ ବନ୍ଧୁକ ଜବତ ଓ ବନ୍ଧୁକରେ ଅପରାଧ ଘଟଣାକୁ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ। ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମ୍. କହିଛନ୍ତି। ପୂର୍ବରୁ ଯେଉଁ ମାମଲାଗୁଡ଼ିକରେ ବେଆଇନ ବନ୍ଧୁକ ଜବତ ହୋଇଛି, ସେସବୁର ପୁନଃ ତଦନ୍ତ କରାଯିବ।
ବନ୍ଧୁକ କେଉଁଠୁ ଆସିଥିଲା, ଏହାର ଯୋଗାଣକାରୀ କିଏ ଏବଂ ଏହା ପଛରେ କେଉଁ ଗ୍ୟାଙ୍ଗ କାମ କରୁଛି, ସେସବୁ ଦିଗକୁ ନେଇ ତଦନ୍ତ ଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ବନ୍ଧୁକ ଜବତ କରାଯାଇଛି। ଆଗକୁ ବେଆଇନ ବନ୍ଧୁକ ଚାଲାଣ ଉପରେ ଅଙ୍କୁଶ ଲଗାଇବା ସହ ଏହି ନେଟୱର୍କକୁ ଭାଙ୍ଗିବା ପାଇଁ ପୋଲିସ ଜୋରଦାର ପଦକ୍ଷେପ ନେବ ବୋଲି ଡିସିପି କହିଛନ୍ତି। ତେବେ ଏହି ଘଟଣା ପରେ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବେଆଇନ ବନ୍ଧୁକ କାରବାର ରୋକିବା ସହ ମୁଙ୍ଗେର ଲିଙ୍କ୍ର ପର୍ଦ୍ଦାଫାସ କରିବା ପୋଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି।