କେନ୍ଦୁଝର: (ଅଭୟ ମହାନ୍ତି) ଜଣେ ଯୁବକ ଘର ସାମ୍ନାରେ ଛିଡା ହୋଇଥିଲେ ସେହି ସମୟରେ ଘଟିଗଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । କିଛି ଦୁର୍ବୁତ୍ତ ଅଚାନକ ଆସିଲେ ଯୁବକଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରବଳ ମାଡ଼ ମାରିଲେ ଏବଂ ଫେରାର ହୋଇଗଲେ। ପରେ ମାଡ଼ପିଟ୍ କୁ ନେଇ ଶୈଲଙ୍ଗ ବଜାରରେ ଉତ୍ତେଜନା ଦେଖିବାକୁ ମିଳିଛି।
ଆନନ୍ଦପୁର ପୌରପରିଷଦ ଶୈଲଙ୍ଗ ଗାଁର ଦୀପ୍ତି ନାରାୟଣ ସାହୁ ନାମକ ଯୁବକ ନିଜ ଘର ଆଗରେ ଠିଆ ହୋଇଥିବା ବେଳେ କାର ଓ ବାଇକ ଯୋଗେ ପାଖାପାଖି ୮ଜଣ ଯୁବକ ପହଞ୍ଚି ବଳରାମପୁରକୁ କେଉଁ ରାସ୍ତା ପଚାରିଥିଲେ । ଏହା ସହିତ ଅଚାନକ ଗାଡ଼ିରୁ ଓଲ୍ହାଇ ଦୀପ୍ତିଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକେ ଏହାକୁ ବିରୋଧ କରିବାରୁ ପରିବାର ଲୋକଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଥିଲେ ସେହି ଯୁବକମାନେ। ସ୍ଥାନୀୟ ଲୋକେ ଆସିଯିବାରୁ ସେଠାରୁ ସମସ୍ତେ ଦୌଡ଼ି ପଳାଇଯାଇଥିଲେ। ତାଙ୍କର ଗୋଟିଏ ବାଇକ ସେଠାରେ ରହିଯାଇଥିଲା। ସୂଚନା ଅନୁଯାୟୀ ଦୀପ୍ତି ଜଣେ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ଗତକାଲି ଖାଲପାଳ ଗାଁକୁ ଯାଇଥିଲେ ଟ୍ରକ ଫାଇନାନ୍ସ ଟଙ୍କା ଆଦାୟ ପାଇଁ। ଏହି ଘଟଣାକୁ କେନ୍ଦ୍ରକରି ଖାଲପାଳର କିଛି ଦୁର୍ବୁତ୍ତ ଶ୍ରେଣୀୟ ଯୁବକ ଏକତ୍ରିତ ଭାବେ ଆସି ମାଡ଼ପିଟ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ସମସ୍ତ ଦୁର୍ବୁତ୍ତ ଗାଁରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି।