ଭଦ୍ରକ: ଧୂଷୁରୀ ଥାନା ଅଧୀନ ରଇପୁର ଗ୍ରାମରେ ଗତକାଲି ରାତିରେ ଏକ ବଡ଼ ଧରଣର ଡକାୟତି ଘଟିଛି। ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ପୀତବାସ ରାଉତଙ୍କ ଘରେ ପଶି ପରିବାରର ୮ ଜଣ ସଦସ୍ୟଙ୍କୁ ବନ୍ଧକ ରଖି ସୁନା ଅଳଙ୍କାର ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ପରିବାରର କେତେକ ସଦସ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାତିରେ ୬ ଜଣ ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ପୀତବାସଙ୍କ ଘରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଘର ଭିତରକୁ ପଶିଥିବା ବେଳେ ଅନ୍ୟ ୨ ଜଣ ବାହାରେ ଜଗି ରହିଥିଲେ। ଦୁର୍ବୃତ୍ତଙ୍କ ହାତରେ ୪ଟି ପିଷ୍ଟଲ ଓ ଭୁଜାଲି ଥିବା ଅଭିଯୋଗ ହୋଇଛି। ଘରେ ଥିବା ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସୁନା ଓ ଟଙ୍କା ମାଗିଥିଲେ। ପରିବାର ଲୋକେ ଟଙ୍କା ଓ ଅଳଙ୍କାର ଦେବାକୁ ମନା କରିବାରୁ ଘରେ ଥିବା ଛୋଟ ଶିଶୁକୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ପରିବାର ସଦସ୍ୟମାନେ ପିନ୍ଧିଥିବା ସୁନା ଅଳଙ୍କାର ଦେଇଥିଲେ । ଏଥି ସହ ଦୁର୍ବୃତ୍ତମାନେ ଗଡ଼ରେଜ୍ ଆଲମାରି ଭାଙ୍ଗି ଘରେ ଥିବା ନଗଦ ଟଙ୍କା ଲୁଟି ନେଇଥିଲେ।
ଲୁଟ୍ ସାମଗ୍ରୀ ମଧ୍ୟରେ ୫ ହଳ କାନଫୁଲ, ୨ଟି ମଙ୍ଗଳସୂତ୍ର, ୨ଟି ମୁଦି, ୨ଟି ସୁନା ଚେନ୍ ଓ ନଗଦ ୭୦ ହଜାର ଟଙ୍କା ଥିବା ଜଣାପଡ଼ିଛି। ଏହାସହ ଦୁର୍ବୃତ୍ତମାନେ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିଲେ। ଘଟଣା ସମୟରେ ୫ ରାଉଣ୍ଡ ଗୁଳି ଫୁଟିଥିବା ମଧ୍ୟ ସୂଚନା ମିଳିଛି। ଖବର ପାଇ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ କରାଯିବା ସହ ଘଟଣାସ୍ଥଳରୁ ଗୋଟିଏ ଗୁଳି ଜବତ କରାଯାଇଥିବା ଜଣାପଡ଼ିଛି। ଏହି ସଶସ୍ତ୍ର ଡକାୟତି ଘଟଣା ପରେ ରଇପୁର ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।