Odisha Governor: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ବ୍ରଜମୋହନ ରାମ ଶନିବାର ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ପରିବାର ସହ ଶ୍ରୀମନ୍ଦିରରେ ପହଞ୍ଚି ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରି ପ୍ରାର୍ଥନା କରିଥିଲେ। ରାଜ୍ୟପାଳ ଭାବେ ଶପଥ ଗ୍ରହଣ ପୂର୍ବରୁ ତାଙ୍କର ଏହି ଦର୍ଶନକୁ ନେଇ ଶ୍ରୀମନ୍ଦିର ପରିସରରେ ଧାର୍ମିକ ପରିବେଶ ଦେଖିବାକୁ ମିଳିଥିଲା।
ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ, ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ:
ପୁରୀରେ ପହଞ୍ଚିବା ପରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ଏସ୍ପି ପ୍ରତୀକ ସିଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଶ୍ରୀମନ୍ଦିର ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା।
ରବିବାର ସକାଳ ୧୧ଟାରେ ଶପଥ ଗ୍ରହଣ ସମାରୋହ:
ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ବ୍ରଜମୋହନ ରାମ ରବିବାର ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକଭବନର ନୂଆ ଅଭିଷେକ ହଲ୍ରେ ଶପଥ ଗ୍ରହଣ କରିବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି ସମାରୋହରେ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ ଅତିଥିଙ୍କ ସମେତ ରାଜ୍ୟର ବହୁ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
କୃଷି ଓ କୃଷକ କଲ୍ୟାଣ ଉପରେ ରହିବ କି ଗୁରୁତ୍ୱ?
ଡକ୍ଟର ବ୍ରଜମୋହନ ରାମଙ୍କ ପାଇଁ ରାଜ୍ୟପାଳ ପଦ ଏକ ନୂଆ ଦାୟିତ୍ୱ ହୋଇଥିଲେ ମଧ୍ୟ ରାଜନୈତିକ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ ପୂର୍ବରୁ ତିନିଥର ସାଂସଦ ଓ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟପାଳ ନିଯୁକ୍ତି ପରେ କୃଷି ଓ କୃଷକ କଲ୍ୟାଣ କ୍ଷେତ୍ରରେ ତାଙ୍କର ଅନେକ ଯୋଜନା ଓ ଆଶା ଥିବା କଥା କହିଥିଲେ। ତେଣୁ ଓଡ଼ିଶାର କୃଷି କ୍ଷେତ୍ର, ଚାଷୀଙ୍କ ସମସ୍ୟା ଓ କୃଷକ କଲ୍ୟାଣ ସମ୍ପର୍କିତ ପ୍ରସଙ୍ଗରେ ତାଙ୍କର ଭୂମିକା କିପରି ରହିବ, ତାହା ଉପରେ ନଜର ରହିବ।
ଶାସକ ଓ ବିରୋଧୀଙ୍କ ମଧ୍ୟରେ ସାମ୍ବିଧାନିକ ସନ୍ତୁଳନ ଚ୍ୟାଲେଞ୍ଜ:
ରାଜ୍ୟପାଳ ଭାବେ ଡକ୍ଟର ରାମଙ୍କ ସମ୍ମୁଖରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ସାମ୍ବିଧାନିକ ସନ୍ତୁଳନ ରକ୍ଷା କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହେବ। ଏହା ସହିତ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦ ପୂରଣ ଓ ଉଚ୍ଚଶିକ୍ଷାର ମାନ ବୃଦ୍ଧି ଭଳି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିବ।
ପୂର୍ବତନ ରାଜ୍ୟପାଳ ହରିବାବୁ କମ୍ଭମପାଟି ରାଜ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇଥିଲେ। ଏବେ ନୂଆ ରାଜ୍ୟପାଳଙ୍କ କାର୍ଯ୍ୟକାଳରେ କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା ଓ ସାମ୍ବିଧାନିକ ଦାୟିତ୍ୱ ପାଳନ ଭଳି କ୍ଷେତ୍ରରେ କେତେ ଗୁରୁତ୍ୱ ଦିଆଯାଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।