ପୁରୀ: (ସଞ୍ଜୟ କୁମାର ମାହପାତ୍ର) ଗୁଜୁରାଟ ରାମକଥାର ନ୍ୟାରେଟର ବା ବର୍ଣ୍ଣନା କାରୀ ମୁରାରୀ ବାପୁ ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଦର୍ଶନ ସାନିଧ୍ୟ ନେଇଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସାନିଧ୍ୟ ନେବା ସହ ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ସାନ୍ନିଧ୍ୟ ନେଇଛନ୍ତି । ଏଥିସହ ତାଙ୍କର ଚାରିଧାମ ଯାତ୍ରା ପୂର୍ଣ୍ଣ ହୋଇଛି ବୋଲି ସେ ଭାବପୂର୍ଣ୍ଣ ପ୍ରତିକ୍ରିୟା ରହିଛନ୍ତି ।
ଦେଶ ତଥା ବିଶ୍ୱର ମଙ୍ଗଳ ପାଇଁ ତାଙ୍କର ଚାରିଧାମ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସେ ଶ୍ରେଷ୍ଠ ଧାମ ଜଗନ୍ନାଥ ଧାମରେ ଦର୍ଶନ ସୁଯୋଗ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରା ସମୟରେ ୨୦୨୩ରେ ପୁରୀରେ ଦର୍ଶନ ସାନିଧ୍ୟ ନେଇଥିଲେ । ଏବେ ପୁଣି ଥରେ ଚାରିଧାମ ଯାତ୍ରା କରି ଭାରତର ଚାରି ଦିଗରେ ଅବସ୍ଥିତ ଚାରୋଟି ପବିତ୍ର ତୀର୍ଥକ୍ଷେତ୍ର ଏବଂ ମଙ୍ଗଳମୟ 'ସ୍ୱସ୍ତିକ' ଚିହ୍ନର ଏକ ଆଧ୍ୟାତ୍ମିକ ଓ ଭୌଗୋଳିକ ସମ୍ମିଶ୍ରଣର ସାନିଧ୍ୟ ଶେଷ କରିଛନ୍ତି । ଦକ୍ଷିଣରେ ରାମେଶ୍ୱର ଧାମ, ଉତ୍ତରରେ ବଦ୍ରୀନାଥ ଧାମ, ପଶ୍ଚିମରେ ଦ୍ୱାରକା ଦର୍ଶନ ପରେ ପୂର୍ବରେ ଜଗନ୍ନାଥ ଧାମ ପୁରୀରେ ଦର୍ଶନ କରି ନିଜର ମଙ୍ଗଳମୟ ସ୍ୱସ୍ତିକ ଯାତ୍ରା ପୂର୍ଣ୍ଣ କରିଛନ୍ତି । ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ତାଙ୍କୁ ସ୍ୱାଗତ କରିଥିଲେ ଛତିଶା ନିଯୋଗ ମହାନାୟକ ।