ପୁରୀ: ନିର୍ବିବାଦୀୟ ଭାବରେ ଅନୁମୋଦନ ପାଇଛି ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ସେଟ ନିର୍ମାଣ ନିଷ୍ପତ୍ତି । ସୁନାବେଶ ପାଇଁ ଆଉ ଏକ ସୁବର୍ଣ୍ଣ ଅଳଙ୍କାର ସେଟ ନିର୍ମାଣ ହେବ। ନିଜସ୍ୱ ଅର୍ଥରେ ଏହାକୁ ପ୍ରସ୍ତୁତ କରିବ ଶ୍ରୀମନ୍ଦିର ପ୍ରଶାସନ। ତେବେ ସ୍ୱଇଚ୍ଛାରେ ଏଥିପାଇଁ ଦାନ ଦେଇ ପାରିବେ ଭକ୍ତ ଶ୍ରଦ୍ଧାଳୁ ବା ଇଛୁକ ବ୍ୟକ୍ତି । ରତ୍ନ ଭଣ୍ଡାରର ବାହାର ଭଣ୍ଡାରରେ ରହିବ ଏହି ବେଶ ଅଳଙ୍କାର ।
ତେବେ ରତ୍ନ ଭଣ୍ଡାର ଗଣତି ସମୟରେ ପ୍ରସ୍ତୁତ ହୋଇଥିବା, ଭିଡିଓ, ଫୋଟୋ, ଡିଜିଟାଲ ଡକ୍ୟୁମେଣ୍ଟେସନକୁ ପ୍ରାମାଣିକ ଆଧାରରେ ହିସାବରେ ନେଇ ପ୍ରସ୍ତୁତ ହେବ ନୂଆ ଅଳଙ୍କାର । ସିକ୍ୟୁରିଟୀ ପ୍ରୋଟୋକଲ ସହ ବୈଷୟିକ ଆକଳନ ଓ ପାରମ୍ପରିକ ଆକୃତି, ଓଜନ, ଧାର୍ମିକ ପ୍ରାମାଣିକତାକୁ ନଜରରେ ରଖି ନିର୍ମିତ ହେବ ଏହି ଅଳଙ୍କାର । ଭଣ୍ଡାର ମେକାପ, ତଢ଼ାଉ କରଣ, ଦେଉଳ କରଣ ଏହାକୁ ଅନୁଧ୍ୟାନ କରିବା ସହ ଟେକ୍ନିକାଲ କମିଟି ଗଠନ ହେବ । ଅନୁଭବୀ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯିବ ।
ସେପଟେ ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପରିଚାଳନା କମିଟି ଦେଇଛି ଗ୍ରୀନ ସିଗନାଲ୍ । ସିକ୍ୟୁରିଟୀ ପ୍ରୋଟୋକଲ, ଟିକେଟ କାଉଣ୍ଟର, ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥା ସରିଛି। ଏବେ ପାଇଁ ସକାଳ ୬ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ପ୍ରଥମ ୩ ଦିନ ମାଗଣା ପ୍ରବେଶ ଅନୁମତି ରହିବ। ଅନ୍ୟ ଦିନରେ ୧୦ ଟଙ୍କା ଶୁଳ୍କ ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ବୟସ୍କ, ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ରହିବ ମାଗଣା ପ୍ରବେଶ । ପ୍ରଶାସନର ବ୍ୟକ୍ତି ରହି ଦିବ୍ୟାଙ୍ଗକୁ ସ୍ୱତନ୍ତ୍ର ଦର୍ଶନ କରାଇବେ ।
ସେପଟେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଖୁବ୍ ଶୀଘ୍ର ହେବ ଦିବ୍ୟାଙ୍ଗ ଦର୍ଶନ ବ୍ୟବସ୍ଥା । ସ୍ୱତନ୍ତ୍ର ସ୍ଲଟ୍ ନିର୍ଦ୍ଧାରିତ ହେବ । ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଭଲ୍ୟୁଣ୍ଟର ଦର୍ଶନ ପାଇଁ ରହିବେ। ପୁରୀ ବାସୀ ପ୍ରବେଶ ପାଇଁ ମଧ୍ୟ ଆଲୋଚନା ହୋଇଛି। ଆଧାର କାର୍ଡ ଅନୁଧ୍ୟାନ କରାଯାଇ ହେବ ବ୍ୟବସ୍ଥା । ସ୍ଲଟ୍ ବୁକିଙ୍ଗ ଓ ଚିଟ୍ ମାଧ୍ୟମରେ ଦର୍ଶନ ସୁବିଧା ରହିବ । ନିର୍ଦ୍ଧାରିତ ସମୟ ସ୍ଥିରୀକୃତ ହେବ । କେତେ ସଂଖ୍ୟକ ପୁରୀ ବାସୀ ଏକ ଦିନରେ ଯିବେ ତାହା ନିର୍ଦ୍ଧାରିତ ହେବ। ଉତ୍ତର ଦ୍ୱାର ପ୍ରବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ସେବାୟତ। ପୂର୍ଣ୍ଣାଙ୍ଗ ଆଲୋଚନା ପରେ ଏନେଇ ନିଷ୍ପତ୍ତି ହେବ । ସେପଟେ ସେବାୟତ କଲ୍ୟାଣ ଯୋଜନା ଓ ଆଦର୍ଶ ଗୁରୁକୂଳ ସମ୍ପର୍କରେ ହୋଇଛି ଆଲୋଚନା । ଆଦର୍ଶ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ୧୩୫୦ ମିଟର ପ୍ରାଚୀର ମଧ୍ୟରେ ରହିବ ଗୁରୁକୁଳ । ୮୦୦ ମିଟର ପ୍ରାଚୀର ନିର୍ମାଣ କାର୍ଯ୍ୟ ସରିଛି । ପ୍ରକଳ୍ପ ମଧ୍ୟରେ ସ୍କୁଲ, ମନ୍ଦିର, ଖେଳ ପଡ଼ିଆ, ଅତୁଆଧୁନିକ ଅଡିଟୋରିଅମ, ହଷ୍ଟେଲ ନିର୍ମାଣ ହେବ । ଓବିସିସି ମାଧ୍ୟମରେ ଏହାର ନିର୍ମାଣ କାର୍ଯ୍ୟ ହେବା ସହ ନଭେମ୍ବରରୁ ହେବ ଭୂମି ପୂଜନ । ସେପଟେ ପ୍ରମୋଦ ଉଦ୍ୟାନ ଜାଗା ସୁରକ୍ଷିତ ରଖିବା ସହ ପ୍ରକଳ୍ପର ଡିଜାଇନ୍ କୁ ଖୁବ୍ ଶୀଘ୍ର ରୂପରେଖ ଦେବାକୁ ହୋଇଛି ନିଷ୍ପତ୍ତି ।
ନାଟମଣ୍ଡପରେ ଏସି ବ୍ୟବସ୍ଥାକୁ ପ୍ରଶଂସା କରିଛି କମିଟି । ଶୃଙ୍ଖଳିତ ଦର୍ଶନ ପାଇଁ ଭୁବନେଶ୍ୱର ଆଇଆଇଟି ମଡେଲକୁ ଟେଷ୍ଟିଙ୍ଗ କରାଯିବା ପରେ ପରିଚାଳନା କମିଟି ସମୀକ୍ଷା କରିବ । ତାହା ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗୁ ହେବାନେଇ ନିଷ୍ପତ୍ତି ନିଆଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଓବିସିସିକୁ ଦିଆଯାଇଛି ନିର୍ଦ୍ଦେଶ ।
ସେବାୟତ ବାସ୍ ଗୃହ ଯୋଜନା ପାଇଁ ହରଚଣ୍ଡୀ ସାହିରେ ୩ ଏକର ଜମିରେ ପ୍ରକଳ୍ପ ପାଇଁ ଡିଜେଲ୍ ଏସ୍ଟିମେଣ୍ଟ ପ୍ରସ୍ତୁତ ହେଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ଲ୍ୟାଣ୍ଡ ମନ୍ୟେଜମେଣ୍ଟ ରୁଲ - ୨୦୨୬ ପାଇଁ ଅନଲାଇନ୍ ୱେବ୍ ପୋର୍ଟାଲ ଡେଭଲପ ହେଉଛି। ସେବକ, ସେବକ ନିଯୋଗ, ମଠକୁ ଲୋକଙ୍କୁ ଜଣାଇବା ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର କରିବାକୁ ଦାୟିତ୍ୱ ଦିଆଯାଇଅଛି । ସେପଟେ ଏଥିପାଇଁ Facilitation cell ପ୍ରସ୍ତୁତ କରିବାକୁ ଦାବି ହୋଇଛି ।
ପୁରୀ ରେଜିଷ୍ଟର ଅଫିସରେ ସେଲ୍ ପ୍ରସ୍ତୁତ କରିବାକୁ ଦାବି ହୋଇଛି ।
୨୦୨୫-୨୬ ଆର୍ଥିକ ବର୍ଷ ଫାଇନାନ୍ସ ସବ୍ କମିଟିର ରିପୋର୍ଟ ସମୀକ୍ଷା କରିଛି ଶ୍ରୀମନ୍ଦିର ପରିଚାଳନା କମିଟି ।
ଆୟ ବ୍ୟୟ ଅଟକଳ ସହ ଅଡିଟ୍ ପାଇଁ ସମସ୍ତ ଡକ୍ୟୁମେଣ୍ଟ ସରିଛି । ୫ ବର୍ଷର ବକେୟା କାର୍ଯ୍ୟ ୨ ବର୍ଷରେ ପ୍ରସ୍ତୁତ କରିଛନ୍ତି କମିଟିର ଚାଟାର୍ଡ ଆକାଉଣ୍ଟ ସଦସ୍ୟ ଏକେ ସାବତ। ରାଷ୍ଟ୍ରପତି ଭବନରେ ୩ ରଥ ଚକ ସ୍ଥାପନ, ଶ୍ରୀମନ୍ଦିର ହେରିଟେଜ୍ ପ୍ରକଳ୍ପ, ପୂଜାପଣ୍ଡା ନିଯୋଗ ଗୃହ ଆଦି ବିଷୟରେ ହୋଇଛି ଆଲୋଚନା । ଗଜପତିଙ୍କ ନେତୃତ୍ୱରେ ଶ୍ରୀ ଜଗନ୍ନାଥ ତତ୍ୱ ପ୍ରଚାର କମିଟି ନିଷ୍ପତ୍ତି ବିଷୟରେ ଆଲୋଚନା ହୋଇଛି । ସଂସ୍କୃତି ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତି, ସଂସ୍ଥା, ବିରୋଧରେ ସବ୍ କମିଟି କାର୍ଯ୍ୟ କରିବ । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଯାଇ ଭାରତ ସରକାରଙ୍କ ନୀତି ନିର୍ଦ୍ଧାରଣ କରୁଥିବା ଅଧିକାରୀଙ୍କ ସହ ଆଲୋଚନା କରିବ ସବ୍ କମିଟି । ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଦଖଲରେ ଥିବା ମହାପ୍ରଭୁଙ୍କ ଜମି ପାଇଁ ସଂସ୍ଥା ପ୍ରିମିୟମ୍ ଦେଇ ନଥିବାରୁ ଆଦାୟ ବ୍ୟବସ୍ଥା କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଛି ଦାୟିତ୍ୱ । ରତ୍ନ ଭଣ୍ଡାର ଗଣତି ବିଷୟରେ ପରିଚାଳନା କମିଟିକୁ ଅବଗତ କରାଯିବା ପରେ ନିଷ୍ପତ୍ତିକୁ ସ୍ୱାଗତ କରିଛି କମିଟି ।
ସ୍ନାନ ଯାତ୍ରା ଠାରୁ ଘୋଷଯାତ୍ରା ପର୍ଯ୍ୟନ୍ତ ସଫଳ ଆୟୋଜନ ପାଇଁ ସେବାୟତ, ଅଧିକାରୀ ସମସ୍ତଙ୍କୁ, କୃତଜ୍ଞତା ଦିଆଯାଇଛି । ଅସଙ୍ଗତି ଉପରେ ବିସ୍ତୃତ ଆଲୋଚନା ହେବା ସହ ଭିଡିଓ ମାଧ୍ୟମରେ ସମୀକ୍ଷା କରି ତ୍ରୁଟି ସୁଧାରିବା ପାଇଁ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପୂର୍ବ ତ୍ରୁଟି ଆଗାମୀ ରଥଯାତ୍ରା ପୂର୍ବରୁ ସୁଧାରିବାକୁ ହୋଇଛି ପ୍ଲାନ୍ ।