ଋଷିକୁଲ୍ୟା ନଦୀର ଜଳ ପ୍ରବାହ ଏବେ ବିପଦ ସଙ୍କେତ ତଳେ - SRC
ବନ୍ୟା ପ୍ରଭାବିତ ଉଭୟ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଭୁବନେଶ୍ୱର: (ମନୋଜ ମାଲିଆ) ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି SRC। ତାଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୯ ତାରିଖରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୮୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ମୋଟ ୭ଟି ସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଫଳରେ ଉଭୟ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏବେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବାକୁ ଲାଗିଛି। ଋଷିକୁଲ୍ୟା ନଦୀର ଜଳ ପ୍ରବାହ ମଧ୍ୟ ଏବେ ବିପଦ ସଙ୍କେତ ତଳେ ରହିଛି।
ବନ୍ୟା ପ୍ରଭାବିତ ଉଭୟ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେବଳ ଗୋଟିଏ ଗାଁକୁ ସଡ଼କ ପଥରେ ରିଲିଫ ସାମଗ୍ରୀ ପହଞ୍ଚାଇବା ସମ୍ଭବ ହୋଇନଥିବାରୁ ସେଠାରେ ଆକାଶମାର୍ଗରୁ ରିଲିଫ ସାମଗ୍ରୀ ପକାଯାଉଛି। ବନ୍ୟା ପ୍ରଭାବିତ ଗାଁ ଓ ସହରାଞ୍ଚଳରେ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଦୁଇ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋଟ ୩୬୭ଟି ରିଲିଫ କ୍ୟାମ୍ପ ଚାଲୁ ରହିଛି। ଏଥିରେ ଗଞ୍ଜାମ ଜିଲ୍ଲାର ୧ ଲକ୍ଷ ୫ ହଜାର ୬୨୨ ଜଣ ଏବଂ ଗଜପତି ଜିଲ୍ଲାର ୨୯ ହଜାର ୭୮୨ ଜଣଙ୍କୁ ଆଶ୍ରୟ ଦିଆଯାଇଛି। ଅନ୍ୟପଟେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଖୁବଶୀଘ୍ର ଏହି କାମ ଶେଷ ହେବ ବୋଲି SRC ସୂଚନା ଦେଇଛନ୍ତି।
ସେହିପରି ଗଜପତି ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୧୩ ଜଣ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି SRC। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ବରିଷ୍ଠ IAS ଅଧିକାରୀଙ୍କ ସହ ବରିଷ୍ଠ ଅଗ୍ନିଶମ ଅଧିକାରୀ, ଓଡ୍ରାଫ ଓ NDRF ଟିମ୍ ନିୟୋଜିତ ହୋଇଛନ୍ତି। ମୋଟ ୧୬୦ ଜଣ ଅଧିକାରୀ ଓ ଉଦ୍ଧାରକାରୀ କର୍ମଚାରୀ ନିଖୋଜଙ୍କ ସନ୍ଧାନ କାର୍ଯ୍ୟରେ ଲାଗିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ସହ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟ ପ୍ରଶାସନ କାର୍ଯ୍ୟ କରୁଥିବା SRC କହିଛନ୍ତି।
Also Read- ଭଦ୍ରକ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଘର ଭିତରେ ପଶି ଲୁଟିନେଲେ...