କେନ୍ଦୁଝର: ବିକାଶ ନାଁରେ ଜଙ୍ଗଲ ଧ୍ୱଂସ ଓ ହାତୀଙ୍କ ପ୍ରାକୃତିକ ବାସସ୍ଥାନ ସଙ୍କୁଚିତ ହେବା ଏବେ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷକୁ ଅଧିକ ତୀବ୍ର କରୁଛି। ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ଯୋଗୁଁ ହାତୀପଲ ଗାଁମୁହାଁ ହେଉଥିବା ବେଳେ ଚାଷଜମିରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ କେନ୍ଦୁଝର ଜିଲ୍ଲାର ମୈଦାନକେଲ ଅଞ୍ଚଳରେ ହାତୀ-ମଣିଷ ସଂଘର୍ଷକୁ ନେଇ ଚିନ୍ତା ବଢ଼ିଛି।
କେନ୍ଦୁଝର ବନଖଣ୍ଡରେ ୧୫ ଦଳରେ ୧୫୪ ହାତୀ:
ଦିଆଯାଇଥିବା ବନ ବିଭାଗର ସୂଚନା ଅନୁଯାୟୀ, କେନ୍ଦୁଝର ବନଖଣ୍ଡରେ ୧୫ଟି ଦଳରେ ବିଭକ୍ତ ହୋଇ ମୋଟ ୧୫୪ଟି ହାତୀ ରହିଛନ୍ତି। ଏଥିମଧ୍ୟରୁ ୩୬ଟି ହାତୀ କେନ୍ଦୁଝର ସଦର ରେଞ୍ଜର ମୈଦାନକେଲ ଅଞ୍ଚଳରେ ଗତ ତିନି ଦିନ ଧରି ଡେରା ପକାଇଛନ୍ତି।
ଏହି ହାତୀପଲ ଦିନ ହେଉ କି ରାତି, ଚାଷଜମିରେ ପଶି ଫସଲ ଖାଇବା ସହ ପାଦରେ ଦଳିଚକଟି ଏକର ଏକର ଜମିର ଫସଲ ନଷ୍ଟ କରୁଛନ୍ତି। ହାତୀଙ୍କ ଉପଦ୍ରବ ଯୋଗୁଁ ନିଜ ବର୍ଷକର ଆହାର ପାଇଁ ପରିଶ୍ରମ କରି ଚାଷ କରିଥିବା ଚାଷୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ଫସଲକୁ ହାତୀଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀମାନେ ଦିନରାତି ଜଗି ରହୁଛନ୍ତି।
ହାତୀ ଘଉଡ଼ାଇବାକୁ ଗ୍ରାମବାସୀଙ୍କ ଉଦ୍ୟମ, ବଢ଼ୁଛି ବିପଦ:
ହାତୀପଲ ଗାଁ ଆଡ଼କୁ ମାଡ଼ି ଆସିଲେ ସେମାନଙ୍କୁ ଅଟକାଇବା ପାଇଁ କେତେକ ଗ୍ରାମବାସୀ ନିଆଁହୁଳା, ମଶାଲ, ଠେଙ୍ଗାବାଡ଼ି ଓ ଟେକାପଥର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହାତୀଙ୍କୁ ଗାଁରେ ପ୍ରବେଶ କରିବାକୁ ନଦେବା ପାଇଁ ଲୋକମାନେ ଚାରିପଟୁ ଘେରି ରହୁଛନ୍ତି।
ତେବେ ଏଭଳି ସ୍ଥିତିରେ ହାତୀମାନେ ଯିବା ପାଇଁ ରାସ୍ତା ନପାଇ ଉତ୍ତେଜିତ ହୋଇପାରନ୍ତି। ଫଳରେ ଉଭୟ ମଣିଷ ଓ ହାତୀଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି। ଗୋଟିଏ ପଟେ ଚାଷୀଙ୍କ ଫସଲ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ହାତୀଙ୍କୁ ଘେରିବା ଓ ଉତ୍ତେଜିତ କରିବା ଦ୍ୱାରା ସଂଘର୍ଷ ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ରହିଛି।
ହାତୀଙ୍କୁ ଘେରନ୍ତୁ ନାହିଁ, ସଚେତନ କରୁଛି ବନ ବିଭାଗ:
ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ପାଇଁ ବନ ବିଭାଗ ପକ୍ଷରୁ ଏକାଧିକ ସ୍କ୍ୱାଡ୍ ଗଠନ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଓ ସେମାନଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବାର ବ୍ୟବସ୍ଥା କରାଯାଉଛି।
କିନ୍ତୁ ହାତୀଙ୍କ ଚାରିପଟେ ହଜାର ହଜାର ଲୋକ ଏକାଠି ହୋଇ ରହିବା ଯୋଗୁଁ ସେମାନଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହାଦ୍ୱାରା ହାତୀମାନେ ଅଧିକ ଉତ୍ତେଜିତ ହୋଇ କ୍ଷୟକ୍ଷତି କରିବାର ଆଶଙ୍କା ରହୁଛି।
କେନ୍ଦୁଝର ଡିଏଫ୍ଓ ଏଚ୍.ଡି. ଧନରାଜ ଲୋକଙ୍କୁ ହାତୀଙ୍କ ନିକଟକୁ ନଯିବାକୁ ଏବଂ ସେମାନଙ୍କୁ ଉତ୍ତେଜିତ ନକରିବାକୁ ଅନୁରୋଧ କରିଛନ୍ତି। ହାତୀଙ୍କ ଦ୍ୱାରା ଫସଲ କିମ୍ବା ସମ୍ପତ୍ତିର କ୍ଷତି ହେଲେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି।
ଜଙ୍ଗଲ ସୁରକ୍ଷା ହିଁ ସଂଘର୍ଷ ରୋକିବାର ମୁଖ୍ୟ ଉପାୟ:
ହାତୀ-ମଣିଷ ସଂଘର୍ଷ କେବଳ ବନ୍ୟଜନ୍ତୁଙ୍କ ସମସ୍ୟା ନୁହେଁ, ଏହା ମଣିଷର ଜୀବିକା, ପରିବେଶ ଓ ଜୈବ ବିବିଧତା ସହ ମଧ୍ୟ ଜଡ଼ିତ। ହାତୀଙ୍କ ପ୍ରାକୃତିକ ବାସସ୍ଥାନ ସୁରକ୍ଷା, ଜଙ୍ଗଲରେ ଖାଦ୍ୟ ଓ ପାଣିର ଉପଲବ୍ଧତା ବଢ଼ାଇବା, ହାତୀ ଚଲାପଥକୁ ସୁରକ୍ଷିତ ରଖିବା ଏବଂ ଗ୍ରାମବାସୀଙ୍କୁ ସଚେତନ କରିବା ଏହି ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ।
ଜଙ୍ଗଲ ବଞ୍ଚିଲେ ହାତୀଙ୍କ ବାସସ୍ଥାନ ସୁରକ୍ଷିତ ରହିବ। ଏହା ସହ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ କମାଇବା ପାଇଁ ବନ ବିଭାଗ, ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ଅତ୍ୟନ୍ତ ଜରୁରୀ।