କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ
ଅନଲାଇନ୍ ଗେମ୍ରୁ ପ୍ରେମ, ବିଦେଶରୁ ଆସି ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ। କେନିଆର ଯୁବକ ଗିରଫ
ପୁରୀ: (ସଞ୍ଜୟ କୁମାର ମହାପାତ୍ର) ଅନଲାଇନ୍ କ୍ୟାରମ୍ ଗେମ୍ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ସ୍ଥାପନ କରି ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ପୁରୀ ଟାଉନ ଥାନା ପୋଲିସ ଜଣେ କେନିଆ ନାଗରିକଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ କେନିଆର କିସୁମୁ ଅଞ୍ଚଳର ମହମ୍ମଦ ଫୈଜ୍ ମହମ୍ମଦ (୩୪)। ପୋଲିସ ସୂଚନା ଅନୁଯାୟୀ, ୨୦୨୫ ମସିହା ସେପ୍ଟେମ୍ବର ମାସରେ ପୀଡ଼ିତା ଜଣେ ଯୁକ୍ତ ଦୁଇ ଛାତ୍ରୀ, ନିଜ ମୋବାଇଲ୍ରେ 'କ୍ୟାରମ୍ କିଙ୍ଗ୍' ଆପ୍ରେ ଅନଲାଇନ୍ ଗେମ୍ ଖେଳୁଥିବା ବେଳେ ଅଭିଯୁକ୍ତ ମହମ୍ମଦ ଫୈଜ୍ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଚାଟିଂ ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନାବାଳିକାଙ୍କ ସରଳତାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରବର୍ତ୍ତାଇବା ସହ ବିବାହର ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କଠାରୁ କିଛି ଅଶ୍ଳୀଳ ଫଟୋ ମଧ୍ୟ ମଗାଇ ନେଇଥିଲେ। ଏହାପରେ ନାବାଳିକାଙ୍କୁ ଦେଖା କରିବା ପାଇଁ ଅଭିଯୁକ୍ତ ଗତ ୧୦ ନଭେମ୍ବରରେ ଭାରତ ଆସିଥିଲେ ଏବଂ ୧୮ନଭେମ୍ବରରେ ପୁରୀରେ ପହଞ୍ଚିଥିଲେ। ପୁରୀର ଏସ୍ସିଏସ୍ କଲେଜ ନିକଟରେ ଉଭୟଙ୍କ ଭେଟ ହେବା ପରେ ସେମାନେ ଫେରାର ହେବାକୁ ଯୋଜନା କରିଥିଲେ। ପୂର୍ବ ଯୋଜନା ମୁତାବକ, ଗତକାଲି ସକାଳେ ପୀଡ଼ିତା ଭୁବନେଶ୍ୱର ଯାଇଥିବା ବେଳେ ଅଭିଯୁକ୍ତ ଏକ କାର୍ ଭଡ଼ା କରି ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରୁ ତାଙ୍କୁ ଭୁବନେଶ୍ୱର ଜାଗମରା ସ୍ଥିତ 'ଗୋଲ୍ଡେନ୍ ଷ୍ଟାର୍ ଗେଷ୍ଟ ହାଉସ୍'କୁ ନେଇଯାଇଥିଲେ। ସେଠାରେ ଏକ କୋଠରୀରେ ନାବାଳିକାଙ୍କୁ ବନ୍ଦୀ କରି ରଖିବା ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଏଥିସହ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। କୌଣସି ଉପାୟ ନପାଇ ପୀଡ଼ିତାଙ୍କ ପରିବାର ଲୋକେ ପୁରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ଟାଉନ ଥାନା ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲା । ଭୁବନେଶ୍ୱର ଜାଗମରା ସ୍ଥିତ ସମ୍ପୃକ୍ତ ଗେଷ୍ଟ ହାଉସ୍ରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ଘଟଣାରେ ଟାଉନ ଥାନାରେ କେସ୍ ନଂ-୧୩୭/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୪୦(୨)/୧୪୩(୪)/୬୪ ଏବଂ ପୋକ୍ସୋ, ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ପୁରୀ ଏସପି।
Also Read- ମାଣବସା ଗୁରୁବାରରେ ଦେଖନ୍ତୁ ‘ଲକ୍ଷ୍ମୀ ପୁରାଣ’, ଜୀ ସାର୍ଥକର ଆଧ୍ୟାତ୍ମିକ ଭେଟି
Also Read- ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ