ପୁରୀ: ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ହବିଶ୍ୟାଳୀ ଶିବିର । ତେଣୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପର୍ବ। ଚୟନ ମାନଦଣ୍ଡ ଅନୁଯାୟୀ ୨୪ ଶହ ହବିଶ୍ୟାଳୀଙ୍କୁ ଶିବିରରେ ସୁବିଧା ଯୋଗାଇଦେବାକୁ ମନୋନୀତ କରାଯାଇଛି । ଏହା ପୂର୍ବରୁ ଦୁଇଟି ପ୍ରସ୍ତୁତି ବୈଠକ ଶେଷ ହୋଇଛି ।
୩ଟି ଶିବିରରେ ନିଶୁଳ୍କ ରହଣୀ, ମାଗଣା ମହାପ୍ରସାଦ ଓ ବସ୍ ଯୋଗେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦର୍ଶନ ପାଇଁ ହୋଇଛି ବ୍ୟବସ୍ଥା । ଶିବିର ବାହାରେ କାର୍ତ୍ତିକ ପାଳୁଥିବା ବ୍ରତଧାରୀଙ୍କ ପାଇଁ ମଧ୍ୟ ଶ୍ରୀମନ୍ଦିର ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ଲାଇନ୍। ସେପଟେ ତୀର୍ଥ ପୁଷ୍କରିଣୀରେ ହବିଶ୍ୟାଳୀଙ୍କ ସ୍ନାନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟାରିଅର। ସୁରକ୍ଷା ପାଇଁ ମାସକ ଯାକ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ।
୨୬ ତାରିଖ ସକାଳେ ବୃନ୍ଦାବତୀ ନିବାସ ଶିବିରରେ ଚୟନ ହୋଇଥିବା ବ୍ରତଧାରୀଙ୍କୁ ପରିଚୟ ପତ୍ର ସହ ମିଳିବ ସିଟ୍ ଆଲଟମେଣ୍ଟ। ବିନା ପଞ୍ଜୀକରଣରେ କାହାରିକୁ ନରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ବିଶେଷକରି ବୃନ୍ଦାବତୀ ନିବାସ, ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସ ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ସମସ୍ତ ହବିଶ୍ୟାଳୀଙ୍କ ରହଣୀର ବ୍ୟବସ୍ଥା ହୋଇଛି। ଆମ୍ବୁଲାନ୍ସ, ମେଡିକାଲ, ଫାୟାର ପୋଲିସ ଓ ସ୍ୱେଚ୍ଛାସେବୀଙ୍କ ସମନ୍ୱୟରେ କରାଯାଇଛି ବ୍ୟାପକ ବ୍ୟବସ୍ଥା ।
ସେପଟେ ହବିଷ୍ଯାଳୀ କେନ୍ଦ୍ର ପାଇଁ ନୋଡାଲ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଏଥିସହିତ ୩ ଟି କେନ୍ଦ୍ରରେ ହବିଶ୍ୟାଳୀମାନଙ୍କ ସହଯୋଗ ପାଇଁ ଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସେବା ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ସୁଆର ମହାସୁଆର ନିଯୋଗ ସହ ଜିଲ୍ଲା ପ୍ରଶାସନର ସମନ୍ୱୟରେ ଆବଶ୍ୟକୀୟ ମହାପ୍ରସାଦ ଯୋଗାଇ ଦେବାପାଇଁ ହୋଇଛି ବ୍ୟବସ୍ଥା। ହବିଶ୍ୟାଳୀମାନଙ୍କ ପାଇଁ ହାସଲ ମାଗଣା ଦର୍ଶନ, ଶିବିରରେ ବ୍ରତଧାରୀଙ୍କ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାସକ ଯାକ ଶ୍ରୀକ୍ଷେତ୍ରରେ କ୍ରାଉଡ୍ କଣ୍ଟ୍ରୋଲ, ଟ୍ରାଫିକ ରେଗୁଲେସନ୍ ଓ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ। ୩ ଟି ଯାକ ଶିବିରରେ ଏସପି ଓ ଆଇଜି ସମୀକ୍ଷା କରାଯାଇଥିଲା, ହେଲ୍ପ ଡେସ୍କ, ହେଲ୍ପ ଲାଇନ୍ ଓ ଏମର୍ଜେନ୍ସି ସର୍ଭିସ ପାଇଁ ବ୍ୟବସ୍ଥା ହୋଇଛି।
ଆଶ୍ଵିନ ଏକାଦଶୀ ଠାରୁ ଶ୍ରୀକ୍ଷେତ୍ରରେ ମହାକାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୬ ଅକ୍ଟୋବର ନଭେମ୍ବର ୨୪ ପର୍ଯ୍ୟନ୍ତ ସରକାରୀ ଶିବିରରେ ବ୍ରତଧାରୀମାନଙ୍କ ପାଇଁ ଯୋଗାଇ ଦିଆଯିବ ନିଶୁଳ୍କ ବ୍ୟବସ୍ଥା ।
ରିପୋର୍ଟ- ସଞ୍ଜୟ ମହାପାତ୍ର