(ସଞ୍ଜୟ ମହାପାତ୍ର/ ପୁରୀ ) Puri News: ବଳିରେ ବଳି ନ କର କଳି....କାଲି ଆଣିଦେବି ସରୁ ଚକୁଳି...ଏହି ଗୀତରେ ଝଙ୍କୁରିତ ହେଉଥିଲା ମାର୍କଣ୍ଡ ପୁଷ୍କରଣୀ କୂଳ। ସେବାୟତ କୂଳର କୁମାରୀ ମାନେ ନେତ ବେଶରେ ସଜେଇ ହୋଇ ଏହି ସୁନ୍ଦର ଗୀତ ବୋଲି ଆରାଧନା କରୁଥିଲେ। ଏ-ହା ପଛରେ ଅନେକ କିମ୍ବଦନ୍ତୀ ରହିଛି। ଯାହାକି ସୁନ୍ଦର ଏବଂ ଯୋଗ୍ୟ ବର ପ୍ରାପ୍ତି ପାଇଁ ଏହି ବ୍ରତ ଧରି ଥାନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା ହେଉଛି ସେବାୟତ କୂଳର ନେତପିଲା। ପୁରୀ ର ସେବାୟତ ପରିବାର ହିଁ ଏହି ନେତପିଲା ପରମ୍ପରା ସୀମିତ। ସେବାୟତ କୋଳର ଅପ୍ରାପ୍ତ ବୟସ୍କା ବାଳିକାମାନେ ନେତପିଲା ଭାବେ ସଜ୍ଜିତ ହୋଇଥାନ୍ତି। ପ୍ରକାରାନ୍ତରେ ଭବିଷ୍ୟତରେ ଜଣେ ଉତ୍ତମ ବର ପାଇବା ଓ ସୁଖମୟ ସଂସାର ପାଇଁ ନେତପିଲାମାନେ ମା ଗୌରୀଙ୍କୁ ପୂଜା କରିଥାନ୍ତି। ଇନ୍ଦୁ ପୂର୍ଣ୍ଣିମା ଠାରୁ ୨୧ଦିନ ବ୍ୟାପୀ ଗୌରୀ ପୂଜା କରାଯାଇଥାଏ। ପ୍ରଥମ ୧୫ ଦିନ ଘରେ ପୂଜା କରିବା ପରେ ଆଶ୍ୱିନ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ନେତ ପିଲାମାନେ ନିଜର ଆଇ ତଥା ମାଙ୍କ ସହିତ ଆସି ମାର୍କଣ୍ଡ ପୁଷ୍କରିଣୀ କୂଳରେ ମା’ ଗୌରୀଙ୍କୁ ପୂଜା କରିଥାନ୍ତି।
ବିଭିନ୍ନ ସ୍ୱଣ୍ଣଅଳଙ୍କାର ଓ ବେଶ ପରିପାଟିରେ ସଜ୍ଜିତ ହୋଇ ଏମାନେ ନିଜର ଅଭିଭାବକଙ୍କ ସହିତ ମାର୍କଣ୍ଡକୂଳକୁ ଆସିଥାନ୍ତି। ମାର୍କଣ୍ଡ କୂଳରେ ବାଉଁଶିଆରେ ଆଣିଥିବା ପାଣିକଖାରୁ, ଖଣ୍ଡ ହଳଦି, ଜହ୍ନିଳ, ମକା, କାକୁଡି, ନଡିଆ ଆଦି ଇତ୍ୟାଦିକୁ ଧୋଇ ବନ୍ଦାପନା କରନ୍ତି।ଏହି ଅବସରରେ ବାଟି ପୂଜା କରିବା ସହ ନେତପିଲାମାନେ ବଳି ଗୀତ ମଧ୍ୟ ଗାଇଥାନ୍ତି। ପରମ୍ପରା ଗତ ଭାବେ ନେତପିଲାମାନେ ମାର୍କଣ୍ଡ କୂଳରେ ବଳି ଓ କାଟି ଗୀତ ଗାଇବା ସହ ଗୌରୀ ଦେବୀଙ୍କ ଆରଧନା କରିଥାନ୍ତି। ମାର୍କଣ୍ଡ କୂଳରେ ଗୌରୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଦୀର୍ଘଦିନ ଧରି ମାର୍କଣ୍ଡକୂଳରେ ପୂଜାର୍ଚ୍ଚନା ପରେ ଅଷ୍ଟମୀ ତିଥିରେ ଏହା ଶେଷ ହୋଇଥାଏ। ଅଷ୍ଟମୀ ତିଥିରେ ସମସ୍ତ ପୂଜା ସାମଗ୍ରୀକୁ ମାର୍କଣ୍ଡ କୂଳରେ ବିସର୍ଜନ କରାଯାଇଥାଏ,। ନେତ ପିଲା ମାକଣ୍ଡେୟଙ୍କୁ ଦର୍ଣନ କରି ମା’ ଗୌରୀଙ୍କ ବ୍ରତ ସମାପନ କରିଥାନ୍ତି। ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା ହେଉଛି ଏହି ନେତ ପରମ୍ପରା। ତେବେ ଏଥି ମଧ୍ୟରେ ଅନେକ ପରମ୍ପରା ଏବେ ଲୋପ ପାଇଯାଉଥିବା ବେଳେ ଏହି ନେତ ପରମ୍ପରାକୁ ନେଇ ସମସ୍ତେ ଖୁସି ଅନୁଭବ କରୁଛନ୍ତି।